ଶ୍ରୀଜଗନ୍ନାଥଙ୍କ ରଥର ନାଁ ‘ନନ୍ଦିଘୋଷ’ ! ଜାଣନ୍ତୁ କିଛି ଜଣା ଅଜଣା କଥା…
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥର ନାମ ହେଉଛି ‘ନନ୍ଦିଘୋଷ’। ଏହି ରଥକୁ ମଧ୍ୟ ଚକ୍ରଧ୍ୱଜ ବା ଗରୁଡ ଧ୍ୱଜ ନାମରେ ଶାସ୍ତ୍ରରେ କୁହାଯାଇଛି। ତେବେ ଆସନ୍ତୁ ଜାଣିବା ଭାବ ବିନୋଦିଆର ସେଇ ରଥର କିଛି ଜଣା ଓ ଅଜଣା କଥା
‘ନନ୍ଦି’ ଆଉ ‘ଘୋଷ’। ଏ ଦୁଇ ଶବ୍ଦର ମିଶ୍ରଣରେ ସୃଷ୍ଟି ହୋଇଛି ନନ୍ଦିଘୋଷ। ‘ନନ୍ଦି’ ହେଉଛନ୍ତି ଭଗବାନ ଶିବଙ୍କ ବାହନ ଓ ‘ଘୋଷ’ ହେଉଛି ଗର୍ଜନ। ନନ୍ଦିଙ୍କ ଗର୍ଜନରୁ ରଥର ନାମ ହୋଇଛି ‘ନନ୍ଦିଘୋଷ’। ତ୍ରେତୟା ଯୁଗର ଏକ କଥା ସହ ନନ୍ଦିଘୋଷ ଶବ୍ଦଟି ଜଡ଼ିତ। ରାବଣ ବିରୋଧରେ ଯୁଦ୍ଧ ଘୋଷଣା କରିବା ପରେ ଭଗବାନ ରାମଙ୍କ ସହ ଥିବା ବାନର ଓ ଭଲ୍ଲୁକମାନେ, ଯୁଦ୍ଧର ରଣନୀତି ପ୍ରସ୍ତୁତ କରୁଥାନ୍ତି। ଏହି ସମୟରେ ଇନ୍ଦ୍ର ଦେବତା ମଧ୍ୟ ଭଗବାନ ରାମଙ୍କୁ ସହାୟତା କରିବା ପାଇଁ ଚିନ୍ତା କରନ୍ତି। ପ୍ରଭୁ ରାମ ବନବାସୀ ହୋଇଥିବାରୁ, ତାଙ୍କ ପାଖରେ ରଥ ନ ଥାଏ। ଏଣୁ ରଥଟିଏ ପ୍ରଦାନ କରନ୍ତି ଦେବରାଜ ଇନ୍ଦ୍ର। ହେଲେ ରାବଣର ସୈନ୍ୟଙ୍କୁ ପରାସ୍ତ କରିବା ରାମଙ୍କ ପକ୍ଷେ ସମ୍ଭବ ହୁଏନାହିଁ। ଏହି ସମୟରେ ବିଷ୍ଣୁରୂପୀ ଶ୍ରୀରାମଙ୍କୁ ସହାୟତା କରିବା ପାଇଁ ଭଗବାନ ଶିବ ନିଜ ବାହନ ‘ନନ୍ଦି’ଙ୍କୁ ପ୍ରେରଣ କରନ୍ତି। ନନ୍ଦିଙ୍କୁ ଧାରଣ କରିବାର ଶକ୍ତି କାହାର ନ ଥିବାରୁ, ବିଷ୍ଣୁଙ୍କ ସୁଦର୍ଶନ ଚକ୍ରରେ ସ୍ଥାପିତ ହୁଅନ୍ତି ନନ୍ଦି। ଦୁଇ ମହାଶକ୍ତି ଏକାଠି ହୁଏ। ସୁଦର୍ଶନଙ୍କ ଘୂର୍ଣ୍ଣନ ବେଳେ ନନ୍ଦିଙ୍କ ଅବସ୍ଥାନ ଯୋଗୁ, ନନ୍ଦି ଭୀଷଣ ଗର୍ଜନ କରନ୍ତି। ସେହି ଗର୍ଜନ ଫଳରେ ରାବରଣ ଅର୍ଦ୍ଧାଧିକ ସୈନ୍ୟ ପ୍ରାଣ ହରାନ୍ତି ଓ ଶ୍ରୀରାମଙ୍କ ବିଜୟପଥ ସୁଗମ ହୁଏ। ଏଣୁ ଇନ୍ଦ୍ରଙ୍କ ପ୍ରଦତ୍ତ ଏହି ରଥର ନାମ ହୁଏ ‘ନନ୍ଦିଘୋଷ’।
