ପୌର ନିର୍ବାଚନ : ଆଜିଠୁ ଜମିବ ପ୍ରଚାର
ଭୁବନେଶ୍ୱର : ପୌର ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟା ସାରିଛି । ପ୍ରାର୍ଥିପତ୍ର ଦାଖଲ ପରେ ଏବେ ମଇଦାନରେ ଆରମ୍ଭ ହେଲାଣି ପାଗଭିଡ଼ା । ଗତ ସୋମବାର ନାମାଙ୍କନ ପତ୍ର ଦାଖଲ ଶେଷ ହେବା ପରେ ମଙ୍ଗଳବାର ଠୁ ଜମିବ ପୌର ପ୍ରଚାର । ପୌରାଞ୍ଚଳ ଦଖଲ କରିବାକୁ ସବୁ ଦଳର ରଣନୀତି । ସହରରେ ହେବ ସମରସଜ୍ଜା । ଭୋଟରଙ୍କୁ ଆକୃଷ୍ଟ କରିବାକୁ ନୂଆନୂଆ ରଣନୀତି କରିବେ ରାଜନୈତିକ ଦଳ ।
ଚଳିତଥର ୫୯ଟି ବିଜ୍ଞାପିତ ଅଞ୍ଚଳ ପରିଷଦ, ୪୭ଟି ପୌର ପରିଷଦ ଏବଂ ୩ଟି ମହାନଗର ନିଗମର ୧୮୯୯ ଓ୍ବାର୍ଡର ୪ ହଜାର ୪୭୫ ବୁଥରେ ଆସନ୍ତା ୨୪ ତାରିଖରେ ହେବ ନିର୍ବାଚନ । ପୌର ନିର୍ବାଚନ ପାଇଁ ଆୟୋଗ ପ୍ରସ୍ତୁତ ଥିବା ବେଳେ ପ୍ରଚାର ମଇଦାନରେ ପ୍ରାର୍ଥୀ । ଘରକୁ ଘର ବୁଲି ନିଜ ସପକ୍ଷରେ ମାଗିବେ ଭୋଟ୍ । ଏଥର ମେୟର ଓ ଅଧ୍ୟକ୍ଷ ପଦ ପାଇଁ ବି ପ୍ରତ୍ୟକ୍ଷ ନିର୍ବାଚନ ହେଉଛି ଏଣୁ ଏହା ଉପରେ ସମସ୍ତଙ୍କର ନଜର ରହିଛି ।
ପୌରାଧ୍ୟକ୍ଷ, ମେୟର ପାଇଁ ୬୯୩, କାଉନ୍ ସିଲର ଏବଂ କର୍ପୋରେଟର ପାଇଁ ୬୪୫୯ ନାମାଙ୍କନ ଭରିଛନ୍ତି । ଶେଷ ଦିନରେ ସୋମବାର ୫୦୪୫ଜଣ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏଥିରେ ୫୦୪ ଜଣ ପୌରାଧ୍ୟକ୍ଷ ଏବଂ ମେୟର୍ ପଦ ପାଇଁ ଓ ୪୫୪୧ଜଣ କର୍ପୋରେଟର୍ ଏବଂ କାଉନସିଲର ପଦ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। କେବଳ କଟକ ମହାନଗର ନିଗମ ମେୟର ପଦବି ପାଇଁ ୩୦ ଜଣ ଓ ୫୯ଟି ୱାର୍ଡର କର୍ପୋରେଟର ପାଇଁ ୨୯୬ଟି ନାମାଙ୍କନ ଦାଖଲ ହୋଇଛି। ବିଜେଡି ୫୯ଟି ୱାର୍ଡରୁ ୫୯ ଜଣଙ୍କୁ କର୍ପୋରେଟର ପାଇଁ ଟିକେଟ ଦେଇଥିଲେ ବି ବିଜେଡି ପ୍ରାର୍ଥୀ ଦର୍ଶାଇ ୬୭ଟି ନାମାଙ୍କନ ଦାଖଲ ହୋଇଛି। ସେହିଭଳି ବିଜେପିରୁ ୬୨ଟି, କଂଗ୍ରେସରୁ ୬୦ଟି, ସିପିଆଇ(ଏମ୍ )ରୁ ୩ଟି, ସିପିଆଇରୁ ଗୋଟିଏ, ବିଏସ୍ ପିରୁ ୨ଟି ନାମାଙ୍କନ ଦାଖଲ ହୋଇଛି। ସ୍ବାଧୀନ ପ୍ରାର୍ଥୀ ଭାବେ ୧୦୧ଟି ପ୍ରାର୍ଥିପତ୍ର ଦାଖଲ ହୋଇଛି। ଶେଷ ଦିନରେ ତିନି ପ୍ରମୁଖ ଦଳର ଦଳୀୟ ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଥିବାରୁ ବିଭିନ୍ନ ଜାଗାରେ ପ୍ରବଳ ଗହଳି ପରିଲକ୍ଷିତ ହୋଇଥିଲା।
ତେବେ ଏହି ସବୁ ଆବେଦନଗୁଡ଼ିକ ଯାଞ୍ଚ କରାଯିବ। ବୁଧବାର ବୈଧ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ୧୪ ତାରିଖ ଅପରାହ୍ ଣ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିବା ପାଇଁ ସୁଯୋଗ ରହିବ। ସେହିଦିନ ଅପରାହ୍ନ ୫ଟା ଭିତରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ । ନାମାଙ୍କନ ପରେ ଆଜିଠୁ ଜମିବ ପ୍ରଚାର । ବିନା କୋଭିଡ କଟକଣାରେ ପୌର ନିର୍ବାଚନ ପ୍ରଚାର ହେବ । ରାଜ୍ୟରେ କୋଭିଡ ପଜିଟିଭିଟି ହାର ହ୍ରାସ ପାଇଥିବାରୁ ପୌର ନିର୍ବାଚନ ପ୍ରଚାରରେ କୌଣସ କରୋନା କଟକଣା ନାହିଁ। ଏହି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିସନର ।