କୁକୁର,ବିଲେଇଙ୍କ ହୁଳହୁଳିରେ କମ୍ପୁଛି ମଶାଣିଚଣ୍ଡୀ ପୀଠ
ପୁରୀ : ଶ୍ରୀକ୍ଷେତ୍ର ଚାରିପଟେ ଅନେକ ଚଣ୍ଡୀ ମନ୍ଦିର ରହିଛି । ସେଥିମଧ୍ୟରୁ ପୁରୀ ବ୍ରହ୍ମଗିରି ରାସ୍ତାରେ ରହିଛି ମଶାଣିଚଣ୍ଡୀ ପୀଠ । ମାଆଙ୍କ ପୀଠରେ ରହିଛି ଅନେକ ମହାତ୍ମ୍ୟ । ଏହି ପୀଠକୁ କଟକିପେଣ୍ଠ ମଶାଣି ବୋଲି କୁହନ୍ତି । ପୂର୍ବେ ଏହି ସ୍ଥାନଟି ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ସେହି ବାଟରେ ଯିବାକୁ ଦିନରେ ଲୋକେ ଭୟ କରୁଥିଲେ । ଦିନରେ ଚିଁ ଚିଁ ଶଦ୍ଦ ଶୁଭୁଥିଲା । କୁକୁର ଗଧିଆ ଓ ବିଲୁଆଙ୍କ ବିକଟାଳ ଶଦ୍ଦ ଶୁଭୁଥିଲା । ଚାରିଆଡ଼େ ହାଡ଼ ପଡ଼ିଛି । ଖପୁରୀ ଗଡ଼ୁଛି । କଣ୍ଟା ବାଉଁଶ, ସପ୍ତଫେଣି , କିଆବୁଦା,ବାଗୁଲା କଣ୍ଟା ଗଛ,ଝିଲି କଇଁଆ, ବର ଓ ଅଶ୍ୱସ୍ତ ଗଛ କଣ୍ଟେଇ କୋଳି,ବେଲଗଛ, ଲିମ୍ବଗଛ ସହ ଅନେକ ଗଛ ରହିଛି । ବିଲେଇ କୁକୁରଙ୍କ କିଳି କିଳି ରାବରେ କମ୍ପୁଥିଲା ମଶାଣିଚଣ୍ଡୀ ପୀଠ । ମାଆଙ୍କ ମହିମା ଅପାର । ଏବେ ଏହି ପୀଠର ଉନ୍ନତିକରଣ ହୋଇଛି । ମ।।ଆଙ୍କ ପାଖରେ ମନସ୍କାମନା କରିବା ପରେ ଭକ୍ତ ସେଠାରେ ମାଆଙ୍କ ପ୍ରିୟ ଜୁରି ଓ ପୋଡ଼ାବଳି ସହ ମାଛବେସର ପ୍ରସାଦ ଲାଗି କରିଥାନ୍ତି । ପ୍ରତିଦିନ ମାଆଙ୍କ ପୀଠରେ ତିନି ଧୂପ ସହ ଭୋଗରାଗ କରାଯାଉଛି । ଏଥିପାଇଁ ପୂଜକ ପରିବାର ରହିଛନ୍ତି । ପ୍ରତିଦିନ ଧୂପଦୀପ ଓ ଝୁଣାଧୂପ ବାସ୍ନାରେ ମକକୁଛି ପୀଠ ।
ଘଂଟ ବାଜିଲେ କୁକୁର ବିଲେଇଙ୍କ ହୁଳହୁଳି -ମାଆ ମଶାଣିଚଣ୍ଡୀଙ୍କ ପୀଠରେ ମୁଖ୍ୟ ଆକର୍ଷଣ ହେଉଛି କୁକୁର ବିଲେଇଙ୍କ ଆତଯାତ । ମନ୍ଦିର ଭିତର ଓ ବାହାରେ ବିଲେଇ କୁକୁରଙ୍କ ଚଳପ୍ରଚଳ ଲାଗିରହିଛି । କୁତାମଚଣ୍ଡୀଙ୍କ ଭଉଣୀ ମଶାଣିଚଣ୍ଡୀ ହୋଇଥିବାରୁ କୁକୁରଙ୍କ ପ୍ରିୟ ଠାକୁରାଣୀ । ସକାଳଧୂପ ଓ ସଂଧ୍ୟା ଧୂପବେଳେ ଘଣ୍ଟ ଘଣ୍ଟା ବାଜିଲା ମାତ୍ରେ କୁକୁର ବିଲେଇ ଧାଇଁ ଆସନ୍ତି ମନ୍ଦିର ଭିତରକୁ । କୁକୁର ହୁଳହୁଳି ପରି ଶଦ୍ଦ କରୁଥିବାବେଳେ ବିଲେଇ ମଧ୍ୟ ମିଆଁଉ ମିଆଁଉ ଶଦ୍ଦ କରି ମାଆଙ୍କ ଆଳତିରେ ସାମିଲ ହୋଇଥାନ୍ତି । ଯାହାକୁ ଭକ୍ତ ନଦେଖିଲେ ଅନୁଭବ କରିପାରିବ ନାହିଁ । ପୀଠରେ ରହିଛି ୫ ମଶାଣି-କଟକୀପେଣ୍ଠ ମଶାଣିଚଣ୍ଡୀ ଚାରିପଟେ ରହିଛି ୫ ମଶାଣି । ଛୋଟ ପିଲାଙ୍କ ପାଇଁ ପିଲା ପୋତା ମଶାଣି,ଗାଇଗୋରୁଙ୍କ ପାଇଁ ଫିଙ୍ଗା ମଶାଣି ଓ ଷଣ୍ଢ ପାଇଁ ପୋତା ମଶାଣି । ଅଚିହ୍ନା ଶବ ଫୋପଡ଼ା ମଶାଣି । ସାଧୁସନ୍ଥଙ୍କ ପାଇଁ ପୋତା ମଶାଣି ଏହା ସହ କାଠ ପୋଡ଼ା ମଶାଣି ରହିଛି । ଏପରି ମଶାଣି ଅନ୍ୟ କେଉଁଠି ଦେଖିବା ବିରଳ ବୋଲି ସ୍ଥାନୀୟ ଲୋକେ କୁହନ୍ତି । ପୋଡ଼ିବୁ ଫିଙ୍ଗିବୁ ପୋତିବୁ ବୋଲି ପ୍ରଚଳିତ ଢେଗ ରହିଛି । ଏହା ସହ କାଶିରେ ପୋଡ଼ିଲେ ଯେତିକି ପୂଣ୍ୟ । କଟକୀପେଣ୍ଠରେ ପୋଡ଼ିଲେ ସେତିକି ପୂଣ୍ୟ ବୋଲି କଥିତ ଅଛି । ମନ୍ଦିର ଭିତରେ ଶବବାସ୍ନା ନାହିଁ -ମାଆ ମଶାଣିଚଣ୍ଡୀ ପୀଠରେ ରହିଛି ଅନେକ ମହାତ୍ମ୍ୟ । ଚାରିପଟେ ଶବ ସାଲୁବାଲୁ । ଶବ ବାସ୍ନା ମନ୍ଦିର ବାହାରେ ହେଉଥିବା ବେଳେ ମନ୍ଦିର ଭିତରକୁ ବାସ୍ନା ହୁଏ ନାହିଁ ବୋଲି ପୂଜକ କହିଛନ୍ତି । ପୋଡ଼ ଫିଙ୍ଗି ପୋତେ ଶବ ଗୁଡ଼ିକ ବହୁଦିନ ଧରି ପଡ଼ି ରହିଥିବା ବେଳେ ତାକୁ ଆସ୍ତେ ଆସ୍ତେ ଗଧିଆ ବିଲୁଆ କୁକୁର ଭକ୍ଷଣ କରିଥାନ୍ତି । ମଶାଣିଚଣ୍ଡୀଙ୍କ ୪ ଭଉଣୀ – ଶ୍ରୀକ୍ଷେତ୍ରର ଚାରିପଟ ଜଗିଛନ୍ତି ଚଣ୍ଡୀଦେବୀ । କୁମ୍ଭାରପଡ଼ାରେ ଆଲାମଚଣ୍ଡୀ,ପଶ୍ଚିମ ଦିଗରେ ହରଚଣ୍ଡୀ,ଉତର ଦିଗରେ ରାମଚଣ୍ଡୀ, ମଶାଣିଚଣ୍ଡୀ ଓ ଶ୍ରୀମନ୍ଦିରରେ ଅଛନ୍ତି କୁତାମ ଚଣ୍ଡୀ । ଏମାନେ ସମସ୍ତେ ପାଞ୍ଛ ଭଉଣୀ ଶ୍ରୀକ୍ଷେତ୍ରର ରକ୍ଷା କବଚ ଭାବେ ଜଗି ରହିଛନ୍ତି । ଗୋଟିଏ ବରକୋଳି ଡ଼ାଳରେ ଭିତରେ ମିଠା ବାହାରେ ଖଟାକୋଳି-ମା ମଶାଣିଚଣ୍ଡୀଙ୍କ ପୀଠରେ ମାହାତ୍ମ୍ୟ ହେଉଛି ମାଙ୍କର ବରକୋଳି ଗଛ ମୂଳ ହେଉଛି ଆସ୍ଥାନ । ଏହି ବରକୋଳି ଗଛର ମାହାତ୍ମ୍ୟ ହେଉଛି ଗୋଟିଏ ଡ଼ାଳର ମନ୍ଦିର ଭିତର ଅଂଶରେ ଫଳୁଥିବା କୋଳି ମିଠା ଲାଗୁଥିବା ବେଳେ ସେହି