ନବଦାସ ହତ୍ୟାକାଣ୍ଡ ଘଟଣା : ଆଜି ଝାରସୁଗୁଡ଼ା ଏଡ଼ିଜେ କୋର୍ଟରେ ହାଜର ହେବ ଅଭିଯୁକ୍ତ ଗୋପାଳ

ଝାରସୁଗୁଡ଼ା : ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ନାଁରେ ବୁଧବାର ଝାରସୁଗୁଡ଼ା ଅତିରିକ୍ତ ଜିଲା ଦୌରା ଜଜ୍ (ଏଡ଼ିଜେ) କୋର୍ଟରେ ଚାର୍ଜ ଫ୍ରେମ କରାଯିବ। ଫଳରେ ଝାରସୁଗୁଡ଼ା ଏଡ଼ିଜେ କୋର୍ଟରେ ହାଜର ହେବ ଗୋପାଳ । କଡ଼ା ସୁରକ୍ଷାରେ ଚୌଦ୍ବାର ଜେଲରୁ ଝାରସୁଗୁଡ଼ାକୁ ନିଆଯିବ।
ସୂଚନା ଯେ, ଗତ ଜାନୁଆରୀ ୨୯ରେ ଗୁଳିକରି ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ । ଗୋପାଳ ନାଁରେ କ୍ରାଇମବ୍ରାଞ୍ଚ କରିଥିବା ଅଭିଯୋଗ ପତ୍ର ଗତ ଜୁଲାଇ ୨୬ ତାରିଖରେ ସେସନ୍ସ କୋର୍ଟରେ ଦାଖଲ ସମୟରେ ଗୋପାଳ ଦାସକୁ କୋର୍ଟରେ ହାଜର କରାଯାଇଥିଲା। ସେହିଦିନ ଏହି ମାମଲାର ଶୁଣାଣି ଅତିରିକ୍ତ ଜିଲ୍ଲା ଦୌରାଜଜ୍ କରିବେ ବୋଲି ସେସନ୍ସ ଜଜ୍ ନିର୍ଦ୍ଦେଶ ଦେଇଥିଲେ । ଆଜି ଗୋପାଳ ନାଁରେ ଚାର୍ଜଫ୍ରେମ କରିବାକୁ ଅଦାଲତ ଦିନ ଧାର୍ଯ୍ୟ କରିଥିଲେ। ସେଥିପାଇଁ କଡା ସୁରକ୍ଷା ବଳୟରେ ଆଜି ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଚୌଦ୍ୱାର ଜେଲରୁ ଝାରସୁଗୁଡ଼ା ଅଣାଯାଇଛି। ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଛି ।
ଏହାରି ଭିତରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହତ୍ୟାକଣ୍ଡ ସମ୍ପର୍କରେ ଅନ୍ତରୀଣ ଚାର୍ଜସିଟ କୋର୍ଟରେ ମେ ୨୬ ତାରିଖରେ ଦାଖଲ କରି ସାରିଛି କ୍ରାଇମବ୍ରାଞ୍ଚ । ଗତ ଜୁଲାଇ ୧୩ ତାରିଖରେ ଗୋପାଳକୁ ଜେଏମଏଫସି କୋର୍ଟରେ ପ୍ରଥମ ଥର ପାଇଁ ହାଜର କରାଯାଇଥିଲା। ସୁରକ୍ଷା ଦୃଷ୍ଟିରୁ ଗୋପାଳକୁ ଚୌଦ୍ୱାର ଜେଲରେ ରଖାଯାଇ ଥିବା ବେଳେ ଆଜି ତୃତୀୟ ଥର ପାଇଁ କୋର୍ଟରେ ହାଜିରା ଦେବାକୁ ଅଣାଯାଉଛି। ଗୋପାଳ ନାଁରେ ଆଜି ଚାର୍ଜଫ୍ରେମ ହେବା ପରେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ।