ସ୍ୱାମୀକୁ ସତୀତ୍ୱର ପ୍ରମାଣ ଦେବାକୁ ଯାଇ ଝିଅକୁ ଜୀଅନ୍ତା ଜାଳିଦେଲା ମା’
ଚେନ୍ନାଇ: ସ୍ତ୍ରୀର ସତୀତ୍ୱର ପ୍ରମାଣ ମାଗିବାକୁ ଯାଇ ଝିଅକୁ ପୋଡ଼ି ଦେବାକୁ କହିଲା ସ୍ୱାମୀ। ଆଉ ଶେଷରେ ନିଜ ଝିଅକୁ ପୋଡ଼ି ମାରିଦେଲା ସ୍ତ୍ରୀ। ଝିଅକୁ ହତ୍ୟା ଅଭିଯୋଗରେ ଥିରୁଭୋଟିୟର ଅଞ୍ଚଳରୁ ଜଣେ ୩୮ ବର୍ଷୀୟ ମହିଳାଙ୍କୁ ପୁଲିସ ଗିରଫ କରିଛି। ସତୀତ୍ୱର ପ୍ରମାଣ ମାଗିବାରୁ ସ୍ତ୍ରୀ ଏଭଳି ଅମାନବୀୟକାଣ୍ଡ ଘଟାଇଥିବା ପୁଲିସ କହିଛି। ହତ୍ୟାକାଣ୍ଡରେ ଶିକାର ହୋଇଥିବା ଝିଅଟି ହେଉଛି ପଭିଥ୍ରା (୧୦)। ପଭିଥ୍ରା ପଞ୍ଚମ ଶ୍ରେଣୀରେ ପଢ଼ୁଥିଲେ। ପଦ୍ମନାଭନ ହେଉଛନ୍ତି ତାଙ୍କର ସାବତ ବାପା।
ପୁଲିସର କହିବା ଅନୁଯାୟୀ, ଜୟଲକ୍ଷ୍ମୀ ପ୍ରଥମେ ପାଲଭାନମ ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲ। ପ୍ରଥମ ବିବାହ ବେଳେ ଜୟଲକ୍ଷ୍ମୀଙ୍କୁ ୧୯ ବର୍ଷ ହୋଇଥିଲା। ପ୍ରଥମ ସ୍ୱାମୀଙ୍କଠାରୁ ଜୟଲକ୍ଷ୍ମୀଙ୍କର ଜଣେ ଝିଅ ଜନ୍ମ ହୋଇଥିଲା। ସେ ନର୍ସିଂରେ ପଢ଼ୁଥିବା ବେଳେ ତାଙ୍କ ଜେଜେମାଙ୍କ ପାଖରେ ରହୁଛନ୍ତି। ପରେ ଜୟଲକ୍ଷ୍ମୀ ନିଜର ପ୍ରଥମ ସ୍ୱାମୀ ପାଲଭାନମଙ୍କୁ ଛାଡ଼ି ତାଙ୍କ ସାନଭାଇ ଦୁରାଇ ରାଜଙ୍କୁ ବିବାହ କରିଥିଲେ। ଉଭୟେ ମୁମ୍ବାଇ ପଳାଇ ଯାଇ ସଠାରେ ରହୁଥିଲେ। ସେଠାରେ ଉଭୟଙ୍କଠାରୁ ପଭିଥ୍ରା ଜନ୍ମଲାଭ କରିଥିଲେ। ଏହା ପରେ ଜୟଲକ୍ଷ୍ମୀ ଦ୍ୱିତୀୟ ସ୍ୱାମୀ ଦୁରାଇ ରାଜଙ୍କୁ ଛାଡ଼ି ଝିଅ ପଭିଥ୍ରାଙ୍କୁ ସାଙ୍ଗରେ ଧରି ଚେନ୍ନାଇ ଫେରି ଆସିଥିଲ। ଏହାପରେ ସେ ପଦ୍ମନାଭନ ନାମକ ଜଣେ ବ୍ୟକ୍ତିଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲ।
ପଦ୍ମନାଭନ ପେଶାରେ ଜଣେ ଟ୍ରକ୍ ଡ୍ରାଇଭର। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସ୍ଥାପନ ହୋଇ ବିବାହ ରୂପ ନେଇଥିଲା। ଗତ ୯ ବର୍ଷ ପୂର୍ବେ ପଦ୍ମନାଭନ ଏବଂ ଜୟ ଲକ୍ଷ୍ମୀ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଉଭୟଙ୍କର ପରେ ଦୁଇଟି ଛୁଆ ଜନ୍ମ ହୋଇଥିଲା। ଜଣକୁ ୬ ବର୍ଷ ହୋଇଥିଲା ବେଳେ ଜଣେ ୪ ବର୍ଷର। ତେବେ ଅଧିକାଂଶ ସମୟରେ ପଦ୍ମନାଭନ ମଦ୍ୟପାନ କରି ପତ୍ନୀଙ୍କୁ ନିର୍ୟାତନା ଦିଅନ୍ତି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ତାଙ୍କୁ ମାରିପଟ କରନ୍ତି। ରବିବାର ରାତିରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ତୀବ୍ର ରୂପ ନେଇଥିଲା। ଜୟଲକ୍ଷ୍ମୀଙ୍କ ସତୀତ୍ୱର ପ୍ରମାଣ ମାଗି ସାବତ ଝିଅକୁ ପୋଡ଼ି ଦେବା ପାଇଁ ପଦ୍ମନାଭନ ବାଧ୍ୟ କରିଥିଲ। କହିଥିଲେ ତୁମେ ଯଦି ନିର୍ମଳ ତେବେ ଝିଅ ପଭିଥ୍ରାର କିଛି ହେବନି । ଏଥିରେ ଉତ୍ତ୍ୟକ୍ତ ହୋଇ ଜୟଲକ୍ଷ୍ମୀ ଝିଅ ପଭିଥ୍ରା ଉପରେ କିରୋସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଝିଅଟିର ଚିତ୍କାର ଶୁଣି ପଡ଼ୋଶୀ ଲୋକେ ଧାଇଁ ଆସି ତାକୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାର ମୃତ୍ୟୁ ଘଟିଛି।