ନ୍ୟାଶନାଲ ହେରାଲ୍ଡ ମାମଲା : ଆଜି ପୁଣି ଇଡି କାର୍ଯ୍ୟାଳୟରେ ହାଜର ହେବେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : ନ୍ୟାଶନାଲ ହେରାଲ୍ଡ ମାମଲାରେ ଫସିଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଆଜି ପୁଣି ଇଡି କାର୍ଯ୍ୟାଳୟରେ ହାଜର ହେବେ । ଏନେଇ ଇଡି ନୋଟିସ ଦେଇଛି। ସୋମବାର ପ୍ରାୟ ୯ ଘଣ୍ଟାର ଜେରା ବେଳେ ଅଧିକାରୀମାନେ ରାହୁଲ ଗାନ୍ଧିଙ୍କ ପାଇଁ ପ୍ରସ୍ତୁତ କରିଥିବା କିଛି ପ୍ରଶ୍ନ ବାକି ରହିଯାଇଛି। ଯାହା ପଚରା ଯାଇ ପାରି ନାହାନ୍ତି। ତେଣୁ ମଙ୍ଗଳବାର ତାଙ୍କୁ ଡକା ଯାଇଛି। ସେ ମଧ୍ୟ ହାଜର ହେବେ ବୋଲି ଜଣାପଡ଼ିଛି।
ସୂଚନା ଯେ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ର ପଞ୍ଜାର ଛନ୍ଦି ହୋଇଥିବା ବେଳେ ଗତ ସୋମବାର ଦୀର୍ଘ ୯ ଘଣ୍ଟା କାଳ ଜେରା ସରିଛି । ଦୁଇଟି ପର୍ଯ୍ୟାୟରେ ରାହୁଲ ପ୍ରାୟ ୯ ଘଣ୍ଟା ଜେରାର ସମ୍ମୁଖୀନ ହୋଇଛନ୍ତି। ପ୍ରଥମେ ତାଙ୍କୁ ଇଡିର ୩ ଜଣ ଅଧିକାରୀ ପ୍ରାୟ ୩ ଘଣ୍ଟା କାଳ ଜେରା କରିଥିଲେ। ଏହାପରେ ତାଙ୍କୁ ଲଞ୍ଚ ବ୍ରେକରେ ଛଡ଼ା ଯାଇଥିଲା। ବ୍ରେକ ମିଳିବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମା’ ସୋନିଆ ଗାନ୍ଧିଙ୍କୁ ଦେଖା କରିଥିଲେ। ସେଠାରୁ ଫେରି ସେ ପ୍ରାୟ ଅପରାହ୍ନ ୪ଟା ବେଳେ ପୁଣି ଦିଲ୍ଲୀ ସ୍ଥିତି ଇଡି ମୁଖ୍ୟାଳୟରେ ହାଜର ହୋଇଥିଲେ। ସେ ପହଞ୍ଚିବା ପରେ ଇଡିର ଅଧିକାରୀମାନେ ତାଙ୍କୁ ଜେରା ଆରମ୍ଭ କରିଥିଲେ। ଏହି ପର୍ଯ୍ୟାୟରେ ତାଙ୍କୁ ୬ ଘଣ୍ଟା କାଳ ଜେରା କରାଯାଇଛି। ଆଜିର ଜେରା ସରିବା ପରେ ରାହୁଲ ରାତି ପ୍ରାୟ ୯.୪୫ରେ ଇଡି ଅଫିସରରୁ ବାହାରିଥିଲେ ।