ଜୁଲାଇ ପହିଲାରୁ ଏସବିଆଇରେ ବଦଳିଯିବ ବହୁ ନିୟମ
ନୂଆଦିଲ୍ଲୀ : ଜୁଲାଇ ମାସ ଆରମ୍ଭ ସହ ବ୍ୟାଙ୍କର ନୀତି ନିୟମ ମଧ୍ୟ ବଦଳିବାକୁ ଯାଉଛି। ଭାରତର ସର୍ବ ବୃହତ୍ତ ବ୍ୟାଙ୍କ ଭାରତୀୟ ଷ୍ଟେଟବ୍ୟାଙ୍କ (ଏସବିଆଇ) ଏଟିଏମରୁ ଟଙ୍କା ଉଠାଣ ସମେତ ଚେକ୍ ଜରିଆରେ ଉଠାଣ ଓ ବ୍ୟାଙ୍କ ଶାଖାରୁ ଟଙ୍କା ଉଠାଇବା ସମ୍ପର୍କିତ ନିୟମରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏଣିକି ବ୍ୟାଙ୍କ ଦେଉଥିବା ନିଶୁଳ୍କ ସେବା ବାଦେ ସବୁ ଉଠାଣ ଲାଗି ଶୁଳ୍କ ଓ ଏ ବାବଦେ ଜିଏସଟି ଶୁଳ୍କ ମଧ୍ୟ ପୈଠ କରିବାକୁ ପଡିବ। ଜୁଲାଇ ୧ରୁ ନୂଆ ଚାର୍ଜ ବେସିକ୍ ସେଭିଙ୍ଗ ଆକାଉଣ୍ଟ ଡିପୋଜିଟ୍ (ବିଏସବିଡି) ଆକାଉଣ୍ଟ ନିମନ୍ତେ ଲାଗୁ ହେବ। ବ୍ୟାଙ୍କ ଏଭଳି ଆକାଉଣ୍ଟ ସମାଜର ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବା ନିମନ୍ତେ ପ୍ରଚଳନ କରିଥିଲେ। ଏଥିରେ ବିନା କୌଣସି ଜମାରେ ବ୍ୟାଙ୍କ ଲୋକଙ୍କ ଲାଗି ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିବାର ସୁବିଧା ଉପଲବ୍ଧ କରିଥିଲେ। ଏଣୁ ଏହି ଆକାଉଣ୍ଟକୁ ଜିରୋ ବାଲାନ୍ସ ଆକାଉଣ୍ଟ ମଧ୍ୟ କୁହାଯାଏ। ଏଥିରେ ସର୍ବନିମ୍ନ ଅଥବା ସର୍ବାଧିକ ଜମା ଲାଗି କୌଣସି ସର୍ତ୍ତାବଳି ପ୍ରଜୁଯ୍ୟ ନୁହେଁ।
ଏଭଳି ଆକାଉଣ୍ଟ ଲାଗି ବ୍ୟାଙ୍କ ଏଟିଏମ୍ କାର୍ଡ ମଧ୍ୟ ଜାରି କରିଛନ୍ତି। ୧ ଜୁଲାଇରୁ ବ୍ୟାଙ୍କ ଶାଖା ଅଥବା ଏଟିଏମରୁ ଗ୍ରାହକଙ୍କ ଲାଗି ସର୍ବାଧିକ ୪ ଉଠାଣ ନିଶୁଳ୍କ ରହିବ। ପରବର୍ତ୍ତି ସବୁ ଉଠାଣ ନିମନ୍ତେ ଗ୍ରାହକଙ୍କୁ ପ୍ରତି କାରବାରରେ ୧୫ଟଙ୍କା ଯୁକ୍ତ ଜିଏସଟି ଶୁଳ୍କ ପୈଠ କରିବାକୁ ହେବ। ଏହି ଦେୟ ଗ୍ରାହକଙ୍କ ଆକାଉଣ୍ଟରୁ କଟିଯିବ। ଏସବିଆଇ ବ୍ୟତୀତ ଅନ୍ୟ ଏଟିଏମରୁ ଟଙ୍କା ଉଠାଣ ଲାଗି ମଧ୍ୟ ଏହି ଶୁଳ୍କ ନିୟମ ସମାନ ରହିବ। ଏପରି ଖାତାଧାରୀଙ୍କୁ ବ୍ୟାଙ୍କ ଚେକ୍ ବୁକ୍ ମଧ୍ୟ ଦେଉଛନ୍ତି। ବାର୍ଷିକ ୧୦ଟି ଚେକ୍ ଥିବା ବହି ଲାଗି ୪୦ଟଙ୍କା ଯୁକ୍ତ ଜିଏସଟି ଶୁଳ୍କ ମଧ୍ୟ ଗ୍ରାହକଙ୍କୁ ପୈଠ କରିବାକୁ ହେବ। ସେହିପରି ୨୫ଟି ଚେକ୍ ଥିବା ବହିବା ଲାଗି ୭୫ଟଙ୍କା ଯୁକ୍ତ ଜିଏସଟି ଚାର୍ଜ ଲାଗୁ ହେବ। ୧୦ ଟିକିଆ ଜରୁରୀ ଚେକ୍ ବୁକ୍ ଲାଗି ୫୦ଟଙ୍କା ଓ ଜିଏସଟି ଶୁଳ୍କ ଲାଗୁ ହେବ। ସେହିପରି ଟଙ୍କା ଉଠାଣରେ ଏଟିଏମରୁ ହେଉ ଅଥବା ବ୍ୟାଙ୍କ ଶାଖାରୁ ମାସିକ ୪ଟି ଉଠାଣ ନିଶୁଳ୍କ କରାଯାଇଛି। ଫ୍ରି ଲିମିଟ୍ ପରେ ବ୍ୟାଙ୍କ ଶାଖା ହେଉ ଅଥବା ଏଟିଏମ ପ୍ରତି ଉଠାଣରେ ୧୫ଟଙ୍କା ଏ ଜିଏସଟି ଦେୟ ଗ୍ରାହକଙ୍କ ଠାରୁ ଅସୁଲ ହେବ। ଏ ନେଇ ବ୍ୟାଙ୍କ ତାଙ୍କ ଟ୍ୱିଟ୍ ହ୍ୟାଣ୍ଡଲରେ ମଧ୍ୟ ପୋଷ୍ଟ କରିଛନ୍ତି। ଏଣୁ ଗ୍ରାହକ ଜମା ଟଙ୍କା ଉଠାଣ କାଳରେ ଏ ବାବଦେ ବ୍ୟାଙ୍କର ନୂଆ ନୀତି ଅନୁସରଣ କରିବା ବାଞ୍ଛନୀୟ।