ରାଜ୍ୟର ୬ହଜାରରୁ ଅଧିକ ଗାଁ ମୋବାଇଲ ସେବାରୁ ବଞ୍ଚିତ
ଭୁବନେଶ୍ୱର : ବର୍ତ୍ତମାନ ରାଜ୍ୟରେ କେତେ ଟି ଗ୍ରାମ ମୋବାଇଲ ଟାୱାରରୁ ବଞ୍ଚିତ ଅଛି । ସରକାର କଣ ପଦକ୍ଷେପ ନେଇଛନ୍ତି ? ଆଜି ଏହା ବିଧାନସଭାରେ ଜାଣିବା ପାଇଁ ଚାହିଁଥିଲେ ବିଜେପି ବିଧାୟକ ଗଣେଷ ରାମ ଖୁଣ୍ଟିଆ ।
ଜବାବରେ ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ, ମୋବାଇଲ ଟାୱାର ସ୍ଥାପନ କେନ୍ଦ୍ର ସରକାରଙ୍କ କ୍ଷମତା ପରିସରଭୁକ୍ତ ଅଟେ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୬ ହଜାର ୨୭୮ ଗ୍ରାମ ମୋବାଇଲ ସେବା ପରିସରଭୁକ୍ତ ହୋଇନାହିଁ । ମୋବାଇଲ ସେବାରୁ ବଞ୍ଚିତ ଥିବା ଗ୍ରାମ ଗୁଡିକ ସେବା ସଂଯୋଗ କରିବା ପାଇଁ ରାଜ୍ୟ ସରକାର ଭାରତ ସରକାରଙ୍କୁ ସ୍ବତନ୍ତ୍ର ପ୍ୟାକେଜ ଜରିଆରେ ଆର୍ଥିକ ସହାୟତା ପାଇଁ ସବୁବେଳେ ଅନୁରୋଧ କରି ଆସୁଛନ୍ତି । ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ସରକାର ୟୁଏସଓଏଫ ଫଣ୍ଡରୁ ୪୮୩ ଟି ନୂଆ ଟେଲିକମ ଟାୱାର ମଞ୍ଜୁରୀ କରିଥିବା କହିଛନ୍ତି ମନ୍ତ୍ରୀ ।