ଡ଼ାଳର ମନ୍ଦିର ବାହାର ଅଂଶ ଖଟା ଲାଗୁଛି । ମଆଙ୍କ ବିଧିବିଧାନ ଓ ପୂଜାର୍ଚ୍ଚନା -ମାଆଙ୍କ ମନ୍ଦିରରେ ବିଭିନ୍ନ ସମୟରେ ବିଭିନ୍ନ ପୂଜା ଓ ବିଧିବିଧାନ ରହିଛି । ତିନି ଧୂପ ହେବା ସହ ଶୁଖିଲା ଭୋଗ ଓ ଶଙ୍ଖଡ଼ି ଭୋଗ କରାଯାଇଥାଏ । ଷୋଳପୂଜା ସମୟରେ ବିଭିନ୍ନ ଦିନରେ ବେଶ ଓ ପୂଜା କରାଯାଇଥାଏ । ଚନ୍ଦନ ସମୟରେ ଚନ୍ଦନ ଲାଗି ଓ ବର୍ଷକରେ ଅନ୍ୟ ସମୟରେ ପୂଜା ବିଧି ସମ୍ପନ୍ନ ହୋଇଥାଏ । ଏହାସହ ଷଷ୍ଠୀ ଠାରୁ ଦଶହରା ପର୍ଯ୍ୟନ୍ତ ଆକର୍ଷଣୀୟ ବେଶ ଓ ପୂଜା ଅନୁଷ୍ଠିତ ହୋଇଥାଏ । ଏଠାରେ ଯଜ୍ଞଶାଳାରେ ତିନିଦିନ ଧରି ଯଜ୍ଞ ଅନୁଷ୍ଠିତ ହୋଇଥାଏ । ଏ ସଂପର୍କରେ ମନ୍ଦିର ମୁଖ୍ୟ ପୂଜକ ନରସିଂହ ହୋତା କୁହନ୍ତି ଏହି ପୀଠ ନିକାଞ୍ଛନିଆ ଥିଲା । ମାଙ୍କ ମହିମାରୁ ଅମ୍ଭେମାନେ ପୂଜାର୍ଚ୍ଚନା କରି ଘରକୁ ଫେରୁ ଏବେ ମନ୍ଦିରର ଅନେକ ଉନ୍ନତି ହେଲାଣି । ଆଖପାଖରେ ବାସଗୃହ ହେବାରୁ ଗହଳି ଲାଗିଲାଣି । ମାଆ ଫୁଲ ପ୍ରିୟ । ମାଆଙ୍କ ମହିମାରୁ ଜିଲ୍ଲା ରାଜ୍ୟ ଓ ଦେଶରୁ ଅନେକ ଭକ୍ତ ଏଠାକୁ ଆସୁଛନ୍ତି । ବିଲେଇ,କୁକୁର ଗଧିଆ,ଗୋଧିଙ୍କ ଆଡ୍ଡାସ୍ଥଳି ଥିଲା ଏହି ପୀଠ ଚାରିପଟ । ଏହି ପୀଠରେ ମୁଖ୍ୟ ପୂଜକଙ୍କୁ ଲୋକନାଥ ହୋତା,ସୋମନାଥ ହେତା ସହଯୋଗ କରୁଛନ୍ତି । ମନ୍ଦିରରେ ଚିନ୍ମୟୀ ମିଶ୍ର,ଜୟଦେବ ନାୟକ, ମକରଭୋଜ ପ୍ରଧାନ,ଜିତେନ୍ଦ୍ର ବସନ୍ତ ରାୟ ପ୍ରମୁଖ ଅନ୍ୟାନ୍ୟ କାର୍ଯ୍ୟ କରୁଛନ୍ତି । ମାଙ୍କୁ ପୀଠକୁ ପ୍ରତିଦିନ ପୁରୀ ସହର ସମେତ ବ୍ରହ୍ମଗିରି,ଚନ୍ଦନପୁର, ସତ୍ୟବାଦୀ, ପିପିଲି ଓ ଡ଼େଲାଙ୍ଗ ଅଞ୍ଛଳରୁ ଭକ୍ତ ଆସି ଦର୍ଶନ କରୁଛନ୍ତି । ବ୍ରହ୍ମଗିରିରୁ ଆସୁଥିବା ମାଛ ବ୍ୟବସାୟୀମାନେ ମଶାଣିଚଣ୍ଡୀ ଛକରେ ମାଛ ରଖିଥାନ୍ତି ପୋଡ଼ାବଳି ପାଇଁ । ଭକ୍ତଙ୍କ ପାଇଁ ମାଆଙ୍କ ଖଣ୍ଡମାଛ ବେସର ପ୍ରସିଦ୍ଧି ଲାଭ କରିଥିବା ବେଳେ ଯୁବଗୋଷ୍ଠୀ ମାନଙ୍କର ଅଧିକାଂଶ ଭୋଜି ସେଠାରେ ହୋଇଥାଏ । ମାଙ୍କୁ ଦର୍ଶନ କଲେ ଅଶୁଭଶକ୍ତି ସ୍ପର୍ଶ କରିନଥାଏ ।