ଭଉଁରିଆବାଡ଼ ପଞ୍ଚାୟତରେ ମେଗା ରକ୍ତଦାନ ଶିବିର, ୫୫ ୟୁନିଟ୍ ସଂଗୃହୀତ
ନୀଳଗିରି : ପ୍ରତିଟି ଜୀବନ ମୂଲ୍ୟବାନ ଓ ରକ୍ତ ଅଭାବ ଜନିତ ମୃତ୍ୟୁକୁ ରୋକିବା କ୍ଷେତ୍ରରେ ରକ୍ତ ଦାନ ମହତ ଦାନ ହୋଇଥାଏ । ଗ୍ରୀଷ୍ମ ମାସରେ ରକ୍ତ ଅଭାବକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ଦାସ ମଙ୍ଗରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ରବିବାର ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧିନସ୍ଥ ଭଉଁରିଆବାଡ଼ ଗ୍ରାମ ପଞ୍ଚାୟତର ପଦ୍ମଲୋଚନ ମୁଣ୍ଡହାଣ ହାଇସ୍କୁଲ ପରିସରରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ମେଗା ରକ୍ତଦାନ ଶିବିରକୁ ଶ୍ରୀ ମଙ୍ଗରାଜ ଫିତା କାଟି ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲା ବେଳେ ବକ୍ତବ୍ୟରେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ଜନସମାଜକୁ ଆହ୍ୱାନ ଦେଇଥିଲେ ।
ମୁଖ୍ୟ ଅତିଥି ଭାବେ ନୀଳଗିରି ବିଜେଡି ବ୍ଲକ ସଭାପତି ବିଜୟ ଲେଙ୍କା, ବିଜେଡି ନୀଳଗିରି ଏନ୍ଏସି ଅନୁସୂଚିତ ଜାତିର ସଭାପତି ଶରତ ଦାସ, ଉଦୟଜ୍ୟୋତି ମହାନ୍ତି ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ଉତ୍ସାହିତ ଓ ଆୟୋଜକଙ୍କୁ ଭୂୟସୀ ପ୍ରଶଂସା କରିଥିଲେ । ଶିବିରରେ ମୋଟ୍ ୫୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ଏହି ରକ୍ତ ସଂଗ୍ରହ କାର୍ଯ୍ୟକ୍ରମରେ ଡା. ମାନସ ରାଉତଙ୍କ ସହ ସରୋଜ ପଶା, ରାଜେଶ ଦାସ, ଦେବାଂଶୁ ବେହେରା, ଗତିକୃଷ୍ଣ ମହାନ୍ତି, ସଂଗ୍ରାମଜ୍ୟୋତି ମହାପାତ୍ର ପ୍ରମୁଖ କର୍ମକର୍ତ୍ତା ମେଗା ରକ୍ତଦାନ ଶିବିରରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ଅଭିଜିତ ବେହେରା, ଜ୍ଞାନରଞ୍ଜନ ପାଣିଆ, ରବିନ୍ଦ୍ର ପରିଡ଼ା, ଦିଲୀପ ବାରିକ, ସଞ୍ଜୟ କୁମାର ନାୟକ, ଜଳଧର ନାୟକ ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ସହଯୋଗ ଓ ଉତ୍ସାହିତ କରିଥିଲେ ।