ମାଓ ଦମନ ବୈଠକ : ଭିତିଭୂମିର ବିକାଶ ଲାଗି କେନ୍ଦ୍ର ସରକାରଙ୍କୁ ଅନୁରୋଧ କଲେ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ନୂଆଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ମାଓ ଦମନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମାଓ ପ୍ରଭାବିତ ରାଜ୍ୟର ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେକ ପ୍ରସ୍ତାବ ଉପରେ ବିଚାର କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ପ୍ରଥମତଃ ମାଲକାନଗିରି ଦେଇ ଜୟପୁରରୁ ମୋଟୁ ପର୍ଯ୍ୟନ୍ତ ଏନଏଚ୍-୩୨୬ ର ଚାରି ଲେନ୍ କରାଯିବାକୁ ସେ ପ୍ରସ୍ତାବ ଦେଇଛନ୍ତି । ଏହା ପୂର୍ବ ଭାରତ, ଛତିଶଗଡ଼ ଏବଂ ଝାରଖଣ୍ଡ ରାଜ୍ୟରୁ ଦକ୍ଷିଣକୁ ବିଶେଷ କରି ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦକୁ ଯାତାୟାତ ପାଇଁ ସମାନ୍ତରାଳ ରାସ୍ତା ଯୋଗାଇବ । ଏହା ଯାତ୍ରା ସମୟକୁ ହ୍ରାସ କରିବା ସହିତ ଏହି ଅଂଚଳକୁ ବିପୁଳ ଆର୍ôଥକ ସହାୟତା ଯୋଗାଇବ । ମାଓ ପ୍ରଭାବିତ ଜିଲ୍ଲାଗୁଡ଼ିକ ରେଳ ନେଟୱାର୍କର ଅଂଶ ନୁହଁନ୍ତି । ରେଳ ମନ୍ତ୍ରଣାଳୟ ଏବଂ ଓଡ଼ିଶା ସରକାର ମିଳିତ ସହଯୋଗରେ ଜୟପୁରରୁ ନବରଙ୍ଗପୁର ଏବଂ ଜୟପୁରରୁ ମାଲକାନଗିରି ପର୍ଯ୍ୟନ୍ତ ଦୁଇ ଥାକିଆ ରେଳପଥ ନିର୍ମାଣ ହୋଇସାରିଛି । ମାଲକାନଗିରିରୁ ଭଦ୍ରାଚାଲମ୍ ୧୫୩ କିମି ଦୈ ର୍ଘ୍ୟ ଏବଂ ନବରଙ୍ଗପୁରରୁ ଜୁନାଗଡ ୧୧୮ କିଲୋମିଟର ମଧ୍ୟରେ ରେଳପଥ ନିର୍ମାଣ କରାଯାଉ । ଏହାଦ୍ୱାରା ଏହି କ୍ଷେତ୍ରଗୁଡିକର ଅର୍ଥନୈତିକ ଅଭିବୃଦ୍ଧି ଘଟିବ ।
ଦକ୍ଷିଣ ଏବଂ ପଶ୍ଚିମ ଓଡ଼ିଶାର ଦୁର୍ଗମ ଅଂଚଳଗୁଡିକ ପାଇଁ ମୋବାଇଲ୍ ସଂଯୋଗ ଯୋଗାଇବା ଲାଗି ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି । ସେ କହିଛନ୍ତି, ଓଡ଼ିଶାରେ ୬୨୭୮ଟି ଗ୍ରାମ ଅଛି, ଯେଉଁଠାରେ ମୋବାଇଲ୍ ସଂଯୋଗ ସୁଯୋଗ ନାହିଁ । ଏଠାରେ ମୋବାଇଲ୍ ଟାୱାର ବ୍ୟବସ୍ଥା ଲାଗି ସେ ଅନୁରୋଧ କରିଛନ୍ତି । । ନିକଟରେ ଓଡ଼ିଶା ପାଇଁ ୪୮୮ଟି ମୋବାଇଲ୍ ଟାୱାର ମଞ୍ଜୁର କରିଥିବାରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଧନ୍ୟବାଦ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଓବାଦୀ ପ୍ରଭାବିତ ଅଂଚଳରେ ବ୍ୟାଙ୍କିଙ୍ଗ ସୁବିଧା ସୃଷ୍ଟି କରିବାରେ ଆମେ ସଫଳ ହୋଇ ନାହୁଁ । ବିନା ମୂଲ୍ୟରେ ବ୍ୟାଙ୍କ ଶାଖା ସ୍ଥାପନ ପାଇଁ ରାଜ୍ୟ ସରକାର ଜମି, ନିର୍ମାଣ ଇତ୍ୟାଦି ଯୋଗାଇ ଦେବେ । ଏକ ବର୍ଷ କିମ୍ବା ତା’ଠାରୁ ଅଧିକ ସମୟ ମଧ୍ୟରେ ବ୍ୟାଙ୍କ ଗଠନ ପାଇଁ ତ୍ୱରିତ ପଦକ୍ଷେପ ନେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି । ଦେଶର ଏହି ମାଓ ପ୍ରଭାବିତ ଅଂଚଳରୁ କେତେ ପିଲା ନିଟ୍, ଆଇଆଇଟି ଓ ଜେଇଇ ଇତ୍ୟାଦି ଜାତୀୟ ସ୍ତରର ପରୀକ୍ଷାରେ ସଫଳ ହୋଇଛନ୍ତି ସେନେଇ କେନ୍ଦ୍ର ସରକାର ଏକ ଅଧ୍ୟୟନ କରିବା ଉଚିତ ବୋଲି ସେ ପରାମର୍ଶ ଦେଇଛନ୍ତି ।