ଆରମ୍ଭ ହେଲା ମଇ ମାସ ! ଜାଣନ୍ତୁ ଏହି ମାସରେ ପଡୁଥିବା ପର୍ବ, ପର୍ବାଣି ଓ ପବିତ୍ର ଦିନ
ଆଜି ଠାରୁ ଆରମ୍ଭ ହେଲା ମଇ ମାସ। ଏହି ମାସରେ ଅନେକ ପର୍ବ, ପର୍ବାଣି ଓ ପବିତ୍ର ଦିନ ରହିଛି । ଆସନ୍ତୁ ଜାଣିବା ଏହି ମାସରେ ପଡୁଥିବା ପର୍ବ ପର୍ବାଣୀ ସମ୍ପର୍କରେ ।
ମଇ ୧ ତାରିଖକୁ ସାଧାରଣତଃ ଶ୍ରମିକ ଦିବସ ଭାବେ ପାଳନ କରାଯାଇଥାଏ। ଏହି ଦିନ ସରକାରୀ ଛୁଟି ଥାଏ।
ମଇ ୩ ତାରିଖରେ ପଡୁଛି ଅକ୍ଷୟ ତୃତୀୟା। ଏହା ହେଉଛି ଏକ ହିନ୍ଦୁ କ୍ୟାଲେଣ୍ଡରରେ ବଡ ଦିନ। କାରଣ ଏହି ଦିନ ସମସ୍ତ ଶୁଭ କାର୍ଯ୍ୟ ଅନୁକୂଳ କରାଯାଇଥାଏ। ଲୋକମାନେ ବିଭିନ୍ନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥାନ୍ତି।
ସେହିପରି ମଇ ୩ ତାରିଖ ଅକ୍ଷୟ ତୃତୀୟାରେ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥ କାମ ଅନୁକୂଳ ହୋଇଥାଏ। ଏହି ଦିନ ଜଗନ୍ନାଥ ସଂସ୍କୃତିରେ ଶୁଭ କାମ ଆରମ୍ଭ ହେଉଥିବାରୁ ରଥ ଅନୁକୂଳ କରାଯାଇଥାଏ। ସେଥିପାଇଁ ଓଡିଆ ସଂସ୍କୃତିରେ ଏହି ଦିନ ବିଭିନ୍ନ ଶୁଭକାମ ଆରମ୍ଭ ହେବାର ପରଂପରା ରହିଛି।
ଅନ୍ୟପକ୍ଷରେ ଏହି ମଇ ୩ ତାରିଖରେ ମଧ୍ୟ ଆରମ୍ଭ ହେବ ଚନ୍ଦନ ଯାତ୍ରା। ପ୍ରଭୃ ପୁରୀର ନରେନ୍ଦ୍ର ପୋଖରୀରେ ନୌକା ବିହାର କରିବେ।
ମଇ ୧୦ ତାରିଖରେ ପଡୁଛି ସୀତା ନବମୀ। ରାମ ନବମୀରେ ପ୍ରଭୃ ଶ୍ରୀରାମ ଜନ୍ମ ଗ୍ରହଣ କରିଥିବା ବେଳେ ବୈଶାଖ ମାସ ନବମୀରେ ସୀତା ଜନ୍ମ ଗ୍ରହଣ କରିଥିଲେ। ସେଥିପାଇଁ ଏହିଦିନକୁ ସୀତା ନବମୀ ଭାବେ ପାଳନ କରାଯାଉଛି।
ମଇ ୧୪ ତାରିଖରେ ପଡୁଛି ନୃସିଂହ ଚତୁର୍ଦ୍ଦଶୀ। ଏହି ଦିନ ସଂନ୍ଧ୍ୟା ସମୟରେ ଭଗବାନ ନୃସିଂହ ଅବତାର ଧାରଣ କରି ହିରଣ୍ୟକଷ୍ୟପୁଙ୍କୁ ବଧ କରିଥିଲେ। ଏହି ଦିନକୁ ସ୍ମରଣୀୟ କରି ରଖିବାକୁ ହିନ୍ଦୁମାନେ ନୃସିଂହ ଉପାସନା କରିଥାନ୍ତି। ଏପରିକି ସନ୍ଧ୍ୟା ସମୟରେ ଶ୍ରୀମନ୍ଦିରରେ ମଧ୍ୟ ନୃସିଂହ ଜନ୍ମନୀତି ସମ୍ପନ୍ନ ହୋଇଥାଏ।
ମଇ ୧୫ ତାରିଖରେ ପଡୁଛି ବୃଷ ସଂକ୍ରାନ୍ତି। ଏହି ସଂକ୍ରାନ୍ତିରେ ସୂର୍ଯ୍ୟ ଦେବ ରାଶି ପରିବର୍ତ୍ତନ କରି ବୃଷ ରାଶିରେ ପ୍ରବେଶ କରିବେ।
ମଇ ୧୬ ତାରିଖରେ ପଡୁଛି ଚନ୍ଦନ ପୂର୍ଣ୍ଣିମା ଓ ବୁଦ୍ଧ ଜୟନ୍ତୀ। ଏହି ଦିନ ଶ୍ରୀକ୍ଷେତ୍ରରେ ଚନ୍ଦନ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଥାଏ। ଏଥିସହିତ ଏହିଦିନ ବୈଦ୍ଧ ଧର୍ମାଲମ୍ବୀଙ୍କ ପାଇଁ ବଡ ପବିତ୍ର ଦିନ।
ଏଥର ସାବିତ୍ରୀ ବ୍ରତ ବା ଅମବାସ୍ୟା ମେ ମାସ ୩୦ ତାରିଖରେ ପଡୁଛି। ଏହି ବ୍ରତ ଓଡିଆ ନାରୀମାନଙ୍କ ପାଇଁ ଏକ ବିଶେଷ ପର୍ବ। ଏହିଦିନ ସଧବା ନାରୀମାନେ ସ୍ବାମୀଙ୍କ ମଙ୍ଗଳ କାମନା କରି ମା ସାବିତ୍ରୀଙ୍କୁ ପୂଜା କରି ଉପବାସ ରହିଥାନ୍ତି।