ଗୁଣ୍ଡିଚା ମନ୍ଦିର ରୋଷଘରେ ୨୦ ଚୁଲି ଭାଙ୍ଗିଲେ ଦୁବୃର୍ତ୍ତ
ପୁରୀ : ସବୁଠୁ ବଡ଼ ଖିଆ ବୋଲି ପ୍ରଭୁ ଜଗନ୍ନାଥଙ୍କୁ କୁହାଯାଏ । ତେବେ କାଳିଆର ବଡ଼ ଖିଆ ବୋଧେ କିଛି ଲୋକଙ୍କ ମନକୁ ପାଉନି । ତେଣୁ କାଳିଆ ସାଆନ୍ତଙ୍କ ପାଇଁ ନିର୍ମିତ ରୋଷ ଘରରୁ ବାରମ୍ବାର ଚୁଲି ଭଙ୍ଗା ଚାଲିଛି । ଶ୍ରୀମନ୍ଦିର ରୋଷ ଘରୁ ଚୁଲିଭଙ୍ଗା ଘଟଣା ମନରୁ ନଲିଭୁଣୁ ପୁରୀ ଗୁଣ୍ଡିଚା ମନ୍ଦିର ରୋଷଘରେ ୨୦ଟି ଚୁଲିକୁ କେହି ଭାଙ୍ଗି ଦେଇଥିବା ସୂଚନା ମିଳିଛି । ସୁଆର ମହାସୁଆର ନିଯୋଗ ସଭାପତି ନାରାୟଣ ମହାସୁଆର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି, ସେଠାରେ ନୂଆ ଚୁଲି ତିଆରି ହୋଇଥିଲା । ମାତ୍ର ଶୁକ୍ରବାର ରାତିରେ କେହି ସେଠାରେ ପଶି ୨୦ଟି ଚୁଲି ଭାଙ୍ଗି ଦେଇଛି । କିଏ ଭାଙ୍ଗିଛି ତାହା ଜଣାପଡ଼ିନି । ଯିଏ ପାରି ସିଏ ଏବେ ତା’ ଭିତରକୁ ପଶିଯାଉଛନ୍ତି । କିଛି ବ୍ୟବସ୍ଥା ନାହିଁ । ତେଣୁ କିଏ ପଶି ଭାଙ୍ଗି ଦେଇଥିବ । ସେ ଆହୁରି କହିଛନ୍ତି, ରଥଯାତ୍ରାରେ ଶ୍ରୀଜୀଉ ମାଉସୀମା ଘରକୁ ଆସିଥିବା ଯୋଗୁଁ ଆଡ଼ପ ଅବଢ଼ା ରନ୍ଧା ହେବା ପାଇଁ ଏହି ଚୁଲି ଗୁଡ଼ିକୁ ତିଆରି କରାଯାଇଥିଲା । ସୁଆର ସେବାୟତ ଟୁଲୁ ମହାସୁଆର କହିଛନ୍ତି, ୫ ଦିନ ପୂର୍ବରୁ ଚୁଲି ଗୁଡ଼ିକୁ ତିଆରି କରାଯାଇଥିଲା । ମୋଟ ୭୫୨ଟି ଚୁଲି ତିଆରି କରାଯାଇଥିଲା । ତା’ ମଧ୍ୟରୁ ୨୦ଟି ଚୁଲିକୁ ଭାଙ୍ଗି ଦିଆଯାଇଛି । କେହି ଏଗୁଡ଼ିକୁ ହାତରେ ଭାଙ୍ଗିଛି । ଶ୍ରୀମନ୍ଦିର ରୋଷଘର ଚୁଲି ଭଳି ଏଗୁଡ଼ିକୁ ତଡ଼ା ଯାଇନି । ଚୁଲି ଗୁଡ଼ିକର ମାଟି କଞ୍ଚା ଥିବାରୁ ହାତରେ ଭଙ୍ଗା ଯାଇଛି । ବାହାର ଲୋକେ କେହି ଭାଙ୍ଗି ନାହାନ୍ତି । ଆମ ସେବାୟତ ଭାଇଙ୍କ ଭିତରୁ କେହି ଚୁଲି ଗୁଡ଼ିକୁ ଭାଙ୍ଗି ଥିବା ଭଳି ମନେ ହେଉଛି । ରଥଯାତ୍ରା ପାଇଁ ଶ୍ରୀମନ୍ଦିର ଠାରୁ ଆରମ୍ଭ କରି ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ପୁଲିସ୍ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବାବେଳେ ଏମିତି ଏକ ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ପୁରୀ ଶ୍ରୀମନ୍ଦିରର ରୋଷଘରେ ୮୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଥିଲା । ଏହି ଘଟଣାରେ ପୁଲିସ୍ ଜଗନ ମହାପାତ୍ର ନାମକ ଜଣେ ଯୁବକଙ୍କୁ ଗିରଫ କରିଥିଲା ।