ଆଇପିଏଲ-୨୦୨୧ : ରାଜସ୍ଥାନ ବିପକ୍ଷରେ ଟସ ଜିତି ମୁମ୍ବାଇର ବୋଲିଂ ନିଷ୍ପତ୍ତି
- ରାଜସ୍ଥାନ ଓ ମୁମ୍ବାଇ ପାଇଁ କର ବା ମର ମ୍ୟାଚ
ଶାରଜା : ଶାରଜା କ୍ରିକେଟ୍ ଷ୍ଟାଡିୟମଠାରେ ଆଜି ଆଇପିଏଲ ୨୦୨୧ର ୫୧ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ମୁମ୍ବାଇ ଦଳ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି । ପ୍ଲେ ଅଫରେ ପହଞ୍ଚିବା ପାଇଁ ଉଭୟ ଦଳ ପାଇଁ ଏହି ମ୍ୟାଚ କର ବା ମର ସଦୃଶ ହୋଇଛି । ଉଭୟ ଦଳ ଏପର୍ଯ୍ୟନ୍ତ ୧୨ଟି ଲେଖାଏଁ ମ୍ୟାଚ ଖେଳି ୧୦ ପଏଣ୍ଟ ଲେଖାଏଁ ପାଇଛନ୍ତି । ଏହି ମ୍ୟାଚ ଓ କୋଲକାତା ସହ ଖେଳାଯିବାକୁ ଥିବା ମ୍ୟାଚ ଜିତିଲେ ରାଜସ୍ଥାନ ପ୍ଲେଅଫକୁ ଯାଇପାରିବ । କିନ୍ତୁ ଆଜି ମ୍ୟାଚ ହାରିଲେ ରାଜସ୍ଥାନ ପାଇଁ ପ୍ଲେ ଅଫକୁ ଯିବା କଷ୍ଟକର ହୋଇଯିବ । ଅନ୍ୟପକ୍ଷରେ ମୁମ୍ବାଇ ପାଇଁ ପ୍ଲେ ଅଫକୁ ଯିବା ଅପେକ୍ଷାକୃତ ଅଧିକ କଷ୍ଟକର ମନେହେଉଛି । ପ୍ଲେ ଅଫକୁ ଯିବା ପାଇଁ ମୁମ୍ବାଇକୁ ଆଜି ମ୍ୟାଚ ସହ ପରବର୍ତ୍ତୀ ମ୍ୟାଚକୁ ବି ଜିତିବାକୁ ପଡ଼ିବ । ଏହା ସହିତ ରାଜସ୍ଥାନ ଯଦି କୋଲକାତାକୁ ହରାଏ ତେବେ ହିଁ ମୁମ୍ବାଇ ପ୍ଲେ ଅଫକୁ ଯାଇପାରିବ ।
ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନରେ ରହିଛି ରାଜସ୍ଥାନ ରୟାଲ୍ସ । ୧୨ଟି ମ୍ୟାଚ୍ ଖେଳି ଦଳ ୧୦ ପଏଣ୍ଟ ହାସଲ କରିଛି ଏବଂ ରନ୍ ରେଟ୍ -୦.୩୩୭ ରହିଛି । ଶେଷ ୨ଟି ମ୍ୟାଚ୍ରେ ରୟାଲ୍ସ ଦଳ ଯଥାକ୍ରମେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସକୁ ଭେଟିବ । ପ୍ଲେ ଅଫ୍ରେ ପ୍ରବେଶ କରିବାକୁ ହେଲେ ଉଭୟ ମ୍ୟାଚ୍ ଜିତିବା ଜରୁରୀ । ଚତୁର୍ଥ ସ୍ଥାନ ପାଇଁ ଦୌଡରେ ଥିବା ୪ଟି ଯାକ ଦଳ(ନାଇଟ୍ ରାଇଡର୍ସ, ପଞ୍ଜାବ କିଙ୍ଗ୍ସ, ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ)ର ପଏଣ୍ଟ ସଂଖ୍ୟା ୧୨ ରହିଲେ ଉଭୟ ରୟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ-ଅଫ୍ରୁ ବାଦ ପଡ଼ିବେ । ଉଦାହରଣ ସ୍ୱରୂପ ରାଜସ୍ଥାନ ରୟାଲ୍ସ ୧ ରନ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲେ ପ୍ଲେ-ଅଫ୍ରେ ପ୍ରବେଶ କରିବା ପାଇଁ ନାଇଟ୍ ରାଇଡର୍ସକୁ ଶେଷ ମ୍ୟାଚ୍ରେ ୭୫ ରନ୍ରେ ହରାଇବାକୁ ପଡ଼ିବ । ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ସମାନ ପରିସ୍ଥିତି ଦେଇ ଗତି କରୁଛି । ୧୦ ପଏଣ୍ଟ ହାସଲ କରିଥିଲେ ହେଁ ମୁମ୍ବାଇ ଇଣ୍ଡିଆନ୍ସର ରନ୍ ରେଟ୍ -୦.୪୫୩ ରହିଛି । ଶେଷ ୨ଟି ମ୍ୟାଚ୍ରେ ଦଳ ଯଥାକ୍ରମେ ରୟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦକୁ ଭେଟିବ । ଉଭୟ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ଯଥାକ୍ରମେ ୧୦୦ ରନ୍ ଲେଖାଏଁ ବ୍ୟବଧାନରେ ଜିତିବାକୁ ପଡ଼ିବ । ଏହା ସହ ରୟାଲ୍ସ ମଧ୍ୟ ଶେଷ ମ୍ୟାଚ୍ରେ ନାଇଟ୍ ରାଇଡର୍ସକୁ ହରାଇବା ଜରୁରୀ । ଏହା ସମ୍ଭବ ହେଲେ ମୁମ୍ବାଇର ପଏଣ୍ଟ ୧୪ରେ ପହଞ୍ଚିବ ଓ ୧୨ ପଏଣ୍ଟ ସହ ଚତୁର୍ଥରେ ଥିବା ନାଇଟ ରାଇଡର୍ସର ପଏଣ୍ଟ ବଢି ପାରିବ ନାହିଁ ।