ମାରୁତି କାର ଏବଂ ବାଇକ ମୁହାଁମୁହିଁ ଧକ୍କା, ୪ ଆହତ
ସୋର : ସୋର ପୌରପାଳିକା ରେଳ ଓଭର ବ୍ରିଜ ଉପରେ ଏକ ମାରୁତି ଓମିନି କାର୍ ସହ ବାଇକ୍ ଧକ୍କା ହେବା ଫଳରେ ୪ ଜଣ ଆହତ ହୋଇ ସୋର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି । ଶୁକ୍ରବାର ଅପରାହ୍ନରେ ଭଦ୍ରକ ଜିଲା ତିହିଡ଼ି ବ୍ଲକ ସିନ୍ଦୋଳ ଗ୍ରାମର ବିକାଶ ବାରିକ, ଶୁଭମ ପରିଡ଼ା ଏବଂ ସ୍ମୃତି ସ୍ୱରାଜ ବାରିକ ବାଇକ୍ ଯୋଗେ ବାଲେଶ୍ୱରରୁ ସିନ୍ଦୋଳ ଗ୍ରାମକୁ ଫେରୁଥିବା ବେଳେ ରେଳ ଓଭରବ୍ରିଜ ଉପରେ ବିପରୀତ ଦିଗରୁ ଆସୁଥିବା ଏକ ମାରୁତି ଓମନି କାର୍ର ଚାଳକ ଜଣଙ୍କ ଭାରସାମ୍ୟ ହରାଇ ତାଙ୍କ ବାଇକ୍କୁ ଧକ୍କା ଦେଇଥିଲା ।
ଫଳରେ ବାଇକ୍ ଆରୋହୀମାନେ ଅଳ୍ପକେ ଏକ ବଡ଼ ଧରଣର ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲେ ମଧ୍ୟ ଉପରୋକ୍ତ ୩ ବାଇକ୍ ଆରୋହୀଙ୍କ ସମେତ କାର ଚାଳକ ପୌରପାଳିକା ଅନ୍ତର୍ଗତ ରାଇପୁର ଗ୍ରାମର ଶୁଶାନ୍ତ ମହାନ୍ତି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ସମସ୍ତ ଆହତ ୪ ଜଣଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଶୁଭମ ଏବଂ ବିକାଶର ଅବସ୍ଥା ଗୁରୁତ୍ତର ଥିବାରୁ ଉଭୟଙ୍କୁ ଡାକ୍ତର ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଖବର ପାଇ ସୋର ଥାନା ଆଇଆଇସି ସୁଜାତା ଖମାରୀ, ଏସ୍ଆଇ ସୂର୍ଯ୍ୟନାରାୟଣ ନାୟକ ଏବଂ ବିଜୟ ବାରିକ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଗାଡ଼ି ଦୁଇଟିକୁ ଜବତ କରି ଥାନାକୁ ଆଣିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାଯାଇଛି ।