ଭୋଟର ଆଇଡି ଓ ଆଧାର ଲିଙ୍କରେ ରାଜ୍ୟରେ ପ୍ରଥମ ନବରଙ୍ଗପୁର
ନବରଙ୍ଗପୁର : ଭୋଟର ଆଇଡି ଓ ଆଧାର ଲିଙ୍କରେ ନବରଙ୍ଗପୁର ଜିଲା ରାଜ୍ୟରେ ପ୍ରଥମ ହୋଇଛି । ଜିଲାର ୯୪.୦୭ ପ୍ରତିଶତ ଭୋଟରଙ୍କ ଆଧାର ଲିଙ୍କ୍ ହୋଇସାରିଛି । ଆଉ ବଳକା ଭୋଟରଙ୍କ ଆଧାର ଲିଙ୍କ୍ ଯଥାଶୀଘ୍ର ଶେଷ ହେବ ବୋଲି ଜିଲାପାଳ ଡ. କମଳଲୋଚନ ମିଶ୍ର ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ କରିବା ସମୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଭୋଟର ତାଲିକାରେ କାହାର ଆପତ୍ତି ଅଭିଯୋଗ ଥିଲେ ଆସନ୍ତା ଡିସେମ୍ବର ୮ ତାରିଖ ମଧ୍ୟରେ ସଂଶୋଧନ କରିପାରିବେ । ଚୂଡ଼ାନ୍ତ ଭୋଟର ତାଲିକା ୨୦୨୩ ଜାନୁଆରୀ ୫ ତାରିଖରେ ପ୍ରକାଶ ପାଇବ । ଭୋଟର ତାଲିକା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କରାଯାଇଛି । ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୧ଲକ୍ଷ ୯୬ହଜାର ୭୩୭, ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ୧୫ହଜାର ୨୯୨, ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୩୪ହଜାର ୭୮୬ ଓ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨ଲକ୍ଷ ୦୩ହଜାର ୬୪୬ ଜଣ ଭୋଟରଙ୍କ ସମେତ ଜିଲ୍ଲାରେ ମୋଟ୍ ୮ଲକ୍ଷ ୫୦ହଜାର ୪୬୧ଜଣ ଭୋଟର ଅଛନ୍ତି । ଏଣିକି ଭୋଟର ସଂଶୋଧନ ତାଲିକା ବର୍ଷକୁ ୪ଥର ଏପ୍ରିଲ ୧, ଜୁଲାଇ ୧, ଅକ୍ଟୋବର ୧ ଓ ଜାନୁଆରୀ ୧ରେ ପ୍ରକାଶ ପାଇବ ବୋଲି ନିର୍ବାଚନ କମିଶନ ସ୍ଥିର କରିଥିବା ଜିଲ୍ଲାପାଳ ଡା. ମିଶ୍ର ସୂଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ଉପଜିଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।