ନନ୍ଦିଘୋଷର ଅନ୍ୟ ନାମ ହେଉଛି ଚକ୍ରଧ୍ଵଜ ବା ଗରୁଡ ଧ୍ଵଜ ଯହା ଉପରେ ବିରାଜମାନ ହୁଅନ୍ତି ମହାପ୍ରଭୁ । ମହାପ୍ରଭୁଙ୍କ ରଥର ଉଚ୍ଚତା ରହିଛି ୪୫ଫୁଟ ୬ଇଞ୍ଚ । ବଡ଼ଠାକୁରଙ୍କ ରଥ ପ୍ରସ୍ତୁତ କରିବାକୁ କାରିଗରମାନଙ୍କ କଷ୍ଟ ବି କହିଲେ ନସରେ ୪୫ଫୁଟ୍ ଉଚ୍ଚ ପ୍ରସ୍ତୁତ କରିବାକୁ ମହାରଣାମାନେ ପ୍ରାଣ ପଣେ ପ୍ରୟାସ କରନ୍ତି । ଏହି ରଥ ୭୪୨ଖଣ୍ଡ କାଠରେ ପ୍ରସ୍ତୁତ ହୁଏ । ପ୍ରଥମେ ନନ୍ଦିଘୋଷର ୧୬ଟି ଯାକ ଚକ ତିଆରି କରାଯାଏ ।
ତେବେ ରଥରେ କେବଳ କାଳିଆ ଯାଆନ୍ତି ନାହିଁ ସେହି ରଥରେ ଥାନ୍ତି ଅନେକ ଦେବା ଦେବୀ । ସେହିପରି ରଥ ଧ୍ୱଜାରେ ରୁହନ୍ତି ଭକ୍ତଙ୍କ ଭକ୍ତ ପ୍ରଭୁ ହନୁମାନ, ରଥର ଆୟୁଧ ହେଉଛନ୍ତି ଶଙ୍ଖ ଓ ଚକ୍ର ।
ଭାବ ବିନୋଦିଆର ରଥର ଆବରଣ ପୀତ ଓ ଲୋହିତ ବର୍ଣ୍ଣ । ଏବଂ ମହାପ୍ରଭୁଙ୍କ ରଥର ସାରଥି ସାଜି ମାଉସୀ ମାଆଙ୍କ ଘରକୁ ନେଇ ଯାଆନ୍ତି ସାରଥି ଦାରୁକା । ରଥର ୪ଟି ଘୋଡ଼ାର ବର୍ଣ୍ଣ ଧଳା ଏବଂ ସେହି ଅଶ୍ଵମାନକଙ୍କର ନାମ ହେଉଛି ଶଙ୍କ,ବଳାହକ,ଶ୍ଵେତ,ହରିଦ୍ଵାଶ । ଏହି ଅଶ୍ଵର ଅନ୍ୟନାମ ସୌବ୍ୟ,ସୁଗ୍ରୀବ,ମେଘ,ପୁଷ୍ପ,ବଳାହକ ।
ଆଉ ରଥ କେମିତ ସୁରକ୍ଷିତ ପହଞ୍ଚାଇ ତାର ସବୁ ଦାୟିତ୍ତ୍ୱ ଥାଏ ଇନ୍ଦ୍ରଙ୍କ ହାତରେ କାରଣ ରଥର ରକ୍ଷକ ହେଉଛନ୍ତି ପ୍ରଭୁ ଇନ୍ଦ୍ର । ଏବଂ ରଥାଧିପ ବାନତେୟ । ରଥର ଦେବତା ନୃସିଂହ ହୋଇଥିବା ବେଳେ ରଥର ଦେବୀ ହେଉଛନ୍ତି ଯୋଗମାୟା ।
ଯାହା ସାହାଯ୍ୟରେ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ଯାଏ ଗଡ଼ି ଗଡ଼ି ଯାଏ ଯେଉଁ ଦଉଡ଼ି ଭକ୍ତଙ୍କ ଭକ୍ତିରେ ତିଆରି ହୋଇଥାଏ ତାହାର ନାମ ହେଉଛି ଶଙ୍ଖଚୁଡ ନାମୀ ନାଗୁଣୀ । ରଥର ଯେଉଁ ମୁଖରୁ ମହାପ୍ରଭୁ ମୁରୁକି ହସି ଭକ୍ତଙ୍କ ଭାବକୁ ବୁଝିଥାନ୍ତି ରଥର ସେହି ମୁଖର ନାମ ହେଉଛି ନନ୍ଦିମୁଖ ।