ପ୍ରଦୂଷଣ କମାଇବାକୁ ମନ୍ତ୍ରୀଙ୍କ ସାଇକେଲରେ ପ୍ରଚାର

ଖଇରା : ବାଲେଶ୍ୱର ଜିଲା ଖଇରା ବ୍ଲକରେ ଗଳିକନ୍ଦିରେ ଦଳଦଳ ନେତା ଓ ତାଙ୍କର ସମର୍ଥକ ମାନେ ବୁଲି ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି । ଅସନ୍ତୁଷ୍ଟଙ୍କୁ ମନାଇବାକୁ ଓ ଭୋଟରକୁ ନିଜ ସପକ୍ଷରେ ନେବାକୁ ପ୍ରାର୍ଥୀମାନେ କସରତ ଚଲାଇଛନ୍ତି । ଏଭଳି ପରିସ୍ଥିତିରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ କିନ୍ତୁ ସାଇକେଲରେ ବୁଲି ବୁଲି ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।
ଖଇରା ଓ ପଳସାରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ସାଇକେଲରେ ବୁଲି ବୁଲି ଭୋଟରଙ୍କ ଭଲମନ୍ଦ ବୁଝିବା ସହ ପୂର୍ବକାମକୁ ମନେ ପକାଇ ଆଉରି ଅଧିକ ବିକାଶ ତାଙ୍କ ପ୍ରାର୍ଥୀ ମାନଙ୍କୁ ଭୋଟ ଦେବାକୁ ନିବେଦନ କରିଥିଲେ । ସକାଳେ ପ୍ରଥମେ ଖଇରା ପଞ୍ଚାୟତରେ ଜିଲା ପରିଷଦ ପ୍ରାର୍ଥୀନୀ ରଶ୍ମିତା ମହାପାତ୍ର, ସରପଞ୍ଚ ପ୍ରାର୍ଥୀନୀ ମାଳତି ସେଠୀ ଓ ସମତିସଭ୍ୟା ପ୍ରାର୍ଥିନୀ ନର୍ମଦା ଦେଓଙ୍କ ସହିତ ବିଭିନ୍ନ ୱାର୍ଡ ବୁଲିବା ସହ ଖଇରା ବଜାର ପରିକ୍ରମା କରିଥିଲେ । ପରେ ସାଇକେଲରେ କର୍ମୀଙ୍କ ସହ ପଳସା ପଞ୍ଚାୟତର ପଳସା,ନଛିପୁର ଗ୍ରାମର ବିଭିନ୍ନ ୱାର୍ଡ ବୁଲି ଭୋଟରଙ୍କୁ ଭେଟିଥିଲେ । ହେଲେ କିଛି ଭୋଟର ପୂର୍ବ ଲୋକପ୍ରତିନିଧିଙ୍କ କାର୍ଯ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିବା ପରେ ସେ ଏହା ପରଠାରୁ ନିଜେ ପଞ୍ଚାୟତ କଥା ବୁଝିବାକୁ ପ୍ରତିଶୃତି ଦେଇଥିଲେ । ଏଣୁ ତାଙ୍କୁ ଅଧିକ କ୍ରିୟାଶୀଳ କରିବାକୁ ସରପଞ୍ଚ ପ୍ରାର୍ଥୀ ଅଶୋକ ଦାସମହାପାତ୍ର ଓ ସମିତିସଭ୍ୟ ପ୍ରାର୍ଥୀ ରବିନ୍ଦ୍ର ବେହେରାଙ୍କୁ ଜିତାଇବାକୁ ନିବେଦନ କରିଥିଲେ । ସେହିଭଳି ବୁଧବାର ଦିନ ସେ ଜିଲା ପରିଷଦ ପ୍ରାର୍ଥୀ ମାନସ ଦାଶ,ବିଶ୍ଭୂଷଣ ପ୍ରଧାନ.ରବିନ୍ଦ୍ର ମହାନ୍ତିଙ୍କ ସହ ସାଇକେଲରେ ଶ୍ୟାମସୁନ୍ଦରପୁର ପଞ୍ଚାୟତ ର ରୁଢିଙ୍ଗିଆ ଗ୍ରାମକୁ ପ୍ରଚାର ଯାଇ ପଥପ୍ରାନ୍ତ ସଭାରେ ନିଜ ବକ୍ତବ୍ୟ ରଖିଥିଲେ । ତାଙ୍କ ସମ୍ମାନ ପାଇଁ ସରପଞ୍ଚ ପ୍ରାର୍ଥୀନୀ ବନିତା ପ୍ରଧାନ ଓ ସମିତିସଭ୍ୟା ପ୍ରାର୍ଥୀନୀ ବାସନ୍ତି ମହାନ୍ତିଙ୍କୁ ଜିତାଇବାକୁ ଅନୁରୋଧ କରିଥିଲେ । ଗାଡିରେ ଭ୍ରମଣ ଯୋଗୁଁ ପ୍ରଦୂଷଣ ବୃଦ୍ଧିର ଆଶଙ୍କା ଥିବାରୁ ଯଥାସମ୍ଭବ ସେ ସାଇକେଲ ପ୍ରଚାରକୁ ଅଧୀକ ଗୁରୁତ୍ୱ ଦେଉଛନ୍ତି ବୋଲି କହିଥିଲେ ।