ସରିଲା ପୌର ନିର୍ବାଚନ, ୬୫% ମତଦାନ
ଭୁବନେଶ୍ୱର : ସରିଲା ପୌରାଂଚଳ ନିର୍ବାଚନ । ଏନେଇ ପ୍ରେସ୍ମିଟ୍ କରି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍ ଆଦିତ୍ୟ ପ୍ରସାଦ ପାଢ଼ୀ । ଅଳ୍ପ କିଛି ସ୍ଥାନରେ ହିଂସା ଦେଖିବାକୁ ମିଳିଛି । ବାକି ସବୁ ସ୍ଥାନରେ ଶାନ୍ତିପୂର୍ଣ୍ଣ ଭୋଟିଂ ହୋଇଛି । ଉମରକୋଟରେ ଆସନ୍ତା କାଲି ରିପୋଲିଂ ହେବ । ଭଦ୍ରକ ଓ ଧାମନଗରରେ ହିଂସାକାଣ୍ଡ ହୋଇଛି । ରିପୋର୍ଟ ପାଇଁ ଅପେକ୍ଷା କରିଛୁ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ନିର୍ବାଚନ କମିଶନର୍ । ରିପୋର୍ଟ ଆସିବା ପରେ ସେଠାରେ ଭୋଟିଂ ହେବ କି ନାହିଁ ନିଷ୍ପତି ନିଆଯିବ ବୋଲି କହିଛନ୍ତି କମିଶନର୍ । ସାରା ରାଜ୍ୟରେ ୬୫% ମତଦାନ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ୫୦%, ବ୍ରହ୍ମପୁର ମହାନଗର ନିଗମରେ ୪୭% ଏବଂ କଟକ ମହାନଗର ନିଗମରେ ୬୫% ମତଦାନ ହୋଇଛି ବୋଲି ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି କମିଶନର ।
ମୋଟ ୧୦୬ଟି ପୌର ପରିଷଦ (୫୯ଟି ଏନଏସି, ୪୭ମ୍ୟୁନିସିପାଲଟି) ଏବଂ ୩ ଟି ମହାନଗର ନିଗମରେ ହାରାହାରି ୬୫ ପ୍ରତିଶତ ମତଦାନ ହୋଇଛି । ଭୁବନେଶ୍ୱର ମହାନଗର ନିଗମରେ ୫୦ ପ୍ରତିଶତ, କଟକ ମହାନଗର ନିଗମରେ ୬୫ ପ୍ରତିଶତ ଭୋଟିଂ ହୋଇଥିବା ବେଳେ ବ୍ରହ୍ମପୁର ମହାନଗର ନିଗମରେ ୪୭ ପ୍ରତିଶତ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି । ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଆଜି ସନ୍ଧ୍ୟାରେ ଏହି ସୂଚନା ଦେଇଛନ୍ତି । ଶ୍ରୀ ପାଢ଼ୀ କହିଛନ୍ତି ଯେ ନବରଂଗପୁର ଜିଲ୍ଲା ଉମରେକାଟ ପୌର ପରିଷଦର ୮ ନମ୍ବର ୱାର୍ଡରେ ଭୁଲ ବାଲଟ କାଗଜ ଯୋଗୁଁ ଚେୟାରପର୍ସନ ନିର୍ବାଚନକୁ ସ୍ଥଗିତ ରଖାଯାଇଛି । ଆସନ୍ତାକାଲି ଏଠାରେ ପୁନଃ ମତଦାନ ହେବ । କିଛି ସ୍ଥାନକୁ ବାଦ୍ ଦେଲେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି ବୋଲି ନିର୍ବାଚନ କମିଶନର ସୂଚନା ଦେଇଛନ୍ତି । ଅଳ୍ପ କିଛି ସ୍ଥାନରେ ପ୍ରାରମ୍ଭିକ ପର୍ଯ୍ୟାୟରେ ଇଭିଏମରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଭୋଟଗ୍ରହଣ ବିଳମ୍ବ ହୋଇଥିଲା । ପରବର୍ତୀ ସମୟରେ ସେ ସବୁ ସ୍ଥାନରେ ଭୋଟଗ୍ରହଣ ସ୍ୱାଭାବିକ ହୋଇଛି । ଭଦ୍ରକ ଓ ଧାମନଗରରେ ରି-ପୋଲ୍ କରାଯାଇପାରେ । ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି, ରିପୋର୍ଟ ମିଳିଲେ ପଦକ୍ଷେପ ନିଆଯିବ ବୋଲି ନିର୍ବାଚନ କମିଶନର କହିଛନ୍ତି । ଅପରପକ୍ଷରେ ୧୫ଟି ଜିଲ୍ଲାର ମୋଟ ୭୦ଟି ୱାର୍ଡରେ କାଉନସିଲର ପ୍ରାର୍ଥୀ ଓ ବ୍ରହ୍ମପୁର ମହାନଗର ନିଗମର ୩ଟି ୱାର୍ଡରେ କର୍ପୋରେଟର ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ୭୩ଟି ୱାର୍ଡରୁ ଗୋଟିଏ ଲେଖାଏଁ ଆସନ ବିଜେପି ଓ କଂଗ୍ରେସକୁ ଯାଇଥିବାବେଳେ ଦୁଇଟି ସ୍ୱାଧୀନ ଓ ବାକି ୬୯ଟି ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଗୁରୁବାର ରାଜ୍ୟର ୪୭ଟି ପୌର ପରିଷଦ ଓ ୫୯ଟି ଏନଏସି ଏବଂ ୩ଟି ମହାନଗର ନିଗମର ମୋଟ ୧୮୨୫ଟି ୱାର୍ଡର ୪୩୬୦ଟି ବୁଥରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ଏହି ନିର୍ବାଚନରେ ମୋଟ ୪୦.୫୫ଲକ୍ଷରୁ ଅଧିକ ଭୋଟର ଥିବାବେଳେ ଅପରାହ୍ନ ୩ଟା ସୁଦ୍ଧା ହାରାହାରି ୪୫% ମତଦାନ ରେକର୍ଡ କରାଯାଇଥିଲା । ଗୁରୁବାର ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିଲା । ଏହା ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜାରି ରହିଥିଲା । ମାର୍ଚ୍ଚ ୨୬ ତାରିଖରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ନିର୍ବାଚନକୁ ସୁଚାରୁ ରୂପେ କରାଇବାକୁ ମୋଟ ୨୨ ହଜାର ପୋଲିଂ କର୍ମଚାରୀ ନିୟୋଜିତ ହୋଇଥିଲେ । ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ଅବାଧ ରୂପେ କରିବାକୁ ମୋଟ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ସେଥିମଧ୍ୟରୁ ବିଏମ୍ସି ପାଇଁ ୩୦, ସିଏମ୍ସି ପାଇଁ ୨୦, ବ୍ରହ୍ମପୁର ମ୍ୟୁନିସିପାଲ୍ କର୍ପୋରେସନ ପାଇଁ ୧୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।