ମନରେଗା ଅନ୍ତର୍ଗତ ଜଳ ନିରାପତା ଉପରେ ସର୍ବାଧିକ କାର୍ଯ୍ୟ କରାଯିବା ଉଚିତ୍ : ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଗୁରୁବାରଠାରୁ ଜଳ ଭିଜନ ୨୦୪୭ ବିଷୟବସ୍ତୁ ଉପରେ ଦୁଇ ଦିନିଆ ପ୍ରଥମ ଅଲ ଇଣ୍ଡିଆ ରାଜ୍ୟ ମନ୍ତ୍ରୀଙ୍କ ବାର୍ଷିକ ସମ୍ମିଳନୀ ଆୟୋଜିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ମିଳନୀକୁ ସମ୍ବୋଧିତ କରିଛନ୍ତି । ଆଜି ଜଳ ନିରାପତା କ୍ଷେତ୍ରରେ ଭାରତ ଅଦ୍ଭୁତପୂର୍ବ କାର୍ଯ୍ୟ କରୁଛି ଏବଂ ବହୁ ପୁଞ୍ଜି ବିନିଯୋଗ କରୁଛି । ଜଳ ସଂରକ୍ଷଣ ପାଇଁ ରାଜ୍ୟଗୁଡିକର ପ୍ରୟାସ ଦେଶର ସାମୂହିକ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମନରେଗା ଅନ୍ତର୍ଗତ ଜଳ ନିରାପତା ଉପରେ ସର୍ବାଧିକ କାର୍ଯ୍ୟ କରାଯିବା ଉଚିତ୍ । ଜଳ ସଂରକ୍ଷଣ ପାଇଁ ଜନସାଧାରଣଙ୍କ ଅଂଶଗ୍ରହଣ ସହିତ ଲୋକଙ୍କ ମନରେ ସଚେତନତା ଜାଗ୍ରତ ହେବା ଆବଶ୍ୟକ । ଏହି ଦିଗରେ ଆମେ ଯେତେ ଚେଷ୍ଟା କରିବୁ, ସେତେ ଅଧିକ ପ୍ରଭାବ ସୃଷ୍ଟି ହେବ । ଦେଶର ପ୍ରତ୍ୟେକ ଜିଲାରେ ୭୫ ଅମୃତ ସରୋବର ତିଆରି କରୁଛି ଏବଂ ଏପର୍ଯ୍ୟନ୍ତ ୨୫ ହଜାର ଅମୃତ ସରୋବର ନିର୍ମାଣ କରାଯାଇଛି । ଆଗାମୀ ୨୫ବର୍ଷ ପାଇଁ ଜଳ ଭିଜନ ୨୦୪୭ ହେଉଛି ଅମୃତ ଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଳ ସଂରକ୍ଷଣ କାର୍ଯ୍ୟରେ ଜିଓ ମ୍ୟାପିଂ ଏବଂ ଜିଓ ସେନ୍ସିଂ ଭଳି ଟେକ୍ନୋଲୋଜି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଅନେକ ରାଜ୍ୟ ଏଥିରେ ଏକ ଭଲ କାମ କରିଛନ୍ତି ଏବଂ ଅନେକ ରାଜ୍ୟ ଏହି ଦିଗରେ ଗତି କରୁଛନ୍ତି । ଜଳ ସଂରକ୍ଷଣ ପାଇଁ କେନ୍ଦ୍ର ଅଟଳ ଭୂତଳ ଜଳ ସଂରକ୍ଷଣ ଯୋଜନା ଆରମ୍ଭ କରିଛି । ସରକାର ବଜେଟରେ ସର୍କୁଲାର ଅର୍ଥନୀତି ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି । ଜଳ ସଂରକ୍ଷଣ କ୍ଷେତ୍ରରେ ସର୍କୁଲାର ଅର୍ଥନୀତିର ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ଦେଶରେ ସହରୀକରଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି ଏବଂ ଯେତେବେଳେ ସହରୀକରଣର ଗତି ଏହିପରି, ସେତେବେଳେ ଆମେ ଜଳ ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରିବା ଉଚିତ । ଶିଳ୍ପ ଏବଂ କୃଷି ହେଉଛି ଏହିପରି ଦୁଇଟି କ୍ଷେତ୍ର, ଯେଉଁଥିରେ ଜଳର ଆବଶ୍ୟକତା ଅଧିକ । ଏହି ଉଭୟ କ୍ଷେତ୍ର ଏକତ୍ର ଜଳ ସଂରକ୍ଷଣ ଅଭିଯାନ ଚଳାଇବା ଉଚିତ ଏବଂ ଲୋକଙ୍କୁ ସଚେତନ କରାଯିବା ଜରୁରୀ ।