ପୁଅ ଆଗରେ ଗଲା ମା’ର ଜୀବନ, ରାସ୍ତା ପାରି ବେଳେ ମହିଳାଙ୍କୁ ଚାପି ଦେଲା ବସ୍
ରେମୁଣା : ବାଲେଶ୍ୱର ଜିଲା ରେମୁଣା ଗୋଲେଇ ରାସ୍ତା ପାଲଟିଛି ଡେଥ ଜୋନ୍ । ରାସ୍ତାର ଦୂରାବସ୍ତାକୁ ନେଇ କେତେ ଯେ ଜୀବନ ଗଲାଣି ତାହା କହିବା ଅସମ୍ଭବ । ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଦୁର୍ଘଟଣା ହେଉଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏହିଭଳି ବିଦାରକ ଘଟଣା ବୁଧବାର ସେଠାରେ ଘଟିଥିବା ଦେଖିବାକୁ ମିଳିଛି । ପୁଅ ବୋଲେରେ ଧରି ଛିଡ଼ା ହୋଇଛି ମା’କୁ ଘରକୁ ନେବା ପାଇଁ । ହେଲେ ପୁଅ ଆଗରେ ଚାଲି ଗଲା ମା’ର ଜୀବନ । ଏହାକୁ ନେଇ କିଛି ସମୟ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ।
ଘଟଣାରୁ ପ୍ରକାଶ, ରେମୁଣା ଏନ୍ଏସି ଅନ୍ତର୍ଗତ ୬ ନମ୍ବର ୱାର୍ଡ଼ର ମହିଳା ସୁକାନ୍ତି ବେହେରା ବାରିପଦାରୁ ବାଲେଶ୍ୱର ଆସୁଥିବା ଏକ ଘୋରେଇ ବସ୍ରେ ରେମୁଣା ଗୋଲେଇ ଆସିବା ପାଇଁ ବୈଶିଙ୍ଗାରୁ ଆସିଥିଲେ । ପ୍ରାୟ ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ସମୟରେ ରେମୁଣା ଗୋଲେଇରେ ବସ୍ରୁ ଓହ୍ଲାଇ ରାସ୍ତା ପାରି ହେଉଥିବା ବେଳେ ସେହି ବସ୍ ତାଙ୍କ ଉପରେ ମାଡ଼ି ଯିବାରୁ ମହିଳାଙ୍କ ଜୀବନ ଘଟଣାସ୍ଥଳରେ ଚାଲି ଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଲୋକମାନେ କିଛି ସମୟ ପାଇଁ ରାସ୍ତା ରୋକ କରିଥିଲେ । ଖବର ପାଇ ସହଦେବଖୁଣ୍ଟା, ଶିଳ୍ପାଞ୍ଚଳ, ସଦର ୩ଟି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧୀନ ହୋଇଥିଲା । ରେମୁଣାର ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଗିରିଧାରୀ ଦାସ, ସୁଶାନ୍ତ ପଟ୍ଟନାୟକ ସହ ବହୁ ଭାଜପା କର୍ମୀ ଘଟଣା ସ୍ଥଳରେ ପହଞ୍ଚି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଏହି ଭଳି ବାରମ୍ବାର ଦୁର୍ଘଟଣା ହେଉଥିବା ନେଇ ଅଭିଯୋଗ କରିଥିଲେ ।