ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ
- ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍
- ସନ୍ଧ୍ୟା ୬ଟାରେ ୱେବ୍ସାଇଟରୁ ନିଜର ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ
ଭୁବନେଶ୍ୱର/କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । କଟକ ସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ପରୀକ୍ଷା ରେଜଲ୍ଟ ଘୋଷଣା କରିଛନ୍ତି। ମାଟ୍ରିକ ପରୀକ୍ଷା (ରେଗୁଲାର ଓ ଏକ୍ସ ରେଗୁଲାଲ) ସହିତ ମଧ୍ୟମା ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଫଳ ମଧ୍ୟ ଏକାସାଙ୍ଗରେ ପ୍ରକାଶ ପାଇଛି । ଚଳିତ ବର୍ଷ ୯୭.୮୯ ପ୍ରତିଶତ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ୫ ଲକ୍ଷ ୬୨ ହଜାର ୧୦ ଜଣ ମାଟ୍ରିକ ପାସ୍ କରିଥିବା ବେଳେ ୭ ହଜାର ୭୦୩ ଜଣ ପିଲା ଫେଲ ହୋଇଛନ୍ତି । ମାଟ୍ରିକ ପରୀକ୍ଷାରେ ପୁଅଙ୍କ ଆଗରେ ଅଛନ୍ତି ଝିଅ । ୨ ଲକ୍ଷ ୮୧ ହଜାର ୬୫୮ ଛାତ୍ରୀ ପାସ୍ କରିଥିବା ବେଳେ ୨ ଲକ୍ଷ ୮୦ ହଜାର ୩୫୨ ଛାତ୍ର ପାସ୍ କରିଛନ୍ତି । ଏ-୧ରେ ୨ ହଜାର ୬୫୬, ଏ-୨ରେ ୨୨ ହଜାର ୧୩୧ ଜଣ ପାସ କରିଛନ୍ତି । ସେହିପରି ବି-୧ରେ ୫୨ ହଜାର ୨୯୯, ବି-୨ରେ ୯୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛି । ୫ହଜାର ୯୪୫ ସ୍କୁଲରେ ପାସ୍ହାର ଶତପ୍ରତିଶତ ରେଜଲ୍ଟ ଆସିଛି ।
ପରୀକ୍ଷାର୍ଥୀମାନେ ସଂଧ୍ୟା ୬ଟା ପରଠୁ ଅନ୍ଲାଇନ୍ରେ ସେମାନଙ୍କର ପରୀକ୍ଷାଫଳ ଜାଣିପାରିବେ। ବୋର୍ଡର ୱେବସାଇଟ୍ www.bseodisha.ac.in ଏବଂ www.bseodisha.nic.inରୁ ପରୀକ୍ଷାଫଳକୁ ଡାଉନଲୋଡ କରାଯାଇପାରିବ। ଯେଉଁ ଅଞ୍ଚଳରେ ଯଦି ଇଣ୍ଟରନେଟ୍ ସୁବିଧା ନଥାଏ, ତାହେଲେ ମୋବାଇଲ ମେସେଜ ଜରିଆରେ ମଧ୍ୟ ପରୀକ୍ଷାଫଳ ଜାଣିହେବ। ମୋବାଇଲ୍ରେ OR01 ଟାଇପ୍ କରି ୫୬୭୬୭୫୦ ନମ୍ବରକୁ ମେସେଜ ପଠାଇଲେ ପରୀକ୍ଷାଫଳ ମୋବାଇଲ୍କୁ ମେସେଜ ଜରିଆରେ ଆସିଯିବ ବୋଲି ବୋର୍ଡ ସଭାପତି ରମାଶିଷ ହାଜରା ଏକ ପ୍ରେସ୍ ବିବୃତ୍ତିରେ ଜଣାଇଛନ୍ତି।