ଶିକ୍ଷୟିତ୍ରୀ ନିଖୋଜ ମାମଲା : ଆଜି ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଭୁବନେଶ୍ୱର : କଳାହାଣ୍ଡି ଜିଲା ସନସାଇନ୍ କଲେଜ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଏଥିସହିତ ପୋଲିସ ୫ ଦିନିଆ ରିମାଣ୍ଡ ଆବେଦନ କରିବା ନେଇ ସୂଚନା ମିଳିଛି। ସେପଟେ ସିନ୍ଧେକେଲା ଥାନାରେ ଅଟକ ଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ, କଲେଜ ନାଇଟଓ୍ବାଚ୍ ମ୍ୟାନ ଗୁପ୍ତେ ତାଣ୍ଡି ଓ କଲେଜ ପ୍ରିନ୍ସପାଲ ରଂଜୀତ ସାହୁଙ୍କୁ ମଧ୍ୟ ବଲାଂଗୀର ଆଣି ପଚରାଉଚୁରା ଚଳାଇଛି ବଲାଙ୍ଗୀର ପୋଲିସ । ଆଜି ସେମାନଙ୍କୁ ମଧ୍ୟ କୋର୍ଟ ଚାଲାଣ କରାଯିବା ନେଇ ସୂଚନା ରାହିଛି।
ସେହିପରି ଅନ୍ୟ ୩ ଜଣଙ୍କ ଠାରୁ ମଧ୍ୟ ବହୁ ତଥ୍ୟ ହାସଲ କରିଛି ପୋଲିସ। ରାତି ୩ ଟାରେ ଡାକ୍ତରୀ ପରୀକ୍ଷା ପାଇଁ ଗୋବିନ୍ଦଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନିଆଯାଇଥିଲା । ତେବେ ଗୋବିନ୍ଦ ଶେଷ ଥର ପାଇଁ ମମିତାଙ୍କ ସହ କଳାହାଣ୍ଡିରେ ସପିଙ୍ଗ କରିବାକୁ ଯାଇଥିବାର ସିସିଟିଭି ଭିଡିଓ ପୋଲିସ ହାତରେ ଲାଗିଛି । ସେବେଠାରୁ ମମିତା ନିଖୋଜ ହେବା ଏବଂ ଗୋବିନ୍ଦ ପୋଲିସି ବାରାକରୁ ଫେରାର ହେବ ପର୍ଯ୍ୟନ୍ତ ସମସ୍ତ ଘଟଣାକୁ ନେଇ ଘନ ଘନ ଜେରା କରାଯାଇଛି । ଅନେକ ତଥ୍ୟ ଓଗାଳିଛି ପୋଲିସ୍ । ଘଟଣାରେ ପୋଲିସ ଜଣେ +୩ ଛତ୍ରୀଙ୍କୁ ଅଟକ ରଖିଥିବା ବେଳେ ବର୍ତ୍ତମାନ ତାଙ୍କୁ କେଉଁଠି ରଖାଯାଇଛି । ଜେରା କରାଯାଇଛି କି ନାହିଁ ସେ ନେଇ ସ୍ପଷ୍ଟ ସୂଚନା ମିଳିନି। ସୂଚନା ଯେ, ଶିକ୍ଷୟିତ୍ରୀ ମମିତା ମେହେରଙ୍କ ନିଖୋଜ ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରା ପଡ଼ିଛି । ବଙ୍ଗୋମୁଣ୍ଡା ବ୍ଲକ୍ ଝରିଆଲ ପଂଚାୟତ ବୁଢ଼ିପଦର ଗାଁର ଏକ ଆଖୁ ବାଡ଼ିରେ ଗୋବିନ୍ଦ ଲୁଚିଥିଲା । ଗାଁ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଂଚି ଗୋବିନ୍ଦ ସାହୁକୁ ଧରିଛି । ପରେ ତାଙ୍କୁ ଗତ ରାତି ତମାମ ଘନ ଘନ ଜେରା କରିଛି ପୋଲିସ । ବଲାଙ୍ଗିର ଏସପିଙ୍କ କାର୍ଯ୍ୟାଳୟରେ ଘନ ଘନ ଜେରା କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ । ଘଟଣାରେ ବିଭିନ୍ନ ଦିଗକୁ ନେଇପଚରାଉଚୁରା କରାଯାଇଥିବା ସୂଚନା ମିଳିଛି । ଉତ୍ତରାଞ୍ଚଳ ଡ଼ିଆଇଜି ଦୀପକ କୁମାର , ବଲାଙ୍ଗୀର ଏସପି ନୀତିନ କୁଶଲକରଙ୍କ ସହ ଵିଭିନ୍ନ ଅଧିକାରୀ ମିଳିତ ଜେରା କରିଛନ୍ତି । ରାତି ତମାମ ଜେରା ଜାରି ରହିଥିଲା। ଦୀର୍ଘ ୯ ଘଣ୍ଟା ଧରି ଜେରା କରାଯାଇଥିବା ବେଳେ ବିଭିନ୍ନ ତଥ୍ୟ ପୋଲସ ହାତରେ ଲାଗିଥିବା ସୂଚନା ମିଳିଛି ।