ମଣିପୁର ବିଧାନସଭା ନିର୍ବାଚନ : ୨୧%ରୁ ଅଧିକଙ୍କ ବିରୋଧରେ ଆପରାଧିକ ମାମଲା
ଇମ୍ଫାଲ : ମଣିପୁର ବିଧାନସଭା ନିର୍ବାଚନର ପ୍ରଥମ ପର୍ୟ୍ୟାୟରେ ପ୍ରତିଦ୍ୱିନ୍ଦିତା କରୁଥିବା ୧୭୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୧ ପ୍ରତିଶତରୁ ଅଧିକଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ସେଥିମଧ୍ୟରୁ ୧୬ ପ୍ରତିଶତଙ୍କ ବିରୋଧରେ ଗୁରୁତର ଆପରାଧିକ ମାମଲା ଅଛି। ଆସୋସିଏଶନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର୍)ର ଏକ ରିପୋର୍ଟରେ ଏହି ସୂଚନା ପ୍ରଦାନ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ୨୪ ଜଣ ପ୍ରାର୍ଥୀ ଅର୍ଥାତ୍ ୧୪ ପ୍ରତିଶତଙ୍କ ସମ୍ପତ୍ତି ପରିମାଣ ୫ କୋଟି କିମ୍ବା ଏହାଠାରୁ ଅଧିକ ରହିଛି। ଏଡିଆର୍ ବିଶ୍ଳେଷଣ ଅନୁଯାୟୀ, ପ୍ରମୁଖ ଦଳ ମଧ୍ୟରେ ୩୮ ଜଣ ଭାଜପା ପ୍ରାର୍ଥୀଙ୍କ ମଧ୍ୟରୁ ୧୦ (୨୬ ପ୍ରତିଶତ)ଜଣଙ୍କ ବତରୋଧରେ ଗୁରୁତର ଅପରାଧିକ ମାମଲା ରହିଛି।
ସେହପରି ଜେଡି (ୟୁ)ର ୨୮ ପ୍ରାର୍ଥୀଙ୍କ ମଧ୍ୟରୁ ପାଞ୍ଚଜଣ (୧୮ପ୍ରତିଶତ), କଂଗ୍ରେସର ୩୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୪(୧୧ ପ୍ରତିଶତ) ଜଣଙ୍କ ବିରୋଧରେ ଆପରାଧିକ ମାମଲା ରହିଛି। ୨୭ ଜଣ ଏନ୍ପିପି ପ୍ରାର୍ଥୀଙ୍କ ମଧ୍ୟରୁ ଦୁଇଜଣ (୭ ପ୍ରତିଶତ) ନିଜ ସତ୍ୟପାଠରେ ଏ ସମ୍ପର୍କରେ ସୂଚିତ କରିଛନ୍ତି। ପ୍ରଥମ ପର୍ୟ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୭୩ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୯୧ ଜଣ (୫୩ ପ୍ରତିଶତ) କୋଟିପତି ଅଛନ୍ତି। ପ୍ରମୁଖ ଦଳଗୁଡିକ ମଧ୍ୟରେ, ଏନ୍ପିପିର ୨୭ ପ୍ରାର୍ଥୀଙ୍କ ମଧ୍ୟରୁ ୨୧ ଜଣ (୭୮ ପ୍ରତିଶତ), ଭାଜପାର ୩୮ ପ୍ରାର୍ଥୀଙ୍କ ମଧ୍ୟରୁ ୨୭ ଜଣ (୭୧ ପ୍ରତିଶତ), କଂଗ୍ରେସର ୩୫ ପ୍ରାର୍ଥୀଙ୍କ ମଧ୍ୟରୁ ୧୮ ଜଣ (୫୧ ପ୍ରତିଶତ) ଏବଂ ଜେଡି(ୟୁ)ର ୨୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୪ ଜଣ (୫୦ ପ୍ରତିଶତ)ଙ୍କ ପାଖରେ ୧ କୋଟିରୁ ଅଧିକ ସମ୍ପତ୍ତି ରହିଛି।
ନିର୍ବାଚନର ପ୍ରଥମ ପର୍ୟ୍ୟାୟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରତି ପ୍ରାର୍ଥୀଙ୍କ ହାରାହାରି ସମ୍ପତ୍ତି ୨.୫୧ କୋଟି ଟଙ୍କା। ସେକମାଇ (ଏସସି) ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀ ନିଙ୍ଗଥୁଜାମ ପପିଲାଲ ସିଂ ତାଙ୍କ ଆଫିଡେଭିଟରେ ଶୂନ ସମ୍ପତ୍ତି ଘୋଷଣା କରିଛନ୍ତି।ଏଡ଼ିଆର ରିପୋର୍ଟରେ କୁହାଯାଇଛି ଯେ ୩୭ (୨୧ ପ୍ରତିଶତ) ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା ପଞ୍ଚମରୁ ଦ୍ୱାଦଶ ମଧ୍ୟରେ ରହିଛି। ୧୩୩ ଜଣ (୭୭ ପ୍ରତିଶତ) ପ୍ରାର୍ଥୀ ସ୍ନାତକୋତ୍ତର କିମ୍ବା ତା’ଠାରୁ ଅଧିକ ଡିଗ୍ରୀ ହାସଲ କରିଥିବା ଘୋଷଣା କରିଛନ୍ତି। ତିନିଜଣ ପ୍ରାର୍ଥୀ ଡିପ୍ଲୋମା-ଡିଗ୍ରୀଧାରୀ।