ଆଜି ମାଟ୍ରିକ୍ ପରୀକ୍ଷା ଫଳ : ଦିନ ୧ଟାରେ ପ୍ରକାଶ ପାଇବ, ୨ଟାରୁ ୱେବସାଇଟ୍ରେ ଉପଲବ୍ଧ
କଟକ : ଆଜି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ଚଳିତ ବର୍ଷର ହାଇସ୍କୁଲ ସାର୍ଟିଫିକେଟ୍(ମାଟ୍ରିକ), ମଧ୍ୟମା, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାଫଳ ଆଜି ଦିନ ୧ଟାରେ ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ପ୍ରକାଶ ପାଇବ। ଗତବର୍ଷ ଆର୍ଥାତ୍ ୨୦୨୧ରେ କରୋନା ପାଇଁ ବିନା ପରୀକ୍ଷାରେ ବିକଳ୍ପ ମୂଲ୍ୟାୟନ ବ୍ୟବସ୍ଥା କରାଯାଇ ଫଳପ୍ରକାଶ ପାଇଥିଲା। ଏହାକୁ ନେଇ ଅନେକ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। କରୋନା ପରେ ଚଳିତବର୍ଷ ପରୀକ୍ଷା କରାଯାଇ ଫଳ ପ୍ରକାଶ ପାଉଥିବାରୁ ଏହାକୁ ନେଇ ବିଭିନ୍ନ ମହଲରେ ଉତ୍ସାହ ଓ ଉତ୍କଣ୍ଠା ଦେଖାଦେଇଛି।
ବୁଧବାର ଫଳ ପ୍ରକାଶନ ପୂର୍ବରୁ ସକାଳ ୧୦ ଟାରେ ବୋର୍ଡ ପରୀକ୍ଷା କମିଟି ବୈଠକରେ ଚଳିତ ବର୍ଷର ମାଟ୍ରିକ୍ ଫଳ ସଂଶୋଧିତ, ସମୀକ୍ଷା ଓ ଅନୁମୋଦନ ପରେ ଦିନ ୧ଟାରେ ଫଳ ପ୍ରକାଶ ପାଇବ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଓ ଗଣଶିକ୍ଷା ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସ୍ବତନ୍ତ୍ର ଅତିଥି ଭାବେ ଯୋଗ ଦେଇ ମାଟ୍ରିକ୍, ମଧ୍ୟମା, ମୁକ୍ତ ବିଦ୍ୟାଳୟ-୨୦୨୨ ପରୀକ୍ଷା ଫଳ ପୁସ୍ତିକାକୁ ଲୋକାର୍ପଣ କରିବେ। ଦିନ ୨ଟାରେ ଏହି ପରୀକ୍ଷାଫଳ ବୋର୍ଡ ୱେବ୍ସାଇଟ୍ www.bseodisha.ac.in ଓ www.bseodisha.nic.in ରେ ଉପଲବ୍ଧ ହେବ। ଯେଉଁ ଅଞ୍ଚଳରେ ଇଣ୍ଟରନେଟ୍ ସଂଯୋଗ ନାହିଁ, ସେସବୁ ଅଞ୍ଚଳର ଛାତ୍ରଛାତ୍ରୀ ଏସ୍ଏମ୍ଏସ୍ ଜରିଆରେ ଫଳାଫଳ ଜାଣିପାରିବେ। ସେମାନେ OR10 ଲେଖି 5676750 ନମ୍ବରକୁ ମେସେଜ୍ କଲେ, ଏସ୍ଏମ୍ଏସ୍ ମାଧ୍ୟରେ ପରୀକ୍ଷାଫଳ ଆସିବ ବୋଲି ବୋର୍ଡ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବୋର୍ଡ ଉପ-ସଭାପତି ଡ. ନିହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ପରୀକ୍ଷାଫଳରେ ଅସନ୍ତୋଷ ବ୍ୟକ୍ତ କରୁଥିବା ଛାତ୍ରଛାତ୍ରୀ ରିଚେକିଂ ଓ ରିଆଡିସନ ପାଇଁ ଆବେଦନ କରିପାରିବେ। ଏପରିକି ଫଳ ପ୍ରକାଶ ପରେ ବୋର୍ଡ ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର କାଉନ୍ସେଲିଂ ବ୍ୟବସ୍ଥା କରାଯାଇଛି ।
ସୂଚନା ଯେ, ଚଳିତବର୍ଷ ୩,୨୦୩ଟି ପରୀକ୍ଷା କେନ୍ଦ୍ରରେ ମୋଟ ୫ଲକ୍ଷ ୭୧ହଜାର ୯୦୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଏପ୍ରିଲ ୨୯ରୁ ମେ ୭ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ଚାଲିଥିଲା । ମଧ୍ୟମା ଓ ଓପନ ସ୍କୁଲ ପିଲାଙ୍କୁ ମିଶାଇଲେ ମୋଟ ୫ ଲକ୍ଷ ୮୫ ହଜାର ୭୩୦ ଜଣ ପିଲା ୩୫୪୦ କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ଗତ ମଇ ମାସ ୨୧ ତାରିଖରେ ମାଟ୍ରିକ ଖାତା ମୂଲ୍ୟାୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।