ନବ ଦାସ ହତ୍ୟାକଣ୍ଡ ଘଟଣା : ଆଜି ଭିଡିଓ କନଫେରେନସିଂରେ ହାଜର ହେବ ଗୋପାଳ

ଝାରସୁଗୁଡା : ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟାକଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ନାଁରେ ଆଜି ଅତିରିକ୍ତ ଜିଲା ଦୌରାଜଜ୍ କୋର୍ଟରେ ଶୁଣାଣି କରାଯିବ। ଭିଡିଓ କନଫେରେନସିଂ ମାଧ୍ୟମରେ ଅଭିଯୁକ୍ତ ଗୋପାଳ ଦାସକୁ ହାଜର କରାଯିବ ।
ସୂଚନା ଯେ, ବର୍ତ୍ତମାନ ଗୋପାଳ ଚୌଦ୍ୱାର ଜେଲରେ ରହିଛି । ଏହା ପୂର୍ବରୁ ଦୁଇଥର ଗୋପାଳକୁ କୋର୍ଟରେ ବ୍ୟକ୍ତିଗତ ଭାବେ ହାଜର କରାଯାଇଥିଲା । କିନ୍ତୁ ଗତ ୯ ତାରିଖରେ ଅଭିଯୁକ୍ତ ଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ଓକିଲ ମହେଶ ଜେନା ନିଯୁକ୍ତ ହେବା ପରେ ତାଙ୍କ ପକ୍ଷରୁ ଡିସଚାର୍ଜ ପିଟିସନ ଦାଖଲ କରାଯାଇଥିଲା । ଏହି ପିଟିସନର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିବାକୁ କୋର୍ଟରେ ଆବେଦନ କରିଥିଲେ । ପୂର୍ବରୁ ଅଭିଯୁକ୍ତ ଗୋପାଳ ଦାସ ଓକିଲ ନ ଦେଉଥିବାରୁ ଷ୍ଟେଟ ଡିଫେନ୍ସ କାଉନସିଲରୁ ଓକିଲ ନରେଶ ନାୟକ ମାମଲା ପରିଚାଳନା କରୁଥିଲେ l ଡିଷ୍ଟ୍ରିକ୍ଟ ସେସନ ଜଜଙ୍କ ନିର୍ଦେଶରେ ଆଜି ଅତିରିକ୍ତ ଜିଲା ଦୌରା ଜଜଙ୍କ କୋର୍ଟରେ ଗୋପାଳ ପକ୍ଷରୁ କରାଯାଇଥିବା ଡିସଚାର୍ଜ ପିଟିସନ ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା ।