ମୋର୍ବି ଝୁଲାପୋଲ ଟ୍ରାଜେଡି; ଦୁର୍ଘଟଣାସ୍ଥଳ ପରିଦର୍ଶନ ସହ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ ପ୍ରଧାନମନ୍ତ୍ରୀ
ମୋର୍ବି: ଗୁଜରାଟର ମୋର୍ବି ଜିଲାରେ ଝୁଲାପୋଲ ଭୁଶୁଡ଼ିବା ଘଟଣା । ମୋର୍ବିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଂଚିଛନ୍ତି । ଆକାଶମାର୍ଗରୁ ଘଟଣାସ୍ଥଳ ଅନୁଧ୍ୟାନ କରିଛନ୍ତି । ଏହାପରେ ଦୁର୍ଘଟଣା ସ୍ଥଳରୁ ସିଧାସଳଖ ହସ୍ପିଟାଲ ଯାଇଥିଲେ ପ୍ରଧାନମନ୍ତ୍ରୀ । ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧିନ ଥିବା ଲୋକଙ୍କୁ ଭେଟିଥିଲେ । ମୋର୍ବି ଜିଲାରେ ପ୍ରଶାସନ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ଏବଂ ଦୁର୍ଘଟଣା ପରବର୍ତି ସମୟରେ ଉଦ୍ଧାର କାର୍ଯ୍ୟ, ରିଲିଫ, ଚିକିତ୍ସା ଦେବା ଆଦି ସମ୍ପର୍କରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ ।
ଗୁଜରାଟ ମୋର୍ବି ସହରର ଝୁଲା ପୋଲ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ୧୪୦ ଛୁଇଁଛି । ରାଜ୍ୟ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ ପାଇଁ ଘୋଷଣା କରାଯାଇଛି । ଯେଉଁମାନେ ଏହି ଘଟଣାରେ ଆହତ ହୋଇଛନ୍ତି ସେମାନଙ୍କୁ ମାଗଣା ଚିକିତ୍ସା ସହ ୫୦ହଜାର ଟଙ୍କା ଆର୍ôଥକ ସହାୟତା ରାଶି ପ୍ରଦାନ କରାଯିବା ନେଇ ସରକାର ଘୋଷଣା କରିଛନ୍ତି । ଏଭଳି ଏକ ଭୟାନକ ଏବଂ ମର୍ମନ୍ତୁଦ ଘଟଣାର କାରଣକୁ ନେଇ ତର୍ଜମା ଚାଲିଥିଲା ବେଳେ ପୋଲ ତଦାରଖ ଏବଂ ପରିଚାଳନା ସଂସ୍ଥା ସମେତ ସ୍ଥାନୀୟ ପ୍ରଶାସନର ବେପରୁଆ ମନୋଭାବ ମୁଖ୍ୟ କାରଣ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଛି । ଦୁର୍ଘଟଣାର ଯାଂଚ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଯାଂଚ ଟିମ୍(ଏସଆଇଟି) ଗଠନ କରାଯାଇଥିଲେ ହେଁ ପ୍ରାଥମିକ ଅନୁସନ୍ଧାନ କରାଯାଇ ସୋମବାର ୯ ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ପୋଲ ତଦାରଖ ଏବଂ ପରିଚାଳନା ପାଇଁ ନିଯୁକ୍ତ ହୋଇଥିବା ଓରେଭା କମ୍ପାନୀର ୪ ଜଣ ମ୍ୟାନେଜର ରହିଛନ୍ତି ।
ସେହିପରି ଝୁଲାପୋଲ ପାଇଁ ଟିକଟ କାଟିବା ଲାଗି ନିଯୁକ୍ତ ରହିଥିବା ଦୁଇ ଜଣ କର୍ମଚାରୀ ମଧ୍ୟ ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି । ଗୋଟିଏ ପକ୍ଷରେ ଏହି ପୋଲରେ ଏକ ସମୟରେ ଯେତିକି ଲୋକଙ୍କୁ ଯିବା ଲାଗି ଅନୁମତି ଦିଆଯାଇଥାଏ, ତା’ ଠାରୁ ଅଧୁକ ଲୋକଙ୍କୁ ଟିକଟ ଦିଆଯାଇ ଯିବାକୁ ଅନୁମତି ଦିଆଯାଇଥିଲା ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ , ଏକ ସମୟରେ ଏହି ଝୁଲା ପୋଲର ବହନ କ୍ଷମତା ୧୫୦ ରହିଛି । କିନ୍ତୁ ଅର୍ଥ ଲୋଭରେ ପରିଚାଳନାକାରୀ ସଂସ୍ଥା ପକ୍ଷରୁ ୬୫୦ ଲୋକଙ୍କୁ ଟିକଟ ଦିଆଯାଇ ଥିଲା । ସେମାନେ ଏକ ସମୟରେ ପୋଲ ଉପରେ ଚଢ଼ି ଥିବାରୁ ଭାରସାମ୍ୟ ହରାଇ ପୋଲ ଛିଣ୍ଡିପଡ଼ିଥିବା କୁହାଯାଉଛି । ଅନ୍ୟପକ୍ଷରେ ଏହି ପୋଲର ମରାମତି ଏବଂ ତଦାରଖ କାର୍ଯ୍ୟରେ ନିଯୁକ୍ତ ରହିଥିବା ଓରେଭା କମ୍ପାନୀର ସ୍ୱଚ୍ଛତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି । ଏହି କମ୍ପାନୀ ଅଜନ୍ତା ଘଂଟା ଏବଂ ଏଲଇଡି ବଲ୍ବ ତିଆରି କରୁଥିବା ବେଳେ ୧୫୦ ବର୍ଷ ତଳର ଝୁଲା ପୋଲର ମରାମତି ଏବଂ ତଦାରଖ କାର୍ଯ୍ୟ କିଭଳି ଦିଆଯାଇଥିଲା ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ହୋଇଛି । ଏହି କମ୍ପାନୀକୁ ପୋଲ ମରାମତି କାର୍ଯ୍ୟ ଦିଆଯାଇଥିଲା ଏବଂ ମାତ୍ର ୫ ଦିନ ତଳେ ଏହାକୁ ପୁନଃ କାର୍ଯ୍ୟକ୍ଷମ କରାଯାଇଥିଲା । ତେବେ କାର୍ଯ୍ୟକ୍ଷମ ହେବା ପୂର୍ବରୁ କମ୍ପାନୀ ପକ୍ଷରୁ ଫିଟନେସ ସାର୍ଟିଫିକେଟ୍ କାହିଁକି ସ୍ଥାନୀୟ ପ୍ରଶାସନକୁ ଦିଆଯାଇ ନଥିଲା ତାହା ମଧ୍ୟ ସନ୍ଦେହ ଘେରକୁ ଆସିଛି ।