ସରିଲା ରମ୍ଜାନ୍ ମାସ ! ତ୍ୟାଗ ସମର୍ପଣର ପର୍ବ ପାଳୁଛନ୍ତି ମୁସଲିମ୍ ଧର୍ମାବଲମ୍ବୀ
ଆଜି ପବିତ୍ର ଇଦ । ରମଜାନ ମାସର ଶେଷ ଦିନ । ତ୍ୟାଗ ସମର୍ପଣର ପର୍ବ ପାଳୁଛନ୍ତି ମୁସଲିମ୍ ଧର୍ମାବଲମ୍ବୀ। ପୂରା ମାସ ନମାଜ ପାଠ କରିବା ସହ ଦାନ ଧର୍ମ ଓ ଈଶ୍ୱର ଉପାସନାରେ କଟିଥିଲା । ଏଥିପାଇଁ ମସଜିଦଗୁଡିକରେ ସମୂହ ନମାଜ ପାଠ ପାଇଁ ସକାଳୁ ସକାଳୁ ଭିଡ ପରିଲକ୍ଷିତ ହୋଇଛି । ମୁସଲମାନମାନେ ପରସ୍ପରକୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଛନ୍ତି । ଏଥିପାଇଁ ମସଜିଦ ଓ ଇଦଗାହ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି । ରଙ୍ଗବେରଙ୍ଗ ଆଲୋକମାଳାରେ ମସଜିଦଗୁଡିକୁ ସଜ୍ଜିତ କରାଯାଇଛି ।
ସରିଲା ଇସ୍ଲାମ୍ ଧର୍ମର ପବିତ୍ର ରମ୍ଜାନ୍ ମାସ। ଆଜି ଇସ୍ଲାମ୍ ସମ୍ପଦ୍ରାୟର ବଡ଼ ପର୍ବ ଇଦ୍-ଉଲ୍-ଫିତର। ମୁସଲିମ୍ ଭାଇ ଭଉଣୀମାନେ ମସ୍ଜିଦ୍ ଯାଇ ନମାଜ ପାଠ କରିବା ସହିତ ଘରେ ପ୍ରସ୍ତୁତ କରୁଛନ୍ତି ସୁସ୍ୱାଦୁ ବ୍ୟଞ୍ଜନ । ରଙ୍ଗ ବେରଙ୍ଗର ପୋଷାକ ସହ ଗହଳିରେ ବାରି ହୋଇପଡ଼ୁଛି ଅତରର ବାସ୍ନା । ରାସ୍ତାଘାଟରେ ଦେଖିବାକୁ ମିଳୁଛି ମୁସଲିମ୍ ଭାଇଙ୍କ ଆଲିଙ୍ଗନର ଦୃଶ୍ୟ । ଗୋଟିଏ ମାସ ଯାଏ ରୋଜା (ଉପବାସ) ରଖିବା ପରେ ମସଜିଦ୍ରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଇଦ୍ ଗାହା ବା ଖୋଲା ପଡ଼ିଆକୁ ଯାଇ ସମୂହ ନମାଜ ପାଠ କରୁଛନ୍ତି।
କୁହାଯାଏ ରମଜାନ ଦାନପୂଣ୍ୟର ମାସ। ଏହି ମାସରେ ଉପାସନା ଓ ଧାର୍ମିକ ପାଳନର ଫଳ ୭୦ ଗୁଣା ମିଳିଥାଏ। ଏଣୁ ରୋଜାଦାରମାନେ ଅଧିକରୁ ଅଧିକ ଧାର୍ମିକ ଅବଲମ୍ବନ କରିବାକୁ ଉଦ୍ୟମ କରିଥାନ୍ତି। ରମଜାନ ମାସକୁ ୧୦-୧୦ ଦିନ କରି ୩ ଭାଗରେ ବିଭକ୍ତ କରାଯାଏ ଏବଂ ଏହାକୁ ଅଶରା କୁହାଯାଏ। ପ୍ରଥମ ଅଶରା ବିଶ୍ୱାସ କରାଯାଏ ଯେ ଆଲ୍ଲାଙ୍କର ରହମତ ଅଛି ଏବଂ ଦ୍ୱିତୀୟ ଅଶରା ପାପ କ୍ଷମା କରାଯାଇଥାଏ । ସେହିପରି ତୃତୀୟ ଅଶରା ଜହନ୍ନମର ନିଆଁରୁ ନିଜକୁ ରକ୍ଷା କରିବା ପାଇଁ ହୋଇଥାଏ ।
ଏକ ମାସ ରୋଜା ରଖିବା ପରେ ଆସିଥାଏ ପବିତ୍ର ଇଦ୍ । ମୁସଲମାନମାନେ ନିଷ୍ଠାପର ସହିତ ଏକ ମାସ କାଳ ଉପବାସ କରିଆସୁଥିବାେଳେ ପାରମ୍ପରିକ ପ୍ରଥା ଅନୁସାରେ ରମଜାନ ଶେଷ ସନ୍ଧ୍ୟାରେ ଚାନ୍ଦ ଦେଖିବା ପରେ ରୋଜା ଭାଙ୍ଗିଥାନ୍ତି । ଏହା ପରେ ଆରମ୍ଭ ହୁଏ ଇଦ ପର୍ବ । ଏହି ଦିନ ସମସ୍ତ ମୁସଲିମ ଭାଇଭଉଣୀମାନେ ନୂଆ ବସ୍ତ୍ର ପିନ୍ଧି, ଆଖରେ ସୁରମା ଓ ଦେହରେ ଅତର ଲଗାଇ ଇଦ ପାଳନ କରିଥାନ୍ତି ।
ଜାତି ଧର୍ମ ନିର୍ବିଶେଷରେ କିଛି ଅସହାୟଙ୍କୁ ନିଜ ସାଧ୍ୟ ମୁତାବକ ଦାନ କରି ଆଲ୍ଲାଙ୍କ ନିର୍ଦ୍ଦେଶ ପାଳନ କରିଥାନ୍ତି । ଏହାକୁ ‘ଜକାତ୍’ ଓ ‘ଫିତରା’ କୁହାଯାଇଥାଏ । ସାଧାରଣତଃ ଏହି ଦାନ କାର୍ଯ୍ୟ ରମ୍ଜାନ୍ ମାସରେ ଶେଷ କରିବାକୁ ପଡ଼ିଥାଏ । ନିୟମାନୁସାରେ ବର୍ଷ ସାରାର ଆୟର ୨.୫% ଅଂଶଧନ ପ୍ରତ୍ୟେକ ମୁସଲ୍ମାନ୍ ଭାଇଙ୍କୁ ଦାନ କରବାକୁ ପଡ଼ିଥାଏ, ଏହାକୁ ‘ଜକାତ୍’ କୁହାଯାଏ । ସେହିପରି ସେହି ବର୍ଷର ଗହମର ଦାମ୍ ଅନୁଯାୟୀ ଅଢ଼େଇ କିଲୋ ଗହମର ଦାମ୍ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ତରଫରୁ ଦିଆଯାଇଥାଏ । ଏହାକୁ ‘ଫିତରା’ କୁହାଯାଏ ।