ଭିଜିଲାନ୍ସ ଜାଲରେ ପୌର ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୪ଟି ସ୍ଥାନରେ ଚଢାଉ
ଭବାନୀପାଟଣା : ଭିଜିଲାନ୍ସ ଜାଲରେ ପୌର ଉପ-କାର୍ଯ୍ୟନିର୍ବାହୀ ଯନ୍ତ୍ରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଳାହାଣ୍ଡି ଜିଲା ଭବାନୀପାଟଣା ପୌର ଉପ-କାର୍ଯ୍ୟନିର୍ବାହୀ ସମୀର ଠାକୁରଙ୍କ ବିଭିନ୍ନ ଠିକଣାରେ ଭିଜିଲାନ୍ସ ଚଢ଼ାଉ ହୋଇଛି । ଏକକାଳୀନ ୪ଟି ସ୍ଥାନରେ ଚାଲିଛି ଭିଜିଲାନ୍ସ ରେଡ୍। ଭବାନୀପାଟଣା ମ୍ୟୁନିସିପାଲିଟି ଅଫିସ, ମହାବୀରପଡ଼ା ସ୍ଥିତ ଘର, ବଜାରପଡ଼ା ବେଙ୍ଗାଲୁରୁ ବେକେରି ପାଖସ୍ଥିତ ତାଙ୍କ ଭଡ଼ାଘର ଓ ସମ୍ପର୍କୀୟ ଶଳା ଘରେ ଚାଲିଛି ଚଢାଉ । ଏହି ଚଢ଼ାଉରେ କୋରାପୁଟ ଭିଜିଲାନ୍ସ ଡିଭିଜନର ୪ଟି ଟିମ ସହ ଭବାନୀପାଟଣା ଭିଜିଲାନ୍ସ ଟିମ୍ ମଧ୍ୟ ସାମିଲ ହୋଇଛନ୍ତି ।
ସମୀର ଠାକୁର ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ଭବାନୀପାଟଣା ପୌର କାର୍ଯ୍ୟାଳୟରେ କାର୍ଯ୍ୟରତ ରହିଥିବା ବେଳେ ଆଜି ଭିଜିଲାନ୍ସ ବିଭାଗର ହାବୁଡ଼ରେ ପଡିଛନ୍ତି। ଚଢ଼ାଉ ପରେ ସମ୍ପତ୍ତିର ଆକଳନ କରାଯିବ ବୋଲି ଭିଜିଲାନ୍ସ ବିଭାଗ ସୂଚନା ଦେଇଛି। ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସକୁ ମିଳିଥିବା ସୂଚନା । ୫ ଜଣ ଡିଏସ୍ପି, ୬ ଜଣ ଇନ୍ସ୍ପେକ୍ଟର ଏବଂ ଅନ୍ୟ କର୍ମଚାରୀ ମିଶି ସହକାରୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ କରିଥିବା ଜଣାପଡ଼ିଛି।