କଂଗ୍ରେସ କର୍ମୀ ସମ୍ମିଳନୀରେ ଏକଜୁଟ୍ ହୋଇ କାମ କରିବାକୁ ଆହ୍ୱାନ ଦେଲେ ନବଜ୍ୟୋତି
କଂଗ୍ରେସ ଦଳକୁ ଚିଲ ସହ ତୁଳନା କଲେ କଂଗ୍ରେସ ମଜବୁତ୍ ହେଲେ ଲୋକଙ୍କ ସମସ୍ୟା ହଟିବ
ବାଲେଶ୍ୱର : ସରକାର ଲୋକଙ୍କୁ ମାଗଣା ଯୋଜନାରେ ଚାଉଳ, ଛତା, ଜୋତା ଆଦି ପ୍ରଦାନ କରି ଭୋଟ୍ ନେଉଛନ୍ତି । କିନ୍ତୁ ବେକାର ବୁଲୁଥିବା ଉଚ୍ଚଶିକ୍ଷିତ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତିର ସୁଯୋଗ ସୃଷ୍ଟି କରୁନାହାଁନ୍ତି । ଓଡ଼ିଆ ଯୁବକ ଆଉ କେତେଦିନ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଥିବେ, ସେମାନଙ୍କୁ ନିଜ ରାଜ୍ୟରେ ଚାକିରି, ଆତ୍ମ ନିଯୁକ୍ତିର ସୁଯୋଗ କେବେ ମିଳିବ ଏବଂ ସମ୍ମାନର ସହ ମୁଣ୍ଡଟେକି ଓଡ଼ିଆ ଯୁବକଟିଏ କେବ ବଂଚିବ? ଆଜି ଏହି ପ୍ରଶ୍ନ ପ୍ରତ୍ୟେକ ଯୁବକଯୁବତୀଙ୍କ ମନରେ ଉଙ୍କି ମାରୁଥିବା ବେଳେ ନିଜନିଜ ଅଂଚଳର ନିର୍ବାଚିତ ଲୋକ ପ୍ରତିନିଧିଙ୍କୁ ଏହା ପଚାରିବା ଦରକାର ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ଯୁବନେତା ନବଜ୍ୟୋତି ପଟ୍ଟନାୟକ । ଆଜି ବାଲେଶ୍ୱର ସଦର ବ୍ଲକର ୨୫ ନମ୍ବର ଜିଲ୍ଲା ପରିଷଦ ଜୋନର ବୁଆଁଳ ଗ୍ରାମପଂଚାୟତରେ କଂଗ୍ରେସ ପକ୍ଷରୁ ଆୟୋଜିତ କର୍ମୀ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ କେବଳ କଂଗ୍ରେସ ହିଁ, ଗାଁ ଗହଳିର ବିକାଶ, ଜନସାଧାରଣଙ୍କ ସମସ୍ୟା ଏବଂ ଯୁବକଯୁବତୀଙ୍କ ପାଇଁ ନିଯୁକ୍ତି ଓ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିପାରିବ ବୋଲି କହିଥିଲେ । ତେଣୁ ଦଳକୁ ତୃଣମୂଳସ୍ତରରୁ ମଜବୁତ କରିବାକୁ ପଡ଼ିବ । କଂଗ୍ରେସ କର୍ମୀମାନେ ଯେତେ ଏକଜୁଟ ହୋଇ କାମ କରିବେ ଦଳ ସେତେ ମଜବୁତ ହେବ ଏବଂ ଜନସାଧାରଣଙ୍କ ସମସ୍ୟାକୁ ଆଗକୁ ଆଣିପାରିବ ବୋଲି କହିଥିଲେ । ଏଥିସହ ଶ୍ରୀ ପଟ୍ଟନାୟକ କଂଗ୍ରେସ ଦଳକୁ ଉଚ୍ଚ ଆକାଶର ଚିଲ ସହ ତୁଳନା କରି କହିଥିଲେ । ୭୦ ବର୍ଷ ଧରି ବଂଚି ରହୁଥିବା ଚିଲ ପକ୍ଷୀର ଯେପରି ସମୟ ଆସିଲେ ନୂଆ ନଖ, ପର ଓ ଥଂଟ ସୃଷ୍ଟି ହୋଇଥାଏ ଏବଂ ପୂର୍ବଭଳି ତାର ଶିକାର ସେ ଜାରି ରଖିଥାଏ, ଠିକ୍ ସେହିପରି ୭୦ ବର୍ଷ ଧରି ଶାସନ କରିଥିବା ସଂଗଠନ ନିଜକୁ ଦୁର୍ବଳ ମନେ ନକରି ନିଜକୁ ପୁଣିଥରେ ଶକ୍ତିଶାଳୀ କରିବାକୁ ପଡ଼ିବ ବୋଲି ସେ ଆହ୍ୱାନ ଦେଇଥିଲେ । ସଦର ବ୍ଲକ କଂଗ୍ରେସ ତରଫରୁ ଏକ ବିରାଟ ପଟୁଆରରେ ଶ୍ରୀ ପଟ୍ଟନାୟକଙ୍କୁ ଦଳର କର୍ମୀମାନେ ସଭାସ୍ଥଳକୁ ପାଛୋଟି ନେଇଥିଲେ । ସଦର ବ୍ଲକ୍ କଂଗ୍ରେସ ସଭାପତି ଜୟକୃଷ୍ଣ ବେହେରାଙ୍କ ଅଧ୍ୟକ୍ଷତାରେ ଏହି କର୍ମୀ ସମ୍ମିଳନୀରେ ଜିଲ୍ଲା ସଭାପତି ସଂଜୀବ ଗିରି, ପିସିସି ସମ୍ପାଦକ ଅର୍ଚ୍ଚନା ନଦୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞାପାରମିତା ମହାନ୍ତି, ଶ୍ରମିକ ନେତା ବିକାଶ ଦାସ ପ୍ରମୁଖ ତୃଣମୂଳସ୍ତରରେ କଂଗ୍ରେସର ସଂଗଠନକୁ ସୁଦୃଢ଼ କରିବାପାଇଁ କର୍ମୀଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ୨୫ ନଂ ଜୋନ୍ର ଜିଲ୍ଲା ପରିଷଦ କଂଗ୍ରେସ ପ୍ରାର୍ଥୀ ଜୟକୃଷ୍ଣ ଦାସ, ଜିଲ୍ଲା କଂଗ୍ରେସ ଉପସଭାପତି ସେକ୍ କମୁଲ ଅଲ୍ଲୀ ଖାଁ, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ, ବିଜୟ କୁମାର ମାଝୀ, ବିଦ୍ୟାଧର ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାର ନେତୃତ୍ୱ ନେଇଥିଲେ ।