ପ୍ରଦର୍ଶନୀ ପଡ଼ିଆରେ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା ଉଦଘାଟିତ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବୟନିକା ଦ୍ୱାରା ୟୁନିଟ୍ -୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ୨୧ତମ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜିତ ହୋଇଛି । ଏହି ‘ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା’ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଜନସାଧାରଣଙ୍କ ନିମନ୍ତେ ଖୋଲା ରହିବ । ସୋମବାର ସନ୍ଧ୍ୟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଏହି ମେଳାକୁ ଉଦ୍ ଘାଟନ କରିଛନ୍ତି । ଏହି ଉଦ୍ଘାଟନୀ ଉତ୍ସବରେ ଭୁବନେଶ୍ୱର (ମଧ୍ୟ) ବିଧାୟକ ଅନନ୍ତ ନାରାୟଣ ଜେନା, ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବୟନଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ, ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ୟାମଭକ୍ତ ମିଶ୍ର ଏବଂ ବୟନଶିଳ୍ପ ନିର୍ଦ୍ଦେଶାଳୟ ଓ ବୟନିକାର ପଦାଧିକାରୀବୃନ୍ଦ ଯୋଗ ଦେଇଥିଲେ ।
ଏହି ମେଳାରେ ୨୧୫ଟି ଷ୍ଟଲ ଖୋଲାଯାଇଛି । ଏଥି ମଧ୍ୟରୁ ୧୧୫ଟି ଷ୍ଟଲ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ ସଂସ୍ଥା ଓ ସମିତିମାନଙ୍କୁ ପ୍ରଦର୍ଶନୀ ନିମନ୍ତେ ଦିଆଯାଇଛି । ଅନ୍ୟ ୧୦୦ଟି ଷ୍ଟଲ ଅନ୍ୟ ରାଜ୍ୟର ଅଂଶଗ୍ରହଣକାରୀ ସଂସ୍ଥାଙ୍କୁ ଆବଂଟନ କରାଯାଇଛି । ଏହି ମେଳାରେ ଉତରପ୍ରଦେଶ, ଜାମ୍ମୁ ଓ କାଶ୍ମୀର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କର୍ଣ୍ଣାଟକ, ହରିୟାନା ଏବଂ ଓଡ଼ିଶାର ବିଭିନ୍ନ ସଂସ୍ଥା/ସମିତି ଅଂଶଗ୍ରହଣ କରି ସେମାନଙ୍କର ବିଭିନ୍ନ ହସ୍ତତନ୍ତ ବସ୍ତ୍ର ଓ ପରିଧାନର ପ୍ରଦର୍ଶନ ଓ ବିକ୍ରୟ କରୁଛନ୍ତି । ଏହି ପ୍ରଦର୍ଶନୀରେ ଓଡ଼ିଶାର ବାନ୍ଧବସ୍ତ୍ର ସହ ପଶ୍ଚିମବଙ୍ଗର ଜାମଦାନି ଓ ଟାଙ୍ଗାଇଲ୍, ଗୁଜୁରାଟର ପଟୋଲା, ଲକ୍ଷ୍ନୌର ଚିକେନକାରୀ, ଜାମ୍ମୁ ଓ କାଶ୍ମୀରର ପଶ୍ମିନା-ସାଲ୍, ତାମିଲନାଡ଼ୁର କାଞ୍ଜିବରମ୍ ପାଟଶାଢ଼ି, ଦିଲ୍ଲୀ, ହରିୟାନାର ଫର୍ନିସିଙ୍ଗ୍ ବସ୍ତ୍ର, ପଞ୍ଜାବର କମ୍ବଳ ଓ କର୍ଣ୍ଣାଟକର ଶିଲ୍କ ଶାଢ଼ି ଆଦି ହସ୍ତତନ୍ତ ବସ୍ତ୍ର ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି ।
ଏହି ମେଳା ପ୍ରତ୍ୟହ ଦିବା ୧୧.୩୦ରୁ ରାତି ୯.୩୦ ପର୍ଯ୍ୟନ୍ତ ଚାଲିବ । ଏହି ମେଳାରେ ଓଡ଼ିଶାର ପ୍ରତ୍ୟେକ ଷ୍ଟଲରେ ପ୍ରତ୍ୟେକ ବସ୍ତ୍ର ବିକ୍ରି ଉପରେ ସ୍ୱତନ୍ତ୍ର ରିହାତି ଦେବାର ବ୍ୟବସ୍ଥା କରାଯାଇଛି । ଏଠାରେ ଦେଶର ସମସ୍ତ ରାଜ୍ୟର ହସ୍ତତନ୍ତ ବସ୍ତ୍ର ସହ ପାରମ୍ପରିକ ଖାଦ୍ୟ, ଖେଳକୁଦ ଓ ପ୍ରତ୍ୟେକ ସନ୍ଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି ।
ଗତବର୍ଷ ଏହି ମେଳାରେ ୧୦ କୋଟି ଟଙ୍କାର ବ୍ୟବସାୟ ହୋଇଥିଲା । ଚଳିତ ବର୍ଷ ପୂଜା ଉପଲକ୍ଷେ ୧୨ କୋଟିରୁ ଅଧିକ ବ୍ୟବସାୟ ହେବ ବୋଲି ଆଶା କରାଯାଉଛି । ଏହି ମେଳାକୁ ବୟନଶିଳ୍ପ ନିର୍ଦ୍ଦେଶାଳୟ ଓ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜନ କରାଯାଇଛି ।