ମାଓବାଦୀଙ୍କ ଶହୀଦ ସପ୍ତାହ, କୋରାପୁଟରେ ହାଇଆଲର୍ଟ ଜାରି
ଜୟପୁର-ମାଲକାନଗିରି ବସ୍ ସେବା ସମ୍ପୂର୍ଣ୍ଣ ଠପ୍
ଜୟପୁର ଜୋନରୁ ୧୨ଟି ରୁଟରେ ସରକାରୀ ବସ୍ ଚଳାଚଳ ବନ୍ଦ
ଜୟପୁର : ମାଓବାଦୀ ମାନେ ଶହୀଦ ସପ୍ତାହ ପାଳନ କରୁଥିବାରୁ କୋରାପୁଟ ଜିଲାରେ ହାଇଆଲର୍ଟ ଜାରି କରାଯାଇଛି । ଜୟପୁର-ମାଲକାନଗିରି ବସ୍ ସେବା ସଂପୁଣ୍ଣ ଠପ୍ ହୋଇଯାଇଛି । ଜୟପୁର ଜୋନର ପାଖା ପାଖି ୧୨ଟି ରୁଟରେ ଓ ବିଜୟନଗରମ ଜୋନରୁ ୩ଟି ରୁଟରେ ବସ ଚଳାଚଳ ସମ୍ପୁଣ୍ଣ ବନ୍ଦ କରାଯାଇଛି । ଅବିଭକ୍ତ କୋରାପୁଟ ଜିଲାରେ ୩୪ ରୁ ଅଧିକ ସରକାରୀ ବସ ଚଳାଚଳକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଛି ।
୨୭ ତାରିଖ ରାତ୍ରରୁ ସରକାରୀ ବସ୍ ଚଳାଚଳ ପ୍ରଭାବିତ ହୋଇଛି । ଯାହାଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।୨୮ ତାରିଖ ଠାରୁ ମାଓବାଦୀଙ୍କ ଶହୀଦ ସପ୍ତାହ ଆରମ୍ଭ ହୋଇଥିବାରୁ ସୁରକ୍ଷା ଦୃଷ୍ଟିରୁ ସରକାରୀ ବସ ବନ୍ଦ କରାଯାଇଛି । ମାଲକାନଗିରି ଜିଲା ରୁଟ ରେ ୨୦ଟି ସରକାରୀ ବସ୍ ବନ୍ଦ ରଖାଯାଇ ଥିବା ବେଳେ ପାରଳାଖେମୁଣ୍ଡି- ଫୁଲବାଣି ରୁଟ ରେ ୪ଟି ବସ୍ ବନ୍ଦ କରାଯାଇଛି । କୋଟିଆ ରୁଟରେ ୨ଟି ପାର୍ବତିପୁରମ ଗୋଟିଏ, କାଶିପୁର ଦୁଇଟି, ଭଦ୍ରାଚଳମ ଦୁଇଟି, ଗୁଣୁପୁର ଦୁଇଟି ଓ ଭାୟା ରାୟଗଡା ଦେଇ ଯାଉଥିବା ବ୍ରହ୍ମପୁର, ଭଞ୍ଜନଗର ଓ ଭୁବନେଶ୍ୱରକୁ ଯାଉଥିବା ୮ଟି ବସ କୁ ସଂମ୍ପୁଣ୍ଣ ବନ୍ଦ କରାଯାଇଥିବା ବିଭାଗୀୟ ସୂତ୍ରରୁ ଜଣାଯାଇଛି । ମାଲକାନଗିରି ଜିଲା ମୋଟୁ ଠାରୁ ବିଶାଖାପାଟଣା ଦୁଇଟି ସେହିପରି ଉକ୍ତ ଜିଲାରୁ ଆନ୍ଧ୍ର ଯାଉଥିବା ୬ଟି ବସ ବନ୍ଦ କରାଯାଇଛି । ବ୍ରହ୍ମପୁର, ଭୁବନେଶ୍ୱର ଠାରୁ କୋରାପୁଟ- ମାଲକାନଗିର ପାଇଁ ଆସୁଥିବା ୧୫ଟି ବସ, ଭବନାପାଟଣାରୁ-ମୋଟୁ ଦୁଇଟି ବସ ବନ୍ଦ ରହିଛି । ଇନ୍ଦ୍ରାବତୀ- ଚିତ୍ରକୋଣ୍ଡା ରୁଟ ରେ ୨ଟି , କାଶିପୁର ଭାୟା ଦଶମନ୍ତପୁର ରୁଟ ରେ ୨ଟି, ଭବାନିପାଟଣା- ମାଲକାନଗିରି, ନିଳାଦ୍ରିନଗର, ଫୁଲବାଣି ରୁଟ ମଧ୍ୟରେ ଏପରି ଭାବେ ୩୫ ରୁଟ ରେ ୪୦ ରୁ ଅଧିକ ସରକାରୀ ଗାଡି ବନ୍ଦ ହୋଇଛି । ଏହି ବସ କୁ ଆସନ୍ତା ୩ ତାରିଖ ପଯ୍ୟନ୍ତ ବନ୍ଦ କରାଯାଇଥିବା ବିଭାଗ ତରଫରୁ ସୂଚନା ଦିଆଯାଇଛି । ମାଓବାଦୀ ଯେପରି କୌଣସି କାଣ୍ଡ ନଘଟାଇ ପାରିବେ ସେ ନେଇ ଜିଲା ପୋଲିସ ତରଫରୁ ସୁରକ୍ଷାକୁ କଡାକଡି କରାଯାଇଥିବା ଜଣାଯାଇଛି । ଜିଲାର ନାରାୟଣପାଟଣା, ବନ୍ଧୁଗାଁ, ବୈପାରିଗୁଡା, ପଟାଙ୍ଗି ଅଂଚଳରେ ସୁରକ୍ଷା ବାହନି ତରଫରୁ ତିକ୍ଷ୍ନ ନଜର ରଖାଯାଇଛି । ମାଓବାଦୀ ଅଞ୍ଚଳରେ ଥିବା ଥାନା ଗୁଡିକର ସୁରକ୍ଷା କୁ କଡା କଡି କରାଯାଇଛି । ଅପରପକ୍ଷେ ମାଓବାଦୀ ମାନେ ଶହିଦ ସପ୍ତାହକୁ ସମର୍ଥନ ଜଣାଇବାକୁ ବ୍ୟାନରେ ଓ ପୋଷ୍ଟର ମାଧ୍ୟମରେ ଅନୁରୋଧ କରିଛନ୍ତି ।