ମମିତା ମେହେର ହତ୍ୟା ଘଟଣାରେ ମୁହଁ ଖୋଲିଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର
- ଘଟଣାରେ ମର୍ମାହତ, ଦୋଷୀ କଠୋର ଦଣ୍ଡ ପାଇବା ଆବଶ୍ୟକ
- ଅଭିଯୋଗର ସତ୍ୟତା ଥିଲେ ରାଜନୀତିରୁ ସନ୍ନ୍ୟାସ ନେବି
ଭୁବନେଶ୍ୱର : ସନ୍ସାଇନ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଦୀର୍ଘ ଦିନର ନିରବତା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର । ଶୁକ୍ରବାର ଏକ ପ୍ରେସ୍ ବିବୃତି ଜରିଆରେ ସେ କହିଛନ୍ତି, ମମିତାଙ୍କ ଦୁର୍ଭାଗ୍ୟଜନକ ମୃତ୍ୟୁ ପାଇଁ ମୁଁ ଗଭୀର ମର୍ମାହତ । ମମିତାଙ୍କ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି । ଆଇନ ଅନୁଯାୟୀ ଦୋଷୀଙ୍କୁ କଠୋର ଦଣ୍ଡ ଦିଆଯିବା ଆବଶ୍ୟକ । ଏଥିସହ ସେ କହିଛନ୍ତି ଯେ ବିରୋଧୀ ରାଜନୈତିକ ଦଳ ବା ଗଣମାଧ୍ୟମ ନିକଟରେ ତାଙ୍କ ବିରୁଦ୍ଧରେ କୌଣସି ପ୍ରମାଣ ଥିଲେ ପୋଲିସ୍ କିମ୍ବା କୋର୍ଟକୁ ଦିଅନ୍ତୁ । ସେହିପରି ମହାଲିଙ୍ଗ କଲେଜ କାର୍ଯ୍ୟକ୍ରମରେ ଯୋଗଦେବା ସଂପର୍କରେ ସ୍ପଷ୍ଟୀକରଣ ଦେବାକୁ ଯାଇ କ୍ୟାପ୍ଟେନ୍ ମିଶ୍ର ଲେଖିଛନ୍ତି ଜନ ପ୍ରତିନିଧିମାନେ ଶିକ୍ଷାନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତି । ମୁଁ ଯଦି ଏପରି କୌଣସି ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗଦେଇଥାଏ ଓ ସେଠି ପରେ କିଛି ଅପରାଧ ଘଟେ, ସେଥିପାଇଁ ମୋତେ ଦାୟୀ କରାଯାଇପାରିବ ନାହିଁ ।
ଅପରପକ୍ଷରେ ମିଥ୍ୟା ଆଧାରରେ କେତେକ ଗଣମାଧ୍ୟମ ଚରିତ୍ର ସଂହାର କରିଥିବା ଦିବ୍ୟଶଙ୍କର ଲେଖିଛନ୍ତି । ଏହାକୁ ନେଇ ତାଙ୍କ ପରିବାର ୩ ଟି ଗଣମାଧ୍ୟମ ସଂସ୍ଥା ବିରୋଧରେ ମାନହାନୀ ମୋକଦ୍ଦମା କରିଛନ୍ତି । ସେ ଲେଖିଛନ୍ତି ରାଜନୀତିରେ ଯୋଗଦେବା ପୂର୍ବରୁ ମୁଁ ଏହି ଦେଶର ସଶସ୍ତ୍ର ବାହିନୀରେ କାର୍ଯ୍ୟ କରିଥିଲି । ମୁଁ ବାୟୁସେନାରେ ଥିଲି । ଯେତେବେଳେ ମୁଁ ରାଜନୀତିରେ ଯୋଗ ଦେଲି, ମୁଁ ମୋର ବାୟୁସେନା ଦିନର ଆଦର୍ଶକୁ ମୋ ସହିତ ଆଣିଥିଲି । ମୁଁ ପଛେ କ୍ଷତିଗ୍ରସ୍ତ ହେବି, କିନ୍ତୁ ଜଣେ ହେଲେ ବ୍ୟକ୍ତିଙ୍କୁ ଦୁଃଖ ଭୋଗ କରିବାକୁ ଦେବି ନାହିଁ । ମୁଁ ସାଧାରଣ ଜୀବନରେ ପ୍ରବେଶ କରିବା ଦିନଠାରୁ, ମୋ ନିର୍ବାଚନ ମଣ୍ଡଳୀ ଜୁନାଗଡ଼ ଓ କଳାହାଣ୍ଡିର ବିକାଶ ଉପରେ ଧ୍ୟାନ ଦେଇଛି । ମୁଁ ବ୍ୟଥିତ ହୋଇଗଲି ଯେତେବେଳେ ମିଥ୍ୟା ଆଧାରରେ କିଛି ଗଣମାଧ୍ୟମ ମୋତେ ବଦନାମ କରିବା ସହିତ ମିଥ୍ୟା ଆଧାରରେ ଚରିତ୍ର ସଂହାର ଅଭିଯାନ ଆରମ୍ଭ କଲେ । ଏହା ମୋ ପରିବାରକୁ ମଧ୍ୟ ଆଘାତ ଦେଇଛି । ଶେଷରେ ସେ କହିଛନ୍ତି ମୁଁ ଉଚ୍ଚ ବେତନ ପ୍ରାପ୍ତ ପାଇଲଟ୍ ଚାକିରୀ ଛାଡି ଜୁନାଗଡ , କଳାହାଣ୍ଡି ଲୋକଙ୍କର ସେବାପାଇଁ ରାଜନୀତିରେ ଯୋଗଦେଇଥିଲି । ମୁଁ ମାଣିକେଶ୍ୱରୀଙ୍କ ନାମରେ ଶପଥ କରୁଛି ଏହି ଅପରାଧ ସହ ମୋର କୌଣସି ସମ୍ପର୍କ ନାହିଁ ।