ଏମଏମଏସ ଭିଡିଓ ଭାଇରାଲ ମାମଲା : ୩ ଗିରଫ, ମହିଳା ଏସଆଇଟି ଟିମ୍ ଗଠନ
ଚଣ୍ଡୀଗଡ଼ : ପଞ୍ଜାବର ମହାଲୀ ସ୍ଥିତ ଚଣ୍ଡୀଗଡ଼ ୟୁନିଭର୍ସିଟି ଛାତ୍ରୀଙ୍କ ଏମଏମଏସ ଭିଡିଓ ଭାଇରାଲ ମାମଲାରେ ପଞ୍ଜାବ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୁଲିସ ବର୍ତ୍ତମାନ ସୁଦ୍ଧା ୩ଜଣଙ୍କୁ ଗିରଫ କରିଛି । ଅନ୍ୟପଟେ ମହିଳା ଅଫିସରଙ୍କୁ ନେଇ ଏକ ଏସଆଇଟି ଟିମ୍ ଗଠନ କରାଯାଇଛି ଯିଏକି ଉକ୍ତ ମାମଲାର ଯାଞ୍ଚ କରିବେ ।
ସୂଚନାଯୋଗ୍ୟ, ୟୁନିଭର୍ସିଟି ହୋଷ୍ଟେଲରେ ୫-୬ଜଣ ଝିଅଙ୍କ ଗାଧାଇବା ବେଳର ଭିଡିଓ ଜଣେ ଛାତ୍ରୀ ରେକର୍ଡ କରିଥିଲା । ଉକ୍ତ ଭିଡିଓକୁ ସେ ତା’ର ଜଣେ ପୁୁରୁଷ ବନ୍ଧୁକୁ ପଠାଇଥିଲା । ପରେ ଉକ୍ତ ଯୁବକ ଭିଡିଓକୁ ଭାଇରାଲ କରି ଦେଇଥିଲା । ଉକ୍ତ ପ୍ରସଙ୍ଗ ଉଠିବା ପରେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଗତକାଲି ଯାଞ୍ଚ ଆଦେଶ ଦେଇଥିଲେ । ପ୍ରଥମେ ପୁଲିସ ସମ୍ପୃକ୍ତ ଛାତ୍ରୀକୁ ଗିରଫ କରିଥିଲା । ପରେ ଭିଡିଓ ପଠାଇଥିବା ହିମାଚଳ ପ୍ରଦେଶର ୨୩ ବର୍ଷୀୟ ଯୁବକକୁ ଗିରଫ କରିଥିଲା । ଏଥିସହିତ ହମାଚଳ ପ୍ରଦେଶ ପୁଲିସ ଉକ୍ତ ମାମଲାରେ ଅନ୍ୟଜଣେ ୩୧ ବର୍ଷୀୟ ବ୍ୟକ୍ତିକୁ ମଧ୍ୟ ଗିରଫ କରିଥିବା ଜଣାପଡ଼ିଛି ।