ଇସ୍ତଫା ଦେଲେ ଉଦ୍ଧବ ଠାକରେ
ମୁମ୍ବାଇ: ଇସ୍ତଫା ଘୋଷଣା କଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଏନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେର ନିଜେ ସୂଚନା ଦେଇଛନ୍ତି। ସେ କହିଛନ୍ତି “ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଛି।”
ଆସ୍ଥା ଭୋଟର ସମ୍ମୁଖୀନ ହେବା ପୂର୍ବରୁ ହାର ମାନି ନେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ। ଆଜି ସୁପ୍ରିମକୋର୍ଟ ଆସ୍ଥା ଭୋଟ ବା ଫ୍ଲୋର ଟେଷ୍ଟ ଉପରେ ରୋକ ଲଗାଇବାକୁ ମନା କରିବା କ୍ଷଣୀ ଉଦ୍ଧବ ଠାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ସେ ଫେସବୁକ ଜରିଆରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରି ପଦ ଛାଡ଼ୁଥିବା କଥା କହିଛନ୍ତି। ଉଦ୍ଧବ ଠାକରେଙ୍କ ଇସ୍ତଫା ସହ ମହାରାଷ୍ଟ୍ରରେ ଚାଲିଥିବା ମହା ବିକାଶ ଅଘାଡ଼ି(ଏମଭିଏ) ସରକାରର ପତନ ଘଟିଛି। ଏହି ମେଣ୍ଟ ସରକାରରେ ଶିବସେନା, ଏନସିପି ଓ କଂଗ୍ରେସ ରହିଥିଲେ। ତେବେ ଶିବସେନାର ୪୦ରୁ ଅଧିକ ବିଧାୟକ ବିଦ୍ରୋହ ଘୋଷଣା କରିବାକୁ ଏମଭିଏ ସରକାର ସଙ୍କଟ ମଧ୍ୟକୁ ଠେଲି ହୋଇ ଯାଇଥିଲା। ଏବେ ଏହି ସଙ୍କଟକୁ ଦୃଷ୍ଟିରେ ରଖି ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେଇଛନ୍ତି।
ଗୁରୁବାରଦିନ ମହାରାଷ୍ଟ୍ର ବିଧାନସଭାରେ ଉଦ୍ଧବ ସରକାରଙ୍କ ବିରୋଧରେ ଆସ୍ଥା ଭୋଟ ଅନୁଷ୍ଠିତ ହେବ । ଏ ନେଇ ମହାରାଷ୍ଟ୍ର ରାଜ୍ୟପାଳ ଦେଇଥିବା ନିର୍ଦ୍ଦେଶ ଉପରେ କୌଣସି ପ୍ରକାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଡିଓ୍ବାଲାଙ୍କୁ ନେଇ ଗଠିତ ଅବସରକାଳୀନ ବେଞ୍ଚ୍ ଏହି ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ଉଦ୍ଧବ ସରକାରଙ୍କ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । ଶିବସେନାର ବିଦ୍ରୋହୀ ଗୋଷ୍ଠୀଙ୍କ ପାଖରେ ୩୯ ବିଧାୟକଙ୍କ ସମର୍ଥନ ଥିବାବେଳେ ଉଦ୍ଧବଙ୍କ ପାଖରେ ମାତ୍ର ୧୪ ଜଣଙ୍କ ସମର୍ଥନ ରହିଛି । ଏଣୁ ଆସନ୍ତାକାଲି ଉଦ୍ଧବ ସରକାରର ପତନ ହେବାର ସମ୍ଭାବନା ରହିଛି । ଅନ୍ୟପକ୍ଷରେ ବିଜେପି ପାଇଁ ଏହା ଏକ ବରଦାନ ସଦୃଶ ହୋଇଛି । ମଙ୍ଗଳବାର ରାତିରେ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ ଖୋସିୟାରୀ ଆସନ୍ତା ୩୦ ତାରିଖରେ ଆସ୍ଥାଭୋଟ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ଶିବସେନାର ଚିଫ ହ୍ବିପ୍ ( ଶାସକ ଦଳର ମୁଖ୍ୟ ସଚେତକ) ସୁନୀଲ ପ୍ରଭୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଏହି ମାମଲାର ଜରୁରୀ ଶୁଣାଣି ପାଇଁ ଶିବସେନା ଓକିଲ ଡ. ଅଭିଷେକ ମନୁ ସିଂଘଭି ଆବେଦନ କରିଥିଲେ । କୋର୍ଟ ଏହାକୁ ଗ୍ରହଣ କରିବା ପରେ ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜେବି ପାର୍ଡିଓ୍ବାଲାଙ୍କୁ ନେଇ ଗଠିତ ଅବସରକାଳୀନ ବେଞ୍ଚ୍ ଏହି ମାମଲାର ଶୁଣାଣି କରିଥିଲେ । ସୋଲିସିଟର ଜେନେରାଲ ରାଜ୍ୟପାଳଙ୍କ ପକ୍ଷ ରଖିଥିଲେ । ଏକନାଥ ସିନ୍ଦେଙ୍କ ପକ୍ଷରୁ ବରିଷ୍ଠ ଓକିଲ ନିରଜ କିଷନ କୋଲ ଏହି ଶୁଣାଣି ବେଳେ ଉପସ୍ଥିତ ଥିଲେ।
ସୂଚନା ଯେ, ଗତ ଜୁନ ୨୨ରେ ଏକନାଥଙ୍କ ନେତୃତ୍ବରେ ୨୨ ଜଣ ଅସନ୍ତୁଷ୍ଟ ବିଧାୟକ ଗୁଜୁରାଟର ସୁରତର ଏକ ହୋଟେଲକୁ ପଳାଇଯିବା ପରେ ମହାରାଷ୍ଟ୍ର ସରକାରଙ୍କ ଉପରକୁ ବିପଦ ଘନେଇ ଆସିଥିଲା । ପରେ ସିନ୍ଦେ ଗୋଷ୍ଠୀ ସୁରତ ଛାଡ଼ି ଆସାମର ରାଜଧାନୀ ଗୌହାଟୀ ପଳାଇ ଯାଇଥିଲେ । ପରେ ସେମାନଙ୍କ ସହ ଆଉ କିଛି ବିଦ୍ରୋହୀ ବିଧାୟକ ଯୋଗ ଦେବା ପରେ ମୋଟ ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୩୯ରେ ପହଞ୍ଚିଥିଲା । ଏହା ପରେ ହିଁ ଶିବସେନା ସରକାର ସଂଖ୍ୟାଲଘୁ ହୋଇଯାଇଥିଲା ।