ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା : ଆଜି ସଂସଦରେ ବିବୃତ୍ତି ରଖିବେ କେନ୍ଦ୍ର ଗୃହମନ୍ତ୍ରୀ
ନୂଆଦିଲ୍ଲୀ: ନାଗାଲାଣ୍ଡ ଗୁଳିକାଣ୍ଡ ନେଇ ଆଜି ସଂସଦର ଉଭୟ ଗୃହରେ ବିବୃତ୍ତି ରଖିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଲୋକସଭାରେ ଅପରାହ୍ନ ୩ଟା ବେଳେ ଶାହା ବିବୃତ୍ତି ରଖିବା ବେଳେ ଏହାର ଏକଘଣ୍ଟା ପରେ ଅପରାହ୍ନ ୪ ଟାରେ ରାଜ୍ୟସଭାରେ ନିଜ ମତ ରଖିବେ । ନାଗାଲାଣ୍ଡ ଗୁଳିକାଣ୍ଡ ଆଲୋଚନା ପାଇଁ ଆଜି ସକାଳୁ ବିରୋଧୀ ସ୍ଥଗିତାଦେଶ ପ୍ରସ୍ତାବ ନୋଟିସ ଜାରି କରିଛନ୍ତି ।
ସୂଚନା ଯେ, ଶନିବାର ରାତି ପ୍ରାୟ ୪ଟା ସମୟରେ ଦେଶର ଉତର-ପୂର୍ବ ରାଜ୍ୟ ନାଗାଲାଣ୍ଡରେ ସେନା ଗୁଳି ଚଳାଇବାରୁ ୧୩ ଜଣ ଗ୍ରାମବାସୀ ଏବଂ ଜଣେ ଯବାନଙ୍କ ମୃତ୍ୟୁ ଘଟିଛି । ମୋନ ଜିଲ୍ଲାର ଓଟିଙ୍ଗର ତିରୁ ଗାଁରେ ଏହି ଘଟଣା ଘଟିଛି । କ୍ରୋଧିତ ଲୋକମାନେ ସୁରକ୍ଷା ବାହିନୀର ଅନେକ ଗାଡ଼ିରେ ନିଆଁ ଲଗାଇବାକୁ ଚେଷ୍ଟା କରିଥିଲେ । ଏହି ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି । ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନେଫ୍ୟୁ ରିଓ ନିର୍ଦ୍ଦେଶ ଦେଇଛନ୍ତି । ସେ ଅନୁସନ୍ଧାନ ପାଇଁ ଏସଆଇଟି ଗଠନ କରିଛନ୍ତି ।