୭୦ ବର୍ଷରେ କଂଗ୍ରେସ ଯାହା କରିଥିଲା ବିକ୍ରି କରିଦେଲେ ମୋଦି ସରକାର : ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ : କେନ୍ଦ୍ରରେ ପୂର୍ବରୁ ଶାସନ କରିଥିବା କଂଗ୍ରେସ ସରକାର ଦୀର୍ଘ ସାତ ଦଶନ୍ଧିରେ ଯାହା ଉପାର୍ଜନ କରିଥିଲା, ସେ ସବୁକୁ ସାତ ବର୍ଷରେ ବିକ୍ରୟ କରିଦେଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସାଂସଦ ତଥା ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ନରେନ୍ଦ୍ର ମୋଦି ଏବଂ ତାଙ୍କ ଦଳ ବିଜେପିର ନାରା ଥିଲା, ଦୀର୍ଘ ୭୦ ବର୍ଷରେ ଦେଶ ପାଇଁ କଂଗ୍ରେସ କିଛି କରିନାହିଁ । କିନ୍ତୁ ଦୀର୍ଘ ୭୦ ବର୍ଷ ଧରି କଂଗ୍ରେସ ଯାହା ଉପାର୍ଜନ କରିଥିଲା ତାହାକୁ ବିଜେପି ସରକାର ବିକ୍ରି କରିଦେଇଥିବା ନେଇ କହିଛନ୍ତି ରାହୁଲ ଗାନ୍ଧୀ ।
ଦେଶରେ ପାଣି, ଖଣି, ବିମାନବନ୍ଦର, କ୍ରୀଡ଼ା, ଟେଲିକମ, ବିଦ୍ୟୁତ, ଏବଂ ରାଷ୍ଟ୍ରାୟତ କମ୍ପାନୀ ଗୁଡ଼ିକୁ ମୋଦି ସରକାର ଘରୋଇ ମାର୍କେଟରେ ନିଲାମ କରିଦେଇଛି । ଯଦ୍ୱାରା ଦେଶ ଆଗାମୀ ଦିନରେ ବହୁମୂଲ୍ୟ ଦେବାକୁ ଯାଉଛି । ମୋଦି ସରକାର କେବଳ କିଛିଟା ହାତଗଣତି ବ୍ୟବସାୟୀଙ୍କ ଲାଭ ପାଇଁ ଏସବୁ କରୁଛନ୍ତି । କ୍ଷୁଦ୍ର, ମଧ୍ୟମ ଧରଣର ବ୍ୟବସାୟୀ ମାନେ ତଳି ତଳାନ୍ତ ହୋଇ ଗଲଣି । ସେମାନଙ୍କର ଅବସ୍ଥା ସୋଚନୀୟ ହେଲାଣି । କିନ୍ତୁ କେବଳ ତିନି, ଚାରିଟା ଶିଳ୍ପପତିଙ୍କର ଉନ୍ନତି ଘଟୁଥିବା ଅଭିଯୋଗ ଲଗାଇଛି କଂଗ୍ରେସ ।