ଆଜି ଘୋଷଣା ହେବେ ମାଟ୍ରିକ ପରୀକ୍ଷା ଫଳ ତାରିଖ
କଟକ : ଆଜି ଘୋଷଣା ହେବେ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରିଚାଳିତ ମାଟ୍ରିକ ପରୀକ୍ଷା ଫଳ ତାରିଖ । ମଙ୍ଗଳବାର ଦିନ ୧୧ଟା ୩୦ ମିନିଟ ସମୟରେ ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଘୋଷଣା ହେବ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ତାରିଖ । ଵୋର୍ଡ କାର୍ଯ୍ୟାଳୟରେ ଏକ ସାମ୍ୱାଦିକ ସମ୍ମିଳନୀରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ତାରିଖ ସମ୍ପର୍କରେ ସୂଚନା ଦେବେ । ଏହା ସହ କିଭଳି ପରୀକ୍ଷାର୍ଥୀ ମାନେ ସହଜ ଭାବେ ନିଜ ନିଜର ରେଜଲ୍ଟ ଓ୍ବେଵସାଇଟରେ ଦେଖି ପାରିବେ । ସେସମ୍ପର୍କରେ ସବିଶେଷ ସୂଚନା ଦେବେ ବୋର୍ଡ କର୍ତ୍ତୃପକ୍ଷ । କଟକ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।
ସୂଚନା ଯେ, ଚଳିତ ବର୍ଷ ମାଟ୍ରିକ୍ ରେଗୁଲାର, ଏକ୍ସରେଗୁଲାର ସହ ଏସ୍ଓଏସ୍ସି ଓ ମଧ୍ୟମା ପରୀକ୍ଷା ମିଶି ରାଜ୍ୟରେ ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ୩ ହଜାର ୨୧୮ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ରାଜ୍ୟରେ ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାର ମୂଲ୍ୟାୟନ ଏପ୍ରିଲ୍ ୩ ତାରିଖରୁ ଆରମ୍ଭ ହୋଇ ୧୨ ଦିନ ଚାଲିଥିଲା । ତେବେ ଖାତା ଦେଖା କାର୍ଯ୍ୟ ଶେଷ ହେବା ପରେ ଏବେ ପ୍ରୋସେସିଂ ଏବଂ ଟାବୁଲେସନ୍ କାର୍ଯ୍ୟ ଚାଲିବା ମଧ୍ୟରେ ଅନେକ ପରୀକ୍ଷାର୍ଥୀଙ୍କ ଉତ୍ତର ଖାତାରେ ତାଳମେଳ ନଥିବା ଦେଖିବାକୁ ମିଳିଥିଲା । କିଛି ପରୀକ୍ଷାର୍ଥୀ ଏସ୍ଏ-୧ ପରୀକ୍ଷାରେ ତୃତୀୟ ଭାଷା ହିନ୍ଦୀରେ ପରୀକ୍ଷା ଦେଇଥିବା ବେଳେ ଏସ୍ଏ-୨ରେ ସଂସ୍କୃତରେ ପରୀକ୍ଷା ଦେଇଥିଲେ । ଏପରି ପ୍ରାୟ ୫ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ହିନ୍ଦୀ ଏବଂ ସଂସ୍କୃତ ପରୀକ୍ଷାରେ ଏସ୍ଏ-୧, ଏସ୍ଏ-୨ ଏବଂ ୪ଟି ଯାକ ଫର୍ମେଟିଭ୍ ଆସେସମେଣ୍ଟ୍ ପରୀକ୍ଷାରେ ଅସାମଞ୍ଜସ୍ୟ ରହିଥିଲା । ଫଳରେ ଏହାକୁ ନେଇ ପ୍ରୋସେସିଂ ଏବଂ ଟାବୁଲେସନ୍ ଆଦି ପ୍ରକ୍ରିୟାରେ ବିଳମ୍ବ ହୋଇଥିଲା । ଏସବୁ ତ୍ରୁଟିକୁ ସୁଧାରିବା ପରେ ବୋର୍ଡ କର୍ତ୍ତୃପକ୍ଷ ଫଳ ପ୍ରକାଶ କରିବା ପାଇଁ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛନ୍ତି ।