ଜାତୀୟ ପୁଷ୍ଟିକର ସର୍ବେକ୍ଷଣ ରିପୋର୍ଟ ! ରାଜ୍ୟରେ ଏକ ପଞ୍ଚମାଂଶ ଶିଶୁଙ୍କୁ ଡାଇବେଟିସ୍
ଭୁବନେଶ୍ୱର : ଜାତୀୟ ପୁଷ୍ଟିକର ସର୍ବେକ୍ଷଣ ରିପୋର୍ଟ ମିଠା ଖାଇବା ଯେ ଆମ ପିଲାଙ୍କ ପାଇଁ କେତେ ଭୟଙ୍କର ତାହା ସଂପର୍କରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମନାକୁ ଆଣିଛି , ଯାହା ଶୁଣିବା ପରେ ପ୍ରତ୍ୟେକ ଅଭିଭାବକଙ୍କ ଛାତି ଥରି ଉଠିବ । ଛୋଟ ପିଲାଙ୍କ ହାତରେ ଚକୋଲେଟ, ମିଠା, ପିଠା ଆଦି ଧରାଇବା ଅତି ସାଧାରଣ କଥା । କିନ୍ତୁ ରିପୋର୍ଟ କହୁଛି ଯେ ରାଜ୍ୟରେ ପଢୁଥିବା ଏକ ପଞ୍ଚମାଂଶ ୧୯.୨ ପ୍ରତିଶତ ଶିଶୁ ପ୍ରି-ଡାଇବେଟିକ୍ ବା ଡାଇବେଟିସ୍ ପୂର୍ବାସ୍ଥାରେ ଅଛନ୍ତି । କେବଳ ଏତିକି ନୁହେଁ ,୧୯ ପ୍ରତିଶତ କିଶୋରଙ୍କ ଠାରେ ମଧ୍ୟ ଅନୁରୂପ ସ୍ଥିତି ଦେଖିବାକୁ ମିଳିଛି । ଜାତୀୟସ୍ତରରେ ଏହି ହାର ୧୦.୩ ପ୍ରତିଶତ ଏବଂ ୧୦.୪ପ୍ରତିଶତ । ଯତିଓ ଜାତୀୟସ୍ତର ଠାରୁ ଶିଶୁ ପୁଷ୍ଟକର କ୍ଷେତ୍ରରେ ଓଡ଼ିଶାର ସ୍ଥିତି ଟିକେ ଭଲ, ତଥାପି ଆତଙ୍କ ସୃଷ୍ଟି କଲାଭଲି । ରିପୋର୍ଟ ଅନୁସାରେ ୬ରୁ ୨୩ ମାସ ମଧ୍ୟରେ ପାଖାପାଖି ୮୦ ପ୍ରତିଶତ ଶିଶୁ ସର୍ବନିମ୍ନ ଗ୍ରହଣୀୟ ଖାଦ୍ୟ ପାଉନାହାନ୍ତି ।
ରିପୋର୍ଟ ଅନୁସାରେ ସବୁ ଜିଲାର ସ୍ଥିତି ଉଦବେଗଜନକ ଥିଲେ ହେଁ ସୁନ୍ଦରଗଡ, ଦେବଗଡ, ଯାଜପୁର, ଖୋର୍ଦ୍ଧାର ସ୍ଥିତି ଗମ୍ଭୀର । ଖନି ଖାଦାନରେ ଭରପୁର ଜିଲା ସୁନ୍ଦରରଗଡ଼ ଏବଂ ଯାଜପୁରର ତୃଣମୂଳ ସ୍ତରରେ ବିକାଶ ହୋଇପାରି ନାହିଁ ତାହା ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଆହୁରି ଆଚମ୍ବିତ କରିବା କଥା ହେଲା ଖୋଦ୍ ରାଜ୍ୟ ରାଜଧାନୀ ଭୁବନେଶ୍ୱର ଥିବା ଜିଲ୍ଲା ଖୋର୍ଦ୍ଧାରେ ବି ଶିଶୁ ସର୍ବନିମ୍ନ ଗ୍ରହଣୀୟ ଖାଦ୍ୟ ପାଉନାହାନ୍ତି କିପରି ? ମାଆ କ୍ଷୀର ସହିତ ସର୍ବନିମ୍ନ ଗ୍ରହଣୀୟ ଖାଦ୍ୟର ଅଭାବ ଶିଶୁର ଗଠନ ଉପରେ ଏତେ ପ୍ରଭାବ ପକାଇଥାଏ ଯେ ଜୀବନର ଅବଶିଷ୍ଟ ଦିନମାନଙ୍କରେ ବିକାଶ ପାଇଁ ଯାବତୀୟ ପଦକ୍ଷେପକୁ ନିଷ୍ଫଳ କରିଦେଇଥାଏ । ଆଉ ବିଶେଷଜ୍ଞମାନଙ୍କ ମତରେ ଓଡ଼ଶାରେ ପୋଷଣ ବା ପୁଷ୍ଟିହୀନତା ବୃଦ୍ଧି ପଛରେ ଏହା ହିଁ ସବୁଠାରୁ ବଡ଼ କାରଣ । ୩୧ ପ୍ରତିଶତ ଶିଶୁ ବା ପ୍ରତି ଶହେରେ ତିନିଜଣ ଶିଶୁଙ୍କ ଉଚ୍ଚତା କମିଯାଉଛି । ଜାତୀୟସ୍ତରରେ ଏହାର ହାର ୩୫ ପ୍ରତିଶତ । ଜାତୀୟ ପୁଷ୍ଟିକର ସର୍ବେକ୍ଷଣ ରିପୋର୍ଟ ତଥ୍ୟ ଅନୁସାରେ ରାଜ୍ୟରେ ବିଦ୍ୟାଳୟକୁ ଯାଉନଥିବା ୨୦ ପ୍ରତିଶତ ଶିଶୁଙ୍କ ଠାରେ ଭିଟାମିନ୍-ଏ ର ଅଭାବ ରହିଛି । ତେବେ ବିଦ୍ୟାଳୟରେ ପଢୁଥିବା ପିଲାଙ୍କ ଠାରେ ଏହି ହାର ୧୮ ପ୍ରତିଶତ ହୋଇଥିବା ବେଳେ ୧୯ ପ୍ରତିଶତ କିଶୋର ମଧ୍ୟ ଏହି ଅଭାବରେ ସମସ୍ୟା ସାମ୍ନା କରୁଛନ୍ତି । ସେହିଭଳି ରାଜ୍ୟର ୬.୭ ପ୍ରତିଶତ ବିଦ୍ୟାଳୟ ଯାଉନଥିବା ଶିଶୁଙ୍କ ଠାରେ ଭିଟାମିନ୍-ଡିର ଅଭାବ । ସ୍କୁଲ ପିଲା ଓ କିଶୋରଙ୍କ କ୍ଷେତ୍ରରେ ଏହାର ପରିମାଣ ଯଥାକ୍ରମେ ୧୨.୪ ପ୍ରତିଶତ ଏବଂ ୧୮ ପ୍ରତିଶତ । ଭାରତର ନ୍ୟୁଟ୍ରିସନ୍ ମ୍ୟାନ୍ ଭାବେ ପରିଚିତ ତଥା ଖାଦ୍ୟ ଏବଂ ପୁଷ୍ଟିକର ସୁରକ୍ଷା ମିଳିତ ମଞ୍ଚର ମୁଖ୍ୟ ଉପଦେଷ୍ଟା ବସନ୍ତ କୁମାର କରଙ୍କର କହିବା କଥା ହେଉଛି ଯେ ଖାଦ୍ୟ ଅଭାବ ଯେ କୌଣସି ଶିଶୁ ପାଇଁ ଅତ୍ୟନ୍ତ ବିପଜ୍ଜନକ ସାବ୍ୟସ୍ତ ହୋଇଥାଏ । ପ୍ରଥମ ୧୦୦୦ଦିନରେ ସର୍ବନିମ୍ନ ଖାଦ୍ୟ ଆବଶ୍ୟକତାକୁ ବିଶେଷ ବା ସବୁଠାରୁ ଅଧିକ ଗୁତୁତ୍ୱପୂର୍ଣ୍ଣ । ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାର ନ୍ୟୁଟ୍ରିସନ ବଜେଟ୍ ପ୍ରସ୍ତୁତ କରିଛନ୍ତି । ଏହା ଛଡା ମିଲେଟ୍ ମିସନ ପୁଷ୍ଟିହୀନତା ରୋକିବାରେ ସବୁଠାରୁ ବଡ କାମ କରିବ । ତେବେ ଏ ସଂକ୍ରାନ୍ତ ସଚେତନତା ହିଁ ମୁକାବିଲା କ୍ଷେତ୍ରରେ ବଡ ଅସ୍ତ୍ର ବୋଲି ବସନ୍ତ କୁମାର କର ମତ ରଖିଛନ୍ତି । ରାଜ୍ୟରେ ପୁଷ୍ଟିହୀନତା ଏବେ ଏକ ନିରବ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିସାରିଛି , ତେବେ ଏହାସତ୍ତେ୍ୱ ଓଡ଼ିଶା ବିଶ୍ୱସ୍ତରୀୟ ରାଜ୍ୟ ଭାବେ ପରିଗଣିତ ହେବା ପାଇଁ ଯୋଜନା କରିବା ଆଚମ୍ବିତ ମନେ ହୁଏ । ସରକାର ଯଦି ଓଡ଼ିଶାକୁ ଏକ ବିକଶିତ ରାଜ୍ୟ ଭାବରେ ଉଭା ହେବାକୁ ଇଚ୍ଛା କରନ୍ତି , ତେବେ ପୁଷ୍ଟିକର କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ପ୍ରାଥମିକତା ଦିଆଯିବା ଉଚିତ୍ ।