ମାର୍କଫେଡ୍ର ସାରଯୋଗାଣ ଓ ଆର୍ଥିକ ବ୍ୟବସ୍ଥା କମ୍ପ୍ୟୁଟରୀକରଣ କାର୍ଯ୍ୟକ୍ରମ ‘ସମନ୍ୱିତ’ ଉଦ୍ଘାଟିତ
- ଚାଷୀଙ୍କୁ ସାରଯୋଗାଣ ପ୍ରକ୍ରିୟା ତ୍ୱରାନ୍ୱିତ ଓ ପାରଦର୍ଶୀ ହୋଇପାରିବ : ସମବାୟ ମନ୍ତ୍ରୀ
ଭୁବନେଶ୍ୱର : ମାର୍କଫେଡ ଦ୍ୱାରା ରାଜ୍ୟର ଚାଷୀମାନଙ୍କୁ ସାରଯୋଗାଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ପାରଦର୍ଶୀ କରାଯିବା ସହିତ ଠିକ୍ ସମୟରେ ଚାଷୀମାନଙ୍କୁ ଆବଶ୍ୟକ ସାରଯୋଗାଇ ଦିଆଯାଇପାରିବ । ଏହା ଦ୍ୱାରା ଚାଷୀ ଉପକୃତ ହେବା ସହିତ କୃଷି ଉତ୍ପାଦନ ବୃଦ୍ଧି ପାଇବ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପ୍ରକାଶ କରିଛନ୍ତି ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ ଓଡ଼ିଶା ରାଜ୍ୟ ସମବାୟ ବାଣିଜ୍ୟ ମହାସଂଘ ଲିଃ (ମାର୍କଫେଡ୍-ଓଡ଼ିଶା)ର ମୁଖ୍ୟ କାର୍ଯ୍ୟାଳୟରେ ସାର ଆବଂଟନ ଓ ଆର୍ôଥକ ପରିଚାଳନାର କମ୍ପ୍ୟୁଟରୀକରଣ ବ୍ୟବସ୍ଥା ‘ସମନ୍ୱିତ’ର ଶୁଭ ଉଦ୍ଘାଟନ କରି କହିଲେ ଯେ କୋଭିଡ୍ ମହାମାରୀର କଟକଣା ସତ୍ୱେ ସମବାୟ ବିଭାଗ ଦ୍ୱାରା ରାଜ୍ୟର ଚାଷୀମାନଙ୍କୁ ଠିକ୍ ସମୟରେ ଋଣ ସମେତ ଆବଶ୍ୟକ କୃଷି ସାମଗ୍ରୀ ଯୋଗାଇ ଦିଆଯାଇ ପାରିଥିବାରୁ ଫସଲ ଉତ୍ପାଦନ ବୃଦ୍ଧି ପାଇଛି । ନୂତନ ବ୍ୟବସ୍ଥା ପ୍ରଚଳନ ଦ୍ୱାରା ସାରଯୋଗାଣର ନିରୀକ୍ଷଣ ଓ ନିୟନ୍ତ୍ରଣ ବ୍ୟବସ୍ଥା ଅଧିକ ସୁଦୃଢ଼ ହୋଇପାରିବ । ସାର ଉତ୍ପାଦନକାରୀ କଂପାନୀ ଓ ଆମଦାନୀକାରୀଙ୍କଠାରୁ ଆରମ୍ଭ କରି ପାଇକାରୀ ଏବଂ ଖୁଚୁରା ସାର ବ୍ୟବସାୟୀଙ୍କୁ ସାରଯୋଗାଣ ଓ ପରିବହନ ପର୍ଯ୍ୟନ୍ତ ପ୍ରତ୍ୟେକ ବ୍ୟବସ୍ଥାକୁ ସୁନିୟନ୍ତ୍ରିତ କରାଯାଇପାରିବ । ଏଥିରେ ସାରଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଓ ସ୍ୱଚ୍ଛ କରାଯିବା ସହିତ କର୍ମଚାରୀଙ୍କ ଦକ୍ଷତା ବୃଦ୍ଧି ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ । ‘ସମନ୍ୱିତ’ ବ୍ୟବସ୍ଥା ଦ୍ୱାରା କ୍ଷେତ୍ର ସ୍ତରରୁ ପରିଚାଳିତ ବ୍ୟବସାୟିକ କାର୍ଯ୍ୟକଳାପ ମୁଖ୍ୟ କାର୍ଯ୍ୟାଳୟ ସହିତ ସହଜରେ ସଂଯୋଗ ହୋଇପାରିବ । ସାରଯୋଗାଣ କ୍ଷେତ୍ରରେ ନିରୀକ୍ଷଣ ଓ ବିଶ୍ଳେଷଣ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇ ଆବଶ୍ୟକ ଅନୁଯାୟୀ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇପାରିବ । ଏହି ଅବସରରେ ମନ୍ତ୍ରୀ ‘ସମନ୍ୱିତ’ କାର୍ଯ୍ୟକ୍ରମର ବ୍ୟବହାର ପୁସ୍ତିକାର ଶୁୁଭ ଉନ୍ମୋଚନ କରିଥିଲେ । ସୂଚନା ଯେ, ମାର୍କଫେଡ ରାଜ୍ୟର ଏକ ଶୀର୍ଷ ସମବାୟ ସଂସ୍ଥା ଯାହା ରାଜ୍ୟରେ ଥିବା ୨୭୦୦ରୁ ଅଧିକ ପ୍ରାଥମିକ କୃଷି ସମବାୟ ସମିତି ଓ ୧୭୦୦ରୁ ଅଧିକ ବେସରକାରୀ ଲାଇସେନ୍ସପ୍ରାପ୍ତ ବ୍ୟବସାୟୀଙ୍କ ଜରିଆରେ ଚାଷୀମାନଙ୍କୁ ରାସାୟନିକ ସାର ଯୋଗାଇଥାଏ । ଏଥି ସହିତ ମାର୍କଫେଡ୍ ରାଜ୍ୟର ଚାଷୀମାନଙ୍କଠାରୁ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିରିକୃତ ମୂଲ୍ୟରେ ଡାଲିଜାତୀୟ ଶସ୍ୟ ଓ ତୈଳବୀଜ ସଂଗ୍ରହ ଦିଗରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।