ମଣିପୁର ଭାଇରାଲ ଭିଡିଓ ମାମଲା : ସୁପ୍ରିମକୋର୍ଟରେ ଆଜି ଶୁଣାଣି
ନୂଆଦିଲ୍ଲୀ: ମଣିପୁରର ଦୁଇ କୁକି ସମ୍ପ୍ରଦାୟର ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଓ ଯୌନ ନିର୍ଯାତନା ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଆଜି ଏହି ମାମଲାର ଶୁଣାଣି ହେବ। ପୀଡ଼ିତ କୁକି ମହିଳାଙ୍କ ତରଫରୁ ଏହି ଆବେଦନ କରାଯାଇଛି । ପ୍ରଧାନ ବିଚାରପତି ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବ।
ଯୌନ ନିର୍ଯାତନାର ଶିକାର ଉଭୟ ମହିଳା କେନ୍ଦ୍ର ଓ ମଣିପୁର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଏହି ଆବେଦନରେ ନିରପେକ୍ଷ ତଦନ୍ତ ପାଇଁ ସେମାନେ ଦାବି କରିବା ସହ ସେମାନଙ୍କର ପରିଚୟ ସାର୍ବଜନୀନ ନକରିବାକୁ ଅନୁରୋଧ କରିଛନ୍ତି।
ସୂଚନା ଯେ, ଗତ ମେ ୪ରେ ମଣିପୁରରେ ଦୁଇ ଜଣ କୁକି ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ସହ ଯୌନ ନିର୍ଯାତନା ଦିଆଯାଇଥିଲା । ଜଣେ ମହିଳାଙ୍କୁ ସର୍ବସାଧାରଣରେ ବଳାତ୍କାର କରାଯାଇଥିବା ଅଭିଯୋଗ ମଧ୍ୟ ହୋଇଥିଲା । ଏହି ଘଟଣାର ଭିଡିଓ ଜୁଲାଇ ୧୯ରେ ଭାଇରାଲ ହୋଇଥିଲା । ଏହି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଣିପୁର ପ୍ରସଙ୍ଗରେ ମୁହଁ ଖୋଲିଥିଲେ । ଅପରାଧୀଙ୍କୁ ଛଡ଼ାଯିବ ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । ସିବିଆଇ ଏହି ଘଟଣାର ତଦନ୍ତ କରୁଛି।