ବାଲେଶ୍ୱରରେ ଲାୟନ୍ସ କ୍ଲବ ସମୁହ ପକ୍ଷରୁ ମେଗା ମଧୁମେହ ରୋଗ ପରୀକ୍ଷଣ ଶିବିର
ବାଲେଶ୍ୱର : ବାଲେଶ୍ୱରର ଲାୟନ୍ସ କ୍ଲବ ସମୁହଙ୍କ ପକ୍ଷରୁ ମେଗା ମଧୁମେହ ରୋଗ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବାଲେଶ୍ୱର ଲାୟନ୍ସ କ୍ଲବ ସ୍ୟାଣ୍ଡ ସିଟି, ଲାୟନ୍ସ କ୍ଲବ ଉମଙ୍ଗ, ଲାୟନ୍ସ କ୍ଲବ ୟୁଥ୍, ଲାୟନ୍ସ କ୍ଲବ ପରିବାର, ଲାୟନ୍ସ କ୍ଲବ ମିତ୍ରପୁର, ଲାୟନ୍ସ କ୍ଲବ ଗୋପାଳପୁର, ଲାୟନ୍ସ କ୍ଲବ ଡାଇନାମିକ ପ୍ରଭୃତି ସଂଗଠନ ଅଂଶଗ୍ରହଣ ସହ ଜିଲ୍ଲାର ସାତଟି ସ୍ଥାନରେ ଏକ ସଙ୍ଗେ ମଧୁମେହ ରୋଗ ଚିହ୍ନଟ ଶିବିର ଆୟୋଜନ କରିଥିଲେ । ଜିଲାର ୭ଟି ସ୍ଥାନରେ ଏକ ସଙ୍ଗେ ଆୟୋଜିତ ଶିବିରରେ ଶତାଧିକ ଲୋକ ନିଜର ରକ୍ତ ପରୀକ୍ଷା କରାଇଥିଲେ ।
ବାଲେଶ୍ୱର ସହରର ଫାଣ୍ଡିଛକ ଠାରେ ଅନୁଷ୍ଠିତ ଶିବିରକୁ ବାଲେଶ୍ୱର ଲାୟନ୍ସ କ୍ଲବ ସଭାପତି ତଥା ବାଲେଶ୍ୱର ଚାମ୍ବର ଅଫ କମର୍ସର ସମ୍ପାଦକ ଚନ୍ଦ୍ର ପ୍ରକାଶ ଭରତିଆ ଉଦଘାଟନ କରିବା ସହିତ ଲାୟନ୍ସ କ୍ଲବ ସମୁହର ସଦସ୍ୟଙ୍କ ଏତାଦୃଶ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ । ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ସାମ୍ପ୍ରତିକ ସମାଜରେ ମଧୁମେହ ରୋଗ ବହୁଳ ମାତ୍ରାରେ ପରିଲକ୍ଷିତ ହେଉଛି । ଅଜ୍ଞତାବଶତଃ ବହୁ ଲୋକେ ନିଜ ଠାରେ ମଧୁମେହ ରୋଗର ଲକ୍ଷଣ ସମ୍ପର୍କରେ ଅବଗତ ନଥିବାରୁ ଏହି ଭଳି ଶିବିର ରୋଗର ଚିହ୍ନଟ ସହ ସେମାନଙ୍କୁ ସଚେତନ କରିବାରେ ସହାୟକ ହେବ ବୋଲି ଶ୍ରୀ ଭରତିଆ ଆଶାପ୍ରକାଶ କରିଥିଲେ । ଲାୟନ୍ସ କ୍ଲବର ସଦସ୍ୟ ଶିବୁ ପୋଦାର ଏଥିରେ ଉପସ୍ଥିତ ରହି ଶିବିର ଆୟୋଜନର ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସୁନିଲ ମୋଦି, କମଲ ମୋଦି, ରାଜେନ୍ଦ୍ର ମହାୱାର, ରାଜେନ୍ଦ୍ର ଗୁପ୍ତା, ରମେଶ ଗୁପ୍ତା, ରାଜ ଖଣ୍ଡେଲୱାଲ ପ୍ରମୁଖ ଲାୟନ୍ସ କ୍ଲବ ସଦସ୍ୟ ଏହି ଶିବିରରେ ଉପସ୍ଥିତ ଥିଲେ । ସେହିପରି ବାଲେଶ୍ୱର ସହରର ଷ୍ଟେସନ ଛକ ଠାରେ ଲାୟନ୍ସ କ୍ଲବ ସ୍ୟାଣ୍ଡ ସିଟି ପକ୍ଷରୁ ଆୟୋଜିତ ଶିବିରରେ ସଭାପତି ଅୟନ ସେନଙ୍କ ସମେତ ଆନନ୍ଦ ଝା, ନବଲ ଅଗ୍ରୱାଲ, ଲାଇଜୁ ମିଶ୍ର, ରଜନୀକାନ୍ତ ମହାପାତ୍ର, ମଧୁମତି ମହାପାତ୍ର, ପିୟୁଷ ଆଜମେରା ପ୍ରମୁଖ ଉପସ୍ଥିତ ରହି ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ । ଅନୁରୂପ ଭାବେ ପୋଲିସ ଲାଇନ ଛକ ଠାରେ ଲାୟନ୍ସ କ୍ଲବ ୟୁଥ୍ ପକ୍ଷରୁ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ କ୍ଲବର ସଦସ୍ୟମାନେ ଉପସ୍ଥିତ ରହି ମହୁମେହ ରୋଗର କାରଣ ଓ ଏହାର ନିରାକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ । ସଚେତନତା ଦ୍ୱାରା ମଧୁମେହ ରୋଗୀ ରୋଗକୁ ନିୟନ୍ତ୍ରଣ କରିପାରିବେ ଓ ଅନ୍ୟମାନେ ରୋଗ ଠାରୁ ଦୂରେଇ ରହିପାରିବେ ବୋଲି ସେମାନେ କହିଥିଲେ । କ୍ଲବର ସଭାପତି ସୌରଭ ଖଣ୍ଡେଲୱାଲ ଓ ସମ୍ପାଦକ ରାଜୀବ ଖଣ୍ଡେଲୱାଲଙ୍କ ସମେତ ରଞ୍ଜନ ଖଣ୍ଡେଲୱାଲ, ଅଙ୍କିତ ପୋଦାର, ପ୍ରତିକ ଉଦାନୀ, କେଶବ ମୋଦି, ଅଜୟ ଅଗ୍ରୱାଲ, ଶୁଭମ ପୋଦାର ପ୍ରମୁଖ ଶିବିର ପରିଚାଳନା କରିଥିଲେ । ଏହି ଭଳି ଶିବିର ଜିଲ୍ଲାର ଜଳେଶ୍ୱର, ମିତ୍ରପୁର, ଗୋପାଳ ପୁର ଓ ବାଲେଶ୍ୱର ସହରର ଆଇଟିଆଇ ଛକ ଠାରେ ମଧ୍ୟ ଆୟୋଜିତ ହୋଇଥିଲା ।