ମହିଳା ନିଖୋଜ, ଥାନାରେ ମାମଲା
ବସ୍ତା : ବସ୍ତା ଥାନା ଲୋକନାଥପୁର ଗ୍ରାମର ଜଣେ ମହିଳା ନିଖୋଜ ନେଇ ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଜାରି ରଖିଛି । ସୂଚନାରୁ ପ୍ରକାଶ ଯେ, ଏହି ଗ୍ରାମର ପୂର୍ଣ୍ଣିମା ଦାସ (୩୪) ପୂର୍ବରୁ ବାପାଙ୍କ ଆର୍ôଥକ ଅବସ୍ଥା ଭଲ ନଥିବାରୁ ଉତ୍ତରପ୍ରଦେଶରେ ବିବାହ କରିଥିଲେ । ମାତ୍ର ବିବାହର କିଛିଦିନ ଭିତରେ ପୂର୍ଣ୍ଣିମା ଦୁଇଟି ସନ୍ତାନର ଜନନୀ ହୋଇଥିଲେ । ମାତ୍ର ସ୍ୱାମୀ ଅତ୍ୟଧିକ ମଦ୍ୟପାନ କରି ବିଭିନ୍ନ ସମୟରେ ଶାରୀରିକ ମାନସିକ ନିର୍ଯାତନା ଦେଉଥିବାରୁ ସେ ଉତ୍ତରପ୍ରଦେଶ ଛାଡ଼ି ଓଡ଼ିଶା ନିଜ ବାପ ଘରକୁ ଫେରି ଆସିଥିଲେ । ଏଠାରେ ନିଜର ପରିବାର ପ୍ରତିପୋଷଣ ପାଇଁ ସେ ଲୋକଙ୍କ ଘରେ କାମଧନ୍ଦା କରିଥିବା ସ୍ଥଳେ ଜଳେଶ୍ୱର ଥାନା ସେକସରାଇ ଗ୍ରାମରେ ଥିବା ଏକ ପ୍ଲାଷ୍ଟିକ ଫ୍ୟାକ୍ଟ୍ରିରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗୁରୁବାର ସକାଳ ସମୟରେ ପୂର୍ଣ୍ଣିମା ଫ୍ୟାକ୍ଟ୍ରିକୁ କାମ ପାଇଁ ଯାଉଥିବା କହି ଘରୁ ବାହାରିଥିବା ବେଳେ ସେଠାରେ ପହଞ୍ଚି ନଥିଲେ । ଅଥଚ ନିଜ ଗ୍ରାମ ନିକଟ ଏକ ନିଛାଟିଆ ଜାଗାରେ ତାଙ୍କର ପିନ୍ଧାଲୁଗା ପଡ଼ିଥିବା ତାଙ୍କ ପୁଅ ଦେଖି ପୂର୍ଣ୍ଣିମାଙ୍କ ଭାଇକୁ ଖବର ଦେଇଥିଲେ । ପରେ ପୂର୍ଣ୍ଣିମାଙ୍କ ପରିବାର ଲୋକ ସେ କାମ କରୁଥିବା ଫ୍ୟାକ୍ଟ୍ରି ସମେତ ବିଭିନ୍ନ ଜାଗାରେ ବହୁ ଖୋଜାଖୋଜି କରି ପାଇନଥିଲେ । ତାଙ୍କର ମୋବାଇଲ ମଧ୍ୟ ସୁଇଚ ଅଫ୍ ଥିବା ଜଣାଯାଇଥିଲା । ପରେ କୌଣସି ଉପାୟ ନପାଇ ପୂର୍ଣ୍ଣିମାଙ୍କ ଭାଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୋଲିସ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଜଣାଯାଇଛି ।