ଆଜି ଜନ୍ମମାଟିରେ ପହଞ୍ଚିବ ସହିଦ ସୁଶାନ୍ତଙ୍କ ପାର୍ଥିବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପନ୍ନ ହେବ ଶେଷକୃତ୍ୟ
ଭୁବନେଶ୍ୱର : ଝାଡ଼ଖଣ୍ଡରେ ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଓଡ଼ିଶାର ସିଆରପିଏଫ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କ ମରଶରୀର ଆଜି ଜନ୍ମମାଟିରେ ପହଞ୍ଚିବ । ସହିଦ ସୁଶାନ୍ତଙ୍କ ପାର୍ଥିବ ଶରୀର ସିଧାସଳଖ କେନ୍ଦୁଝର ଜିଲା ଆନନ୍ଦପୁର ସ୍ଥିତ ଜନ୍ମମାଟିକୁ ନିଆଯିବ । ମରଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସୁଶାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ।
ଗତ ଶୁକ୍ରବାର ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଗୋଏଲକେରା ଥାନା ଅଞ୍ଚଳର କୋଲହନ ଜଙ୍ଗଲରେ କମ୍ବିଂ ଅପରେସନ୍ ବେଳେ ନକ୍ସଲଙ୍କ ଆକ୍ରମଣରେ ସହିଦ ହୋଇଥିଲେ ସୁଶାନ୍ତ । ସହିଦ ଓଡ଼ିଆ ଯବାନ ସୁଶାନ୍ତ ଖୁଣ୍ଟିଆଙ୍କର ଆଜି ଜନ୍ମମାଟିରେ ପହଞ୍ଚିବ ପାର୍ଥିବ ଶରୀର । ସୁଶାନ୍ତଙ୍କୁ ହରାଇ କାନ୍ଦୁଛି ସାରା ଓଡ଼ିଶା । ପରିବାର ଲୋକଙ୍କ ଆଖିରୁ ଲୁହ ଶୁଖୁନି । ଗାଁରେ ଶୋକାକୂଳ ପରିବେଶ । ବୀର ପୁଅକୁ ସମସ୍ତେ ଅନାଇ ବସିଛନ୍ତି ।
ସୂଚନା ଯେ, ଗତ ୨୦୧୧ ମସିହାରେ ସୁଶାନ୍ତ ସିଆରପିଏଫରେ ଯୋଗ ଦେଇଥିଲେ । ମାତ୍ର ଦୁଇ ମାସ ତଳେ ସେ ବିବାହ କରିଥିଲେ। ଏଏନ୍ଏମ୍ ଚାକିରି କରୁଥିବା ସୁଶାନ୍ତଙ୍କ ପତ୍ନୀ ତେଲକୋଇରେ ରହନ୍ତି। ସୁଶାନ୍ତଙ୍କ ଦେହାନ୍ତଙ୍କୁ ମିଶାଇ ମାତ୍ର ୩ବର୍ଷ ମଧ୍ୟରେ ତାଙ୍କ ବାପା ଏବଂ ଦୁଇ ଭାଇଙ୍କର ମଧ୍ୟ ପରଲୋକ ହୋଇଯାଇଛି। ୨୦୨୦ରେ ସୁଶାନ୍ତଙ୍କ ବାପା ଆତୁଳ ଖୁଣ୍ଟିଆ ଓ ଚଳିତ ବର୍ଷ ବଡଭାଇ ସନ୍ତୋଷ ଖୁଣ୍ଟିଆ ଓ ମଝିଆ ଭାଇ ପ୍ରଶାନ୍ତ ଖୁଣ୍ଟିଆ ପ୍ରାଣ ହରାଇଥିଲେ । ଏବେ ସୁଶାନ୍ତଙ୍କ ମା’ ଚିକିତ୍ସାଧୀନ ଅଛନ୍ତି । ଭୁବନେଶ୍ବରର ଏକ ହସ୍ପିଟାଲରେ ମା’ଙ୍କ ଦାୟିତ୍ବରେ ଅଛନ୍ତି ଭଉଣୀ । ଏବେ ସୁଶାନ୍ତଙ୍କ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।