ମଣିପୁର ବିଧାନସଭା ନିର୍ବାଚନ : ପ୍ରାର୍ଥୀ ଘୋଷଣା କଲା ବିଜେପି
ହିଗଙ୍ଗ ଆସନରୁ ଲଢ଼ିବେ ମୁଖ୍ୟମନ୍ତ୍ରୀ ବିରେନ ସିଂ
ଇମ୍ଫାଲ : ମଣିପୁର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ପ୍ରଥମ ପର୍ଯ୍ୟାୟରେ ଦଳ ସମସ୍ତ ୬୦ ଆସନ ପାଇଁ ପ୍ରାର୍ଥୀ ଚୂଡାନ୍ତ କରିଛି । ବର୍ତମାନ ମୁଖ୍ୟମନ୍ତ୍ରୀ ଦାୟିତ୍ୱରେ ଥିବା ଏନ.ବିରେନ ସିଂ ହିଗଙ୍ଗ ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ସରକାରର ପୂର୍ତମନ୍ତ୍ରୀ ଥାଙ୍ଗମ ବିଶ୍ୱଜିତ ସିଂ ଥଙ୍ଗଜୁ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ଟିକେଟ ପାଇଛନ୍ତି । ସେହିପରି ଏହି ପ୍ରାର୍ଥୀ ତାଲିକାରେ ବେଶ ଭାରସାମ୍ୟ ରଖିବାକୁ ଚେଷ୍ଟା କରିଛି ଦଳ । ଏଥିରେ ମହିଳା, ଡାକ୍ତର, ପୂର୍ବତନ ପ୍ରଶାସନିକ ଅଧିକାରୀ ଓ କ୍ରିଡାବିତଙ୍କୁ ମଧ୍ୟ ନିର୍ବାଚନୀ ମୈଦାନକୁ ଓହ୍ଲାଇଛି ଦଳ । ମାର୍ଶଲ ଆର୍ଟ ଖେଳାଳି ଯୁମନମ କେମଚାନ୍ଦ ସିଂଙ୍କୁ ଟିକେଟ ଦିଆଯାଇଛି । ବିଜେପି ତିନିଜଣ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀଙ୍କୁ ମଧ୍ୟ ଟିକେଟ ପ୍ରଦାନ କରିଛି । ସେମାନଙ୍କ ମଧ୍ୟରେ ନିକଟରେ ସ୍ୱେଚ୍ଛାକୃତ ଅବସର ନେଇଥିବା ପ୍ରଶାସକ ରଘୁମଣି ସିଂ, ୟେଙ୍ଗଖୋମ ସୁରଚନ୍ଦ୍ର ସିଂ ଏବଂ ଡିଙ୍ଗାଙ୍ଗଲୁଙ୍ଗ ଗାଙ୍ଗମେଇ (ଦିପୁ)ଙ୍କ ନାମ ସାମିଲ ରହିଛି ।
ତେବେ ଚଳିତ ନିର୍ବାଚନରେ ୩ ମହିଳାଙ୍କୁ ମଧ୍ୟ ପ୍ରାର୍ଥୀ କରିଛି ବିଜେପି । ପୂର୍ବ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ୨ ଜଣଙ୍କ ଟିକେଟ ମଧ୍ୟ କଟାଯାଇଛି । ରବିବାର ପ୍ରାର୍ଥୀ ତାଲିକା ଘୋଷଣା ଅବସରରେ ଦଳର ରାଜ୍ୟ ପ୍ରଭାରୀ ସମ୍ବିତ ପାତ୍ର ଦଳ ଭଲ ପ୍ରଦର୍ଶନ କରିବା ସହ କ୍ଷମତା ବଜାୟ ରଖିବା ନେଇ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସମ୍ବିତ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଣିପୁର ଗସ୍ତ ସମୟରେ ଲୋକଙ୍କ ମଧ୍ୟରେ ବେସ ଉତ୍ସାହ ଦେଖିବାକୁ ମିଳିଥିଲା । ଲୋକେ ପୁଣିଥରେ ବିଜେପିକୁ ଶାସନ କରିବାର ଅବସର ଦେବେ । ଦୁଇ ତୃତୀୟାଂଶ ଆସନ ତଥା ୬୦ ରୁ ୪୦ ଆସନରେ ଦଳ ବିଜୟୀ ହୋଇ ସରକାର ଗଠନ କରିବା ନେଇ କହିଛନ୍ତି ସମ୍ବିତ । ବର୍ତମାନ ବିଜେପି ନେତୃତ୍ୱାଧୀନ ଏନଡ଼ିଏ ମେଂଟ ରାଜ୍ୟରେ କ୍ଷମତାରେ ରହିଛି । ଗତ ନିର୍ବାଚନରେ ବିଜେପି ୩୦ଆସନରେ ଜିତିଥିବା ବେଳେ ଏନପିପିର ତିନିଜଣ ବିଧାୟକ ଏବଂ ଚାରିଜଣ ଏନଡ଼ିଏଫ ବିଧାୟକ ଏବଂ ତିନିଜଣ ସ୍ୱାଧୀନ ବିଧାୟକଙ୍କୁ ନେଇ ମେଂଟ ସାହାଯ୍ୟରେ ସରକାର ଗଠନ କରିବାରେ ସଫଳ ହୋଇଥିଲା । ୨୦୧୭ ରେ ବିରେନ ସିଂ ମଣିପୁରରେ ସରକାର ଗଠନ କରିଥିଲେ ।ଜୁନ୍ ୨୦୨୦ରେ ଏହା ଏକ ବଡ଼ ଧରଣର ରାଜନୈତିକ ସଙ୍କଟ ମଧ୍ୟ ସାମ୍ନା କରିଥିଲା ଶାସନାଧୀନ ଏନଡ଼ିଏ । ଜଣେ ମନ୍ତ୍ରୀଙ୍କ ସମେତ ୯ ଜଣ ବିଧାୟକ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବାରୁ ସରକାରର ସ୍ଥାୟୀତ୍ୱ ଉପରେ ସଙ୍କଟ ଦେଖିବାକୁ ମିଳିଥିଲା । ତେବେ କେନ୍ଦ୍ରୀୟ ନେତୃତ୍ୱଙ୍କ ହସ୍ତକ୍ଷେପ ଦ୍ୱାରା ଚାରିଜଣ ଏନପିପି ବିଧାୟକଙ୍କ ସମର୍ଥନରେ ସରକାର ବଂଚାଇବାରେ ସକ୍ଷମ ହୋଇଥିଲା ଏନଡ଼ିଏ । ଚଳିତ ଥର ମଣିପୁରରେ ଦୁଇଟି ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ଫେବୃଆରୀ ୨୭ ତାରିଖ ଏବଂ ମାର୍ଚ୍ଚ ୩ ତାରିଖରେ ସମସ୍ତ ୬୦ଟି ବିଧାନସଭା ଆସନରେ ମତଦାନ ହେବା ସହ ମାର୍ଚ୍ଚ ୧୦ ତାରିଖରେ ଜନାଦେଶ ପ୍ରକାଶ ପାଇବ । ବର୍ତମାନ ମଣିପୁରରେ ପ୍ରଚାର ଜାରି ରଖିଛନ୍ତି ବିଭିନ୍ନ ରାଜନୈତିକ ଦଳ ।