National Cinema Day 2023 : ଜାଣନ୍ତୁ କାହିଁକି ପାଳନ କରାଯାଏ ଜାତୀୟ ସିନେମା ଦିବସ, କଣ ରହିଛି ମହତ୍ତ୍ୱ

ଅକ୍ଟୋବର ୧୩ ତାରିଖକୁ ଆମେ ଜାତୀୟ ସିନେମା ଦିବସ ଭାବରେ ପାଳନ କରିଥାଉ । ଚଳଚ୍ଚିତ୍ର ପ୍ରେମୀଙ୍କୁ ଏକାଠି କରିବା ସହିତ ସମାଜ ଉପରେ ସିନେମାର ଗଭୀର ପ୍ରଭାବକୁ ସ୍ୱୀକାର କରିବା ପାଇଁ ଏହି ଦିନଟି ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଥାଏ । ଦେଶର ଅନେକ ସ୍ଥାନରେ ଏହି ଦିନରେ ସିନେମା ଟିକେଟ୍ ଟିକେଟ୍ ମାତ୍ର ୯୯ ଟଙ୍କାରେ ବିକ୍ରି ହୋଇଥାଏ । ଟିକେଟ୍ ଶସ୍ତାରେ ମିଳିବା କାରଣରୁ ସିନେମା ହଲରେ ଦର୍ଶକଙ୍କ ଭିଡ ଲାଗିଥାଏ ।
କାହିଁକି ପାଳନ କରାଯାଏ :
କୋଭିଡ୍ ୧୯ ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ଜରୁରୀକାଳିନ ସ୍ଥିତି ସମୟରେ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଜାତୀୟ ସିନେମା ଦିବସକୁ ସିନେମା ହଲ୍ ଖୋଲିବାକୁ ଉତ୍ସବରେ ପରିଣତ କରିଥିଲା । ଏହି ପରିବର୍ତ୍ତନ ଏକତା ପ୍ରଦର୍ଶନ କରିବା ଏବଂ ମହାମାରୀ ସମୟରେ ବହୁ ଆର୍ଥିକ ସଂକଟରେ ଥିବା ସିନେମା ହଲ୍ ମାଲିକମାନଙ୍କୁ ବହୁ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ଏକ ମାଧ୍ୟମ ଭାବରେ କାର୍ଯ୍ୟ କରିଥିଲା । ସିନେମା ଇଣ୍ଡଷ୍ଟ୍ରିର ପୁନର୍ଜୀବନରେ ଭାଗ ନେବାକୁ ଚଳଚ୍ଚିତ୍ର ପ୍ରଶଂସକଙ୍କୁ ପ୍ରଲୋଭିତ କରିବା ପାଇଁ ଚଳଚ୍ଚିତ୍ର ଟିକେଟ୍ ଉପରେ ଯଥେଷ୍ଟ ରିହାତି ପ୍ରଦାନ କରାଯାଏ । ଗତ ବର୍ଷ, ଏହି ପ୍ରୟାସର ସଫଳତା ବେଶ୍ ବାରି ହୋଇପଡିଥିଲା । କାରଣ ୬.୫ ମିଲିୟନରୁ ଅଧିକ ସିନେପ୍ରେମୀ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଭିଡ଼ ଜମାଇବା ସହିତ ସିନେମା ଦେଖିଥିଲେ । ଯାହା ସିନେମାକୁ ପୁନଉଦ୍ଧାର କରିବାରେ ସକ୍ଷମ ହେବା ସହ ଏହାକୁ ଏକ ଉତ୍ସବ ଭାବରେ ପାଳନ କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ସିନେପ୍ରେମୀଙ୍କୁ ଏକ ବଡ଼ ଉପହାର ଦିଆଯାଉଛି । ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ପୁଣି ଥରେ ଘୋଷଣା କରିଛି ଯେ, ସାରା ଭାରତରେ ୪ହଜାରରୁ ଅଧିକ ସ୍କ୍ରିନର ଟିକେଟ୍ ୯୯ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ । ଏଥିରେ PVR, INOX, ସିନେପୋଲିସ୍ ପରି ପ୍ରସିଦ୍ଧ ଥିଏଟର ମଧ୍ୟ ଅନ୍ତର୍ଭୁକ୍ତ ରହିଛି ।
ଦିବସର ଗୁରୁତ୍ୱ :
ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ଦ୍ୱାରା କୁହାଯାଇଛି ଯେ, ଏହି ବିଶେଷ ଉତ୍ସବଟି ସିନେମା ପାଇଁ ଭଲଦିନଟିଏ । ସବୁ ବୟସର ଦର୍ଶକଙ୍କୁ ଏହା ଏକତ୍ରିତ କରିଥାଏ, ଚଳିତ ବର୍ଷ ବକ୍ସ ଅଫିସରେ ରିଲିଜ୍ ହୋଇଥିବା ଅନେକ ଚଳଚ୍ଚିତ୍ରର ଅବିଶ୍ୱସନୀୟ ସଫଳତାକୁ ପାଳନ କରିଥାଏ। ଜାତୀୟ ସିନେମା ଦିବସ ଭାରତୀୟ ସିନେମାର ସଫଳତା ଏବଂ ଏହାର ଗଭୀର ସାଂସ୍କୃତିକ ମହତ୍ତ୍ୱକୁ ପାଳନ କରିବା ପାଇଁ ଏକ ପ୍ରଶଂସନୀୟ ଉତ୍ସବ ଭାବରେ କାର୍ଯ୍ୟ କରିଥାଏ । ସିନେମାଟିକ୍ କାହାଣୀକୁ ଚିହ୍ନିବା ପାଇଁ ଏହା ଏକ ଦିନ ଯାହାକି ଦେଶର ଇତିହାସ, ପରମ୍ପରା ଏବଂ ସାମାଜିକ ମୂଲ୍ୟବୋଧର ମହତ୍ତ୍କୁ ସ୍ପଷ୍ଟ ଭାବରେ ପ୍ରତିଫଳିତ କରିଥାଏ । ତେବେ ଚଳିତ ବର୍ଷ ମଧ୍ୟ ସିନେପ୍ରେମୀଙ୍କୁ ମନୋରଞ୍ଜନର ଖୋରାକ୍ ଦେବାପାଇଁ ଅନେକ ଚଳଚ୍ଚିତ୍ର ବିଭିନ୍ନ ସିନେମା ହଲରେ ରିଲିଜ୍ କରାଯାଉଛି ।