ନନ୍ଦିଗ୍ରାମରେ ପଛରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମମତା, ଆଗରେ ବିଜେପି ନେତା ଶୁଭେନ୍ଦୁ
କୋଲକାତା : ନନ୍ଦିଗ୍ରାମରେ ହାରିଯିବେ କି ମମତା ବାନାର୍ଜୀ । ପ୍ରାଥମିକ ଟ୍ରେଣ୍ଡରୁ ଏହା ସାମ୍ନାକୁ ଆସିଛି । ନନ୍ଦିଗ୍ରାମରେ ପଛରେ ଅଛନ୍ତି ମୁଖ୍ୟମନ୍ତ୍ରୀ ତଥା ଟିଏମସି ନେତ୍ରୀ ମମତା ବାନାର୍ଜୀ । ଏଠାରେ ଆଗରେ ରହିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ପୂର୍ବରୁ ବିଭିନ୍ନ ସଂସ୍ଥା ଦ୍ବାରା କରାଯାଇଥିବା ଏକଜିଟ୍ ପୋଲରେ ଦିଦିଙ୍କ ସପକ୍ଷରେ ଯାଇଥିବା ବେଳେ ଦୁଇଟି ସର୍ଭେ ସରକାର ପରିବର୍ତ୍ତନର ଇସାରା କରିଥିଲେ। ବେଙ୍ଗଲରେ ଟିଏମସି ପୁଣି ପାଓ୍ବାରକୁ ଫେରିବ ନାଁ ପରିବର୍ତ୍ତନ ହେବ ତାହା ଆଉ କିଛି ସମୟ ପରେ ଜଣାପଡ଼ିବ।
ବିଭିନ୍ନ କାରଣ ପାଇଁ ପଶ୍ଚିମବଙ୍ଗ ନିର୍ବାଚନ ଚର୍ଚ୍ଚାରେ ଥିଲା। ଏହା ମଧ୍ୟରୁ ନନ୍ଦିଗ୍ରାମ ବିଧାନସଭା ଆସନ ସମସ୍ତଙ୍କ ନଜରରେ ଥିଲା। କାରଣ ଏଠାରୁ ଟିଏମସି ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲଢ଼ିଥିବା ବେଳେ ଟିଏମସିରୁ ବିଜେପିକୁ ଆସିଥିବା ଏବଂ ଦିନେ ଦିଦିଙ୍କ ବିଶ୍ବସ୍ତ ଥିବା ନେତା ଶୁଭେନ୍ଦୁ ଅଧିକାରୀ ପ୍ରାର୍ଥୀ ହୋଇଥିଲେ। ୨ ଦିନ ତଳେ ଇଣ୍ଡିଆ ଟିଭି ଦ୍ବାରା କରାଯାଇଥିବା ସର୍ଭେ ରିପୋର୍ଟ କହିଥିଲା ଯେ, ଯେ ବେଙ୍ଗଲରେ ବିଜେପି ସରକାର କରିବ ତାହା ନୁହେଁ ବରଂ ନନ୍ଦିଗ୍ରାମରୁ ମମତା ବାନାର୍ଜୀ ହାରିବେ ବୋଲି ଦାବି ମଧ୍ୟ କରିଛି । ନିର୍ବାଚନ ବେଳେ ଶୁଭେନ୍ଦୁ ଅଧିକାରୀ ଦାବି କରିଥିଲେ ସେ ମମତାଙ୍କୁ ୫୦ ହଜାରରୁ ଅଧିକ ଭୋଟ୍ରେ ହରାଇବେ । ତେବେ ଶୁଭେନ୍ଦୁ ଅଧିକାରୀଙ୍କ ଦାବି ଏବଂ ଏହି ଏକ୍ଜିଟ୍ ପୋଲ୍ ସତ ହେବ କି ନାହଁ ତାହା ଆଉ କିଛି ଘଣ୍ଟା ପରେ ସ୍ପଷ୍ଟ ହୋଇଯିବ ।