ଓଡ଼ିଶା କୋଷ୍ଟ କେନାଲର ପୁନଃରୁଦ୍ଧାର ପାଇଁ କେନ୍ଦ୍ରମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ
ବାଲେଶ୍ୱର : ବାଲେଶ୍ୱର ସହର ଜେଲ ରୋଡ଼ ସ୍ଥିତ ‘ଓଡ଼ିଶା କୋଷ୍ଟ କେନାଲ ମଞ୍ଚ’ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ପରିବହନ ଭବନ ଠାରେ କେନ୍ଦ୍ର ଜାହାଜ ଚଳାଚଳ, ପରିବହନ, ବନ୍ଦର ଓ ଜଳପଥ ମନ୍ତ୍ରୀ ସର୍ବାନନ୍ଦ ସୋନାୱାଲଙ୍କୁ କେନାଲର ପୁନଃରୁଦ୍ଧାର ପାଇଁ ଏକ ସ୍ମାରକପତ୍ର ମଞ୍ଚର କାର୍ଯ୍ୟକର୍ତ୍ତା ଶୁଭଙ୍କର ମହାପାତ୍ର ଓ ଗୋବିନ୍ଦ ବଲ୍ଲଭ ଦଳାଇଙ୍କ ଦ୍ୱାରା ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି ।
ଓଡ଼ିଶା କୋଷ୍ଟ କେନାଲ ବେଙ୍ଗଲର ଗେଓଖାଲିଠାରୁ ଭଦ୍ରକର ଚାରବାଟିଆ ପର୍ଯ୍ୟନ୍ତ ୨୧୭ କିଲୋମିଟର ଲମ୍ବିଛି । ନ’ଅଙ୍କ ଦୁର୍ଭିକ୍ଷ ପରେ ବ୍ରିଟିଶ ସରକାରଙ୍କ ସମୟରେ ‘କାମ ବିନିମୟରେ ଖାଦ୍ୟ’ ସ୍କିମ୍ରେ ଏହା ନିର୍ମାଣ କରାଯାଇଥିଲା । ଏହା ଦ୍ୱାରା ଏ ଅଞ୍ଚଳର ଗମନାଗମନ, ଜଳସେଚନ ଓ ପରିବହନ କାର୍ଯ୍ୟ ସୂଚାରୁ ରୂପେ ହୋଇପାରୁଥିଲା । ପରବର୍ତ୍ତୀ କାଳରେ ରେଳପଥ ଓ ଜାତୀୟ ରାଜପଥର ଦ୍ରୁତ ବିକାଶ ହେତୁ ଏହାର ଉପଯୋଗିତା କ୍ରମଶଃ କମିଯିବା ଫଳରେ ଏହା ଅନୁପଯୋଗୀ ହୋଇଯିବାରୁ ଚିଙ୍ଗୁଡ଼ି ମାଫିଆ ଓ ଜବରଦଖଲକାରୀମାନେ ଏହାକୁ ଅକ୍ତିଆର କରିନେଇଛନ୍ତି । ଜାତୀୟ ଜଳପଥ ନଂ. ୫ରେ ୬୨୩ କିଲୋମିଟରର ପ୍ରାବଧାନ ଥିଲାବେଳେ ତାଳଚେରରୁ ଧାମରା ୨୬୫ କିଲୋମିଟର ଓ ମଙ୍ଗଳାଯୋଡ଼ିରୁ ପାରାଦ୍ୱୀପ ୧୦୧ କିଲୋମିଟର ଜଳପଥର ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେଉଥିଲାବେଳେ ଗେଓଖାଲିରୁ ଚାରବାଟିଆ, ଧାମରା ଜଳପଥର ବିକାଶ କାର୍ଯ୍ୟକ୍ରମ ଶୀତଳ ଭଣ୍ଡାରରେ ପଡ଼ିରହିଛି । ସମ୍ପ୍ରତି ଜଳସେଚନ, ଭୂତଳ ଜଳସ୍ତରର ନିମ୍ନଗାମୀ ହେବାର ଉତ୍କଟତା ହେତୁ ମପରିବହନ ଓ ପରିବେଶ ନିମନ୍ତେ ଓଡ଼ିଶା କୋଷ୍ଟ କେନାଲର ପୁନଃରୁଦ୍ଧାର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଏହାର ବିକାଶ ଦ୍ୱାରା ବେଙ୍ଗଲ ଓ ଓଡ଼ିଶାର ବାଲେଶ୍ୱର, ଭଦ୍ରକ ଜିଲାର ଅଧିବାସୀଙ୍କର ଜୀବନଜୀବିକା ଉନ୍ନତ ହେବ । ବାଲେଶ୍ୱର ସାଂସଦ ଶ୍ରୀ ଷଡ଼ଙ୍ଗୀ କୋଷ୍ଟ କେନାଲର ପୁନଃରୁଦ୍ଧାର ପାଇଁ ଉଦ୍ୟମ ଅବ୍ୟାହତ ରଖିଥିବା ବେଳେ ଭଦ୍ରକର ସାଂସଦ ମଞ୍ଜୁଲତା ମଣ୍ଡଳ ସଂସଦରେ ଏହି ପ୍ରସଙ୍ଗ ଉତ୍ଥାପନ କରି ଦୃଢ଼ ଦାବି ଜଣାଇଛନ୍ତି । ବେଙ୍ଗଲର ସାଂସଦ ଦିଲ୍ଲୀପ ଘୋଷଙ୍କୁ ମଧ୍ୟ ପୁନଃରୁଦ୍ଧାର ମଞ୍ଚର କାର୍ଯ୍ୟକର୍ତ୍ତା ଏ ଦିଗରେ ପଦକ୍ଷେପ ନେବା ପାଇଁ ଭେଟିଛନ୍ତି । କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କୋଷ୍ଟ କେନାଲର ପୁନଃରୁଦ୍ଧାରର ସଫଳ ରୂପାୟନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ।