ମୋହାଲି ଟେଷ୍ଟ : ପ୍ରଥମ ଦିନରେ ଭାରତ ୩୫୭/୬
ମୋହାଲି : ସ୍ଥାନୀୟ ପଂଜାବ କ୍ରିକେଟ୍ ଆସୋସିଏସନ କ୍ରିକେଟ୍ ଷ୍ଟାଡିୟମଠାରେ ଚାଲିଥିବା ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟର ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୬ ୱିକେଟ ହରାଇ ୩୫୭ ରନ ସଂଗ୍ରହ କରିଛି । କ୍ରିଜରେ ଏବେ ରବୀନ୍ଦ୍ର ଜାଦେଜା ୪୫ ରନ ଓ ରବିଚନ୍ଦ୍ରନ ଅଶ୍ୱିନ ୧୦ରନ କରି ଅପରାଜିତ ଅଛନ୍ତି । ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଭାରତର ଦୁଇ ଓପନର ମୟଙ୍କ ଅଗ୍ରୱାଲ ଓ ରୋହିତ ଶର୍ମା ଦଳ ପାଇଁ ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ରୋହିତ ୨୯ ଓ ମୟଙ୍କ ୩୩ ରନ କରିଥିଲେ । ଋଷଭ ପନ୍ତ ସର୍ବାଧିକ ୯୬ ରନ କରିଥିଲେ ବି ଅଳ୍ପକେ ଶତକରୁ ବଂଚିତ ହୋଇଥିଲେ । ହନୁମା ବିହାରି ୫୮ ରନ କରିଥିଲେ । ସେହିପରି ବିରାଟ କୋହଲି ୪୫ ଓ ଶ୍ରେୟସ ଆୟର ୨୭ ରନ କରିଥିଲେ । ତେବେ ଖେଳର ମୁଖ୍ୟ ଆକର୍ଷଣ ଥିଲା ବିରାଟ କୋହଲିଙ୍କ ୮୦୦୦ ରନ ପୂରଣ । ନିଜର ଶତକୀୟ ଟେଷ୍ଟରେ ସେ ଏହି ମାଇଲଖୁଂଟ ଅତିକ୍ରମ କରିଛନ୍ତି । ଏହି ୧୦୦ଟି ଟେଷ୍ଟରେ ସେ ୫୦.୬୩ ରନ ହାରରେ ୮ ହଜାର ରନ କରିଛନ୍ତି । ଏହି ୧୦୦ ଟେଷ୍ଟ ମଧ୍ୟରେ ସେ ୨୭ଟି ଶତକ ଓ ୨୮ଟି ଅର୍ଦ୍ଧଶତକ କରିଛନ୍ତି ।
ଟିମ୍ ଇଣ୍ଡିଆ ଓ ତା’ର ଫ୍ୟାନ୍ କୋହଲିଙ୍କ ଠାରୁ ଶତକ ଆଶା କରିଥିଲେ, କିନ୍ତୁ ଏହି ସେମାନଙ୍କୁ ଖୁସି ମିଳିଲା ନାହିଁ । ହେଲେ ମ୍ୟାଚରେ ଦେଖିବାକୁ ମିଳିଛି ପନ୍ତଙ୍କ ଝଡ଼, ଯିଏ ଦିବସର ତୃତୀୟ ତଥା ଶେଷ ସେସନରେ ଜବରଦସ୍ତ ବ୍ୟାଟିଂ କରି ଶ୍ରୀଲଙ୍କା ଠାରୁ ପ୍ରତ୍ୟାବର୍ତନର ସୁଯୋଗ ଛଡ଼ାଇ ନେଇଛନ୍ତି । କିନ୍ତୁ ପୁଣିଥରେ ସେ ଶତକର ନିକଟତର ଆସି ବଂଚିତ ହୋଇଛନ୍ତି । ପନ୍ତ ୯୭ ବଲରେ ୯ ଚୌକା ଓ ୪ ଛକା ସହ ୯୬ ରନ୍ କରି ଆଉଟ୍ ହୋଇଛନ୍ତି । ତାଙ୍କ ବ୍ୟତୀତ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ହନୁମା ବିହାରୀ ଅର୍ଦ୍ଧଶତକ ମାରିଛନ୍ତି । କ୍ୟାପଟେନ୍ ଭାବେ ନିଜର ପ୍ରଥମ ଟେଷ୍ଟ ଖେଳୁଥିବା ରୋହିତ୍ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲେ । ରୋହିତଙ୍କ ସହ ଓପନ୍ କରିବାକୁ ଆସିଥିବା ମୟଙ୍କ ଅଗ୍ରୱାଲ୍ ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ । ରୋହିତ୍ ଦ୍ରୁତ ରନ୍ କରିଥିଲେ ହେଁ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ । ମୋହାଲିର ବାଉନ୍ସି ପିଚରେ ବଡ଼ ଶଟ୍ ଖେଳିବାକୁ ଯାଇ ରୋହିତ୍ ଲାହିରୁ କୁମାରାଙ୍କ ବଲରେ ସୁରଙ୍ଗା ଲାକମଲଙ୍କୁ କ୍ୟାଚ୍ ଦେଇ ବସିଥିଲେ । ରୋହିତ ୨୮ ବଲରେ ୬ ଚୌକା ସହ ୨୯ ରନ୍ କରିଥିଲେ । ମୟଙ୍କ (୩୩) ମଧ୍ୟ ସୁଯୋଗର ଫାଇଦା ଉଠାଇବାରେ ବିଫଳ ହୋଇଥିଲେ ଏବଂ ତାଙ୍କୁ ଲସିଥ ଏମ୍ବୁଲଡେନିୟା ଆଉଟ୍ କରିଥିଲେ । ପ୍ରଥମଥର ପାଇଁ ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ବିହାରୀ ଓ ୧୦୦ତମ ଶତକ ଟେଷ୍ଟ ଖେଳୁଥିବା କୋହଲି ଭାରତର ଇନିଂସକୁ ସଜାଡ଼ିଥିଲେ । କୋହଲି ଯେଉଁଭଳି ଭାବେ ନିଜ ଇନିଂସକୁ ଆଗକୁ ବଢ଼ାଇଲେ, ଲାଗୁଥିଲା ସେ ଶତକ ମାରିବେ । ଲଂଚ ପୂର୍ବରୁ ଓ ପରେ କୋହଲି ଆଶା ସଂଚାର କରିଥିଲେ । କିନ୍ତୁ ପୂର୍ବ ଇନିଂସ ଭଳି ପୁଣିଥରେ କୋହଲି ସେଟ୍ ହେବା ପରେ ନିଜ ୱିକେଟ୍ ହରାଇ ବସିଥିଲେ । ବାମହାତୀ ସ୍ପିନର ଏମ୍ବୁଲଡେନିୟାଙ୍କ ଏକ ଭଲ ବଲରେ ସେ ଚକମା ଖାଇଥିଲେ ଏବଂ କ୍ଲିନ୍ ବୋଲ୍ଡ ହୋଇଥିଲେ । କୋହଲି ୭୬ ବଲରେ ୪୫ ରନ୍ କରିଥିଲେ ଏବଂ ବିହାରୀଙ୍କ ସହ ୯୦ ରନର ଭାଗିଦାରୀ କରିଥିଲେ । କୋହଲିଙ୍କ ଆଉଟ୍ ପରେ ବିହାରୀ ମଧ୍ୟ ପ୍ୟାଭିଲିୟନ୍ ଫେରିଥିଲେ । ସେ ୧୨୮ ବଲର ସାମ୍ନା କରି ୫୮ (୫ ଚୌକା) ରନ୍ କରି କରିଥିଲେ । ତାଙ୍କ ସ୍ଥାନରେ ଆସିଥିବା ଶ୍ରେୟସ ଆୟର୍ (୨୭) ସୁଯୋଗର ଫାଇଦା ଉଠାଇପାରିନଥିଲେ । ହେଲେ ସେ ଆଉଟ୍ ହେବା ପୂର୍ବରୁ ଋଷଭ ପନ୍ତଙ୍କ ସହ ମିଶି ପଂଚମ ୱିକେଟ୍ ପାଇଁ ୫୩ ରନ୍ ଯୋଡ଼ି ଭାରତର ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ । ପନ୍ତ ଧୈର୍ଯ୍ୟର ସହ ବ୍ୟାଟିଂ କରି ୭୩ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । କିନ୍ତୁ ଏହା ପରେ ସେ ଆକ୍ରମଣାତ୍ମକ ଆଭିମୁଖ୍ୟ ଆପଣାଇଥିଲେ । ପନ୍ତ ଚୌକା ଓ ଛକା ବର୍ଷା କରି ଶତକ ଆଡ଼କୁ ଅଗ୍ରସର ହୋଇଥିଲେ । ତେବେ ନୂଆ ବଲ୍ ତାଙ୍କ ପାଇଁ କାଳ ହୋଇଥିଲା । ପେସର୍ ସୁରଙ୍ଗା ଲାକମଲଙ୍କ ଇନସୁଇଂକୁ ବୁଝିନପାରି ପନ୍ତ କ୍ଲିନ୍ ବୋଲ୍ଡ ହୋଇଥିଲେ । ଶତକରୁ ବଂଚିତ ହୋଇଥିଲେ ହେଁ ପନ୍ତ ଷଷ୍ଠ ୱିକେଟ୍ ପାଇଁ ଜାଡେଜାଙ୍କ ସହ ମିଶି ୧୦୪ ରନ୍ ଯୋଡ଼ି ଭାରତକୁ ବଡ଼ ସ୍କୋର ମୁହାଁ କରିଛନ୍ତି । ଜାଡେଜା ଓ ଅଶ୍ୱିନ୍ ପ୍ରଥମ ଦିନରେ ଭାରତକୁ ଆଉ କୌଣସି କ୍ଷତି ସହିବାକୁ ଦେଇନାହାନ୍ତି । ଶ୍ରୀଲଙ୍କା ପକ୍ଷରୁ ଏମ୍ବୁଲଡେନିଆ ୨ଟି ୱିକେଟ୍ ନେଇଛନ୍ତି ।