ଇସ୍ରାଏଲ୍ର ପ୍ରଧାନମନ୍ତ୍ରୀ ହେଲେ ନଫତାଲୀ ବେନେଟ୍
ନୂଆଦିଲ୍ଲୀ : ନଫ୍ତାଲୀ ବେନେଟ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ସଂସଦରେ ବହୁମତ ହାସଲ କରିବା ପରେ ଦକ୍ଷିଣପନ୍ଥୀ ଯାମିନା ପାର୍ଟିର ୪୯ ବର୍ଷୀୟ ନେତା ଓ ପୂବତନ କମାଣ୍ଡର ବେନେଟ ଶପଥ ଗ୍ରହଣ କରିଛନ୍ତି । ୨୦୨୩ ପର୍ଯ୍ୟନ୍ତ ନଫତାଲୀ ବେନେଟ ଦେଶର ପ୍ରଧାନମନ୍ତ୍ରୀ ଭାବେ ରହିବେ । ଏଥିସହିତ ଇସ୍ରାଏଲ୍ରେ ସରିଲା ବେଞ୍ଜାମିନ ନେତନ୍ୟାହୁଙ୍କ ଶାସନ । ୧୨ବର୍ଷର ପ୍ରଧାନମନ୍ତ୍ରୀ କାର୍ଯ୍ୟକାଳରେ ଅନ୍ତ ହୋଇଛି ।
ସୂଚନା ଯେ, ରବିବାର ଦିନ ଇସ୍ରାଏଲ୍ ସଂସଦରେ ପ୍ରଧାନମନ୍ତ୍ରୀ ପଦ ପାଇଁ ବହୁମତ ହୋଇଥିଲା । ଏଥିରେ ୭୧ବର୍ଷୀୟ ନେତନ୍ୟାହୁ ବହୁମତ ସାବ୍ୟସ୍ତ କରିପାରିନଥିଲେ । ଯାହାଫଳରେ ୧୨ବର୍ଷ ଧରି ଇସ୍ରାଇଲ୍ରେ ଶାସନ ଗାଦିରେ ବସିଥିବା ନେତ୍ନ୍ୟାହୁଙ୍କୁ ଏବେ ପଦ ହରାଇବାକୁ ପଡିଛି । ସେହିପରି ୪୯ବର୍ଷୀୟ ଦକ୍ଷିଣ ପନ୍ଥୀ ନେତା ନଫତାଲୀ ବେନେଟ ସଂସଦରେ ବହୁମତ ହାସଲ କରିଛନ୍ତି । ଯାହାପରେ ରବିବାର ଦିନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ନୂତନ ସରକାରରେ ୨୭ଜଣ ମନ୍ତ୍ରୀ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୯ଜଣ ମହିଳା ରହିଛନ୍ତି । ନଫତାଲୀ ବେନେଟ ୧୨୦ଜଣ ସଦସ୍ୟଙ୍କ ମଧ୍ୟରୁ ସଂସଦରେ ୬୧ଜଣ ସଂସଦଙ୍କ ବହୁମତ ମିଳିଛି । ସାମାନ୍ୟ ବହୁମତ ସହ ସରକାର ଗଢିଛନ୍ତି ନଫତାଲୀ ବେନେଟ । ଏହାପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚରେ ହୋଇଥିବା ନିର୍ବାଚନରେ ନେତନ୍ୟାହୁଙ୍କ ଲିକୁଡ଼ ପାର୍ଟି ବହୁମତ ହାସଲ କରିପାରିନଥିଲା । ଯାହାଫଳରେ ଗତ ୨ବର୍ଷ ମଧ୍ୟରେ ୪ଥର ନିର୍ବାଚନ ହୋଇସାରିଛି । ଦେଶରେ ସବୁଠାରୁ ବଡ଼ ପାର୍ଟି ହେବା ପରେ ମଧ୍ୟ ନେତ୍ନ୍ୟାହୁଙ୍କ ସରକାର ଚଳାଇବାକୁ ହେଲେ ୨ଜୁନ୍ ପର୍ଯ୍ୟନ୍ତ ବହୁମତ ସାବ୍ୟସ୍ତ କରିବାକୁ ରାଷ୍ଟ୍ରପତି ନିର୍ଦ୍ଦେଶ ଦେଇଥିଲେ । ସେପଟେ ନେତନ୍ୟାହୁଙ୍କ ବିରୋଧୀ ଦଳ ଏକାଠି ହୋଇଥିଲେ , ଏବଂ ମହାମେଣ୍ଟ ଗଠନ କରିଥିଲେ । ଏଥିରେ ଇସ୍ରାଏଲ୍ରେ ଅରବ ସମୁଦାୟର ଲୋକମାନଙ୍କ ପ୍ରତିନଧିତ୍ୱ କରୁଥିବା ପାର୍ଟି ଇସ୍ଲାମୀ ପାର୍ଟି ମଧ୍ୟ ସାମିଲ ଅଛି ।
ନୂଆ ପ୍ରଧାନମନ୍ତ୍ରୀ ନଫତଲୀ ବେନେଟ୍ ଆମେରିକୀୟ ପ୍ରବାସୀ ମାତା-ପିତାଙ୍କ ସନ୍ତାନ ଅଟନ୍ତି । ସେ ଇସ୍ରାଏଲ ସେନାର କମାଣ୍ଡୋ ରହିସାରିଛନ୍ତି । ସେ ଜଣେ କୋଟିପତି ହୋଇଥିବା ବେଳେ ଡିଜିଟାଲ ଦୁନିଆରେ ସଫଳ ମଧ୍ୟ । ସେ ମାର୍ଚ୍ଚ ୧୯୭୨ରେ ହାଇଫା ସହରରେ ଜନ୍ମ ଲାଭ କରିଥିଲେ । ସେ ପାଲେଷ୍ଟାଇନ୍ ନାଗରିକଙ୍କ ପ୍ରତି ଅଧିକ କଠୋର ହେବେ ବୋଲି ଅନୁମାନ କରାଯାଉଛି । ଇସ୍ରାଏଲର ବିରୋଧୀ ମିଳିତ ମଞ୍ଚର ପ୍ରଧାନମନ୍ତ୍ରୀ ହୋଇଥିବା ନଫତାଲୀ ବେନେଟ୍ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀର କମାଣ୍ଡୋ ଭାବରେ କାର୍ଯ୍ୟ କରିଛନ୍ତି। ୨୦୦୬ ରେ, ସେ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନେତୃତ୍ୱରେ ରାଜନୀତିରେ ପ୍ରବେଶ କରିଥିଲେ। ଏହା ପରେ ତାଙ୍କୁ ନେତାନ୍ୟାହୁଙ୍କ ଚିଫ୍ ଷ୍ଟାଫ୍ ଭାବରେ ନିଯୁକ୍ତ କରାଯାଇଥିଲା। ପରେ ସେ ନ୍ୟୁ ରାଇଟ୍ ଏବଂ ୟାମିନା ପାର୍ଟିର କେନ୍ସେଟର ସଦସ୍ୟ ମଧ୍ୟ ହୋଇଥିଲେ। ୨୦୧୨ ରୁ ୨୦୨୦ ମଧ୍ୟରେ ସେ ୫ ଥର ସାଂସଦ ରହିଛନ୍ତି। ପରେ ସେ ନେତାନ୍ୟାହୁଙ୍କ ବିରୋଧୀ ହୋଇଯାଇଥିଲେ। ୨୦୧୯ ରୁ ୨୦୨୦ ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ଥିବା ନଫତାଲୀ, ଇରାନ ଏବଂ ପାଲେଷ୍ଟାଇନ ପ୍ରସଙ୍ଗରେ ନେତାନ୍ୟାହୁଙ୍କ ଅପେକ୍ଷା ଅଧିକ କଠୋର ବୋଲି ଜଣାପଡିଛି ।