ରାସ୍ତା ପ୍ରଶସ୍ତିକରଣ ପାଇଁ ଜୀବିକା ହରାଇବେ ୨୦ରୁ ଉର୍ଦ୍ଧ୍ୱ ଦୋକାନୀ
ଔପଦା : ଗଣ୍ଡିବେଡ଼ରୁ ଔପଦା ପର୍ଯ୍ୟନ୍ତ ରାସ୍ତା ପ୍ରସାରଣ ପାଇଁ ଔପଦା ବଜାରରେ ଥିବା ୨୦ରୁ ଉର୍ଦ୍ଧ୍ୱ ଦୋକାନୀ ନିଜର ଜୀବିକା ହରାଇବେ । ଗଣ୍ଡିବେଡ଼ ଠାରୁ ଔପଦା ପର୍ଯ୍ୟନ୍ତ ନୂତନ ଭାବେ ୨ ଥାକିଆ ହୋଇ ରାସ୍ତା ନିର୍ମାଣ ଚାଲିଥିବା ବେଳେ ଔପଦା ୟୁକୋ ବ୍ୟାଙ୍କ ଠାରୁ ଥାନା ଛକ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ୫୦-୬୦ ଫୁଟ କରାଯିବାର ଜଣାଯାଉଛି । ଏହି ରାସ୍ତାଟି ଖଇରା ତହସିଲ ଅଧୀନ ଥିବାରୁ ମାଜିଷ୍ଟ୍ରେଟ୍ ଭାବେ ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରାଙ୍କ ଉପସ୍ଥିତିରେ ପୂର୍ତ୍ତ ବିଭାଗ ଏସ୍ଡ଼ିଓ ହରିଶ୍ଚନ୍ଦ୍ର ଦ୍ୱାରି, ଯନ୍ତ୍ରୀ ନରେଶ ଚନ୍ଦ୍ର ସିଂଙ୍କ ସମେତ ପୂର୍ତ୍ତ ଓ ରାଜସ୍ୱ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ଦ୍ୱାରା ରାସ୍ତା ମାପଜୁପ ଚାଲିଥିଲା ।
ବ୍ୟାଙ୍କ ଠାରୁ ଥାନା ଛକ ପର୍ଯ୍ୟନ୍ତ ରାସ୍ତାର ୨ ପାଖରେ ଥିବା ଦୋକାନ ଗୃହ ଗୁଡିକ ତୁରନ୍ତ ଉଛେଦ କରିବାକୁ କୁହାଯାଇଛି । ଦୋକାନ ଗୃହ ଉଚ୍ଛେଦ ପରେ ଜୀବିକା ହରାଉଥିବା ଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ଦାବି ହେଉଛି । ତହସିଲଦାର ଶ୍ରୀ ବେହେରା ଉପସ୍ଥିତ ସମୟରେ ସେହି ରାସ୍ତାରେ ଯାଉଥିବା ୨ ଟି ବାଲି ଭର୍ତ୍ତି ଟ୍ରାକ୍ଟରକୁ ଅଟକାଇ ତହସିଲଦାର କାଗଜପତ୍ର ଯାଞ୍ଚ କରିଥିବା ବେଳେ ବାଲି ଚାଲାଣରେ କାଗଜ ନଥିବାରୁ କୋଡ଼ିଏ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ଜଣାଯାଇଛି ।