କଳାହାଣ୍ଡିରେ ନିଜର ସ୍ଥିତି ଜାହିର କଲେ ମାଓବାଦୀ : ଲୋକେ ଭୟଭୀତ, ସୁରକ୍ଷା ବ୍ୟବସ୍ଥା କଡାକଡି

ଭବାନୀପାଟଣା : କଳାହାଣ୍ଡିରେ ପୁଣି ନିଜର ସ୍ଥିତି ଜାହିର କଲେ ମାଓବାଦୀ । ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶଗଡ଼ା ପଞ୍ଚାୟତ କାର୍ଯ୍ୟାଳୟ ଓ ମାର୍କେଟ କଂପ୍ଲେକ୍ସରେ ମାନଙ୍କରେ ଲାଗିଛି ମାଓବାଦୀଙ୍କ ପୋଷ୍ଟର । ଛତିଶଗଡ ମାଓବାଦୀମାନେ ଆସି ଓଡ଼ିଶାର ଆଦିବାସୀଙ୍କୁ ଡରାଉ ଧମକାଉ ଥିବାବେଳେ ମାଓବାଦୀ ପ୍ରତିଷ୍ଠାତା ଚାରୁ ମଜୁମଦାରଙ୍କ ବଳିଦାନକୁ ସହିଦ ଦିବସ ଭାବରେ ପାଳନ କରିବାକୁ ଦାବି କରାଯାଇଛି । ସେପଟେ ମାଓ ପୋଷ୍ଟ ଲାଗିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି । ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
କଳାହାଣ୍ଡି ଜିଲାର ବିଭିନ୍ନ ଅଞ୍ଚଳରେ ପୁଣି ଦେଖିବାକୁ ମିଳିଛି ମାଓ ପୋଷ୍ଟର । ପୋଷ୍ଟର ମାରିବା ସହ ରାସ୍ତା ଅବରୋଧ କରିଛନ୍ତି ମାଓବାଦୀ। ସୋମବାର ରାତିରେ ଭବାନୀପାଟଣାଠାରୁ ମାତ୍ର ୧୦ କିଲୋମିଟର ଦୂର ଭବାନୀପାଟଣା-ଥୁଆମୂଲରାମପୁର ମୁଖ୍ୟରାସ୍ତାର ଶଗଡା ପଞ୍ଚାୟତ ଅଫିସ ସହିତ ଶଗଡାର ବିଭିନ୍ନ ସ୍ଥାନରେ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇଛନ୍ତି । ଏହାକୁ କେନ୍ଦ୍ର କରି ସଂପୃକ୍ତ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା । ଏଥିସହ ଭବାନୀପାଟଣା-ଥୁଆମୂଲରାମପୁର ଯିବା ଆସିବା ଦୀର୍ଘ ସମୟ ଧରି ବନ୍ଦ ରହିଥିଲା । ଖବର ପାଇ ନିଜେ ଏସପି ଅଭିଳାଷ ଜୀଙ୍କ ସମେତ ଅନ୍ୟ ପୋଲିସ ଅଧିକାରୀ ଓ ଡିଭିଏଫ୍ ଯବାନ, ବମ୍ ସ୍କ୍ବାଡ୍ ଘଟଣା ସ୍ଥଳରେ ପହଞ୍ଚି ପୋଷ୍ଟରଗୁଡିକୁ ଜବତ କରିବା ସହିତ ଅନ୍ୟାନ୍ୟ ସ୍ଥାନକୁ ଯାଞ୍ଚ କରିବା ପରେ ଭବାନୀପାଟଣା-ଥୁଆମୂଲରାମପୁର ରାସ୍ତାର ଯିବା ଆସିବା ସ୍ୱାଭାବିକ ହୋଇଥିଲା